ଭୁବନେଶ୍ୱର : ‘ଉଡ଼ାଣ’ ଯୋଜନାରେ ବିମାନ ସେବା ଆରମ୍ଭ କରିବା ପାଇଁ ଝାରସୁଗୁଡ଼ା ବିମାନବନ୍ଦର ପୂରା ପ୍ରସ୍ତୁତ। ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରୁ ଏଠାରୁ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏହାସହ ଝାରସୁଗୁଡ଼ାରୁ ରାୟପୁର ଏବଂ ଜଗଦଲପୁରକୁ ବି ଉଡ଼ାଣ ଆରମ୍ଭ ହେବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେହିପରି ରାଉରକେଲା ବିମାନବନ୍ଦର ନେଇ ବିବାଦରେ ପୂର୍ଣ୍ଣଛେଦ ପଡ଼ିଥିବାବେଳେ ଆସନ୍ତା ଜାନୁଆରି ୨୩ରୁ ରାଉରକେଲାରୁ କୋଲକତା ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ବିମାନ ଉଡ଼ାଣ ସଂସ୍ଥା ଡିଜିସିଏ ଠାରୁ ଅନୁମତି ପାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିର ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ମାର୍ଚ୍ଚ, ୨୦୧୮ସୁଦ୍ଧା ଝାରସୁଗୁଡ଼ା, ଉତକେଲା, କୋରାପୁଟରୁ ବିମାନ ଉଡ଼ାଣ ହେବ। ଏନେଇ ସୁରକ୍ଷାକର୍ମୀକୁ ପ୍ରଶିକ୍ଷଣ ଦିଆଯାଇଥିବାବେଳେ ସମସ୍ତ ପ୍ରକାରର ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଯାଉଛି। ଏହାପରେ ଭୁବନେଶ୍ୱରରୁ ଉତକେଲା, ଉତକେଲା-ରାୟପୁର, ଭୁବନେଶ୍ୱର-ଜୟପୁର, ଭୁବନେଶ୍ୱର-ଝାରସୁଗୁଡ଼ା, ଝାରସୁଗୁଡ଼ା-ରାଞ୍ଚି, ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଉଡ଼ାଣ ଯୋଜନାରେ ବିମାନ ସେବା ଆରମ୍ଭ ହେବ। ଏହି ବିମାନ ଭଡ଼ା ୨,୫୦୦ଟଙ୍କା ରହିବ।
ଆଜିର ବୈଠକରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମୀନା, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, ପୁଲିସ ଆଇଜି ସନ୍ତୋଷ ବାଲା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।