ଦୁବାଇକୁ ବିମାନ ଉଡ଼ାଣ ବାଟ ଖୋଲୁଛି

ବେସରକାରୀ ସ୍ତରରେ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଆରମ୍ଭ

ଭୁବନେଶ୍ବର : ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡ଼ାଣ ଆରମ୍ଭ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଦି ଇଣ୍ଡସ୍ ଏଣ୍ଟରପ୍ରିନ୍ୟୁର୍ସ (ଟାଇ)ର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଏବଂ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ ସଂଘର ବରିଷ୍ଠ ସଦସ୍ୟ ପ୍ରିୟଦର୍ଶୀ ପାଣିଗ୍ରାହୀ ଏନେଇ ଇଣ୍ଡିଗୋର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ୱିଲି ବଲଟର୍‌, ମୁଖ୍ୟ ଯୋଜନା ଅଧିକାରୀ (ନେଟୱର୍କ ପ୍ଲାନିଂ) ମାଇକେଲ୍‌ ଆନ୍ଥୟ ସ୍ବିତେକଙ୍କୁ ନୂଆଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି। ଇଣ୍ଡିଗୋ ଏବେ ଭୁବନେଶ୍ବରକୁ ଘରୋଇ ବିମାନର ହବ୍ ଭାବେ ପରିଣତ କରିଥିବାରୁ ଏଠାରୁ ୟୁରୋପ ଏବଂ ପଶ୍ଚିମ ବିଶ୍ବର ବିଭିନ୍ନ ଦେଶକୁ ସଂଯୋଗ କରିବା ପାଇଁ ଦୁବାଇକୁ ସିଧା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଟାଇର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଭୁବନେଶ୍ବରରୁ କେତେ ଯାତ୍ରୀ ବାର୍ଷିକ ୟୁରୋପ ଏବଂ ପଶ୍ଚିମ ବିଶ୍ବକୁ ଯାଉଛନ୍ତି ତାର ତଥ୍ୟ ଦେବା ସହ ବ୍ୟବସାୟିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଭୁବନେଶ୍ବରର ଗୁରୁତ୍ବ ବିଷୟରେ କହିଥିଲେ। ଏହାସହ ଶ୍ରୀ ପଟ୍ଟନାୟକ ଭୁବନେଶ୍ବରରୁ ପୁଣେ, ବାରଣାସୀକୁ ବିମାନ ଉଡ଼ାଣ, ବୌଦ୍ଧ ପର୍ଯ୍ୟଟନ ଦୃଷ୍ଟିରୁ ବାରଣାସୀ-କଲମ୍ବୋ-ଭୁବନେଶ୍ବରକୁ ସଂଯୋଗ କରିବା, ସିଙ୍ଗାପୁରକୁ ବିମାନ ଉଡ଼ାଣ, ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ବିମାନକୁ ଝାରସୁଗୁଡ଼ା ଭାୟା ହୋଇ ଉଡ଼ାଣ, ଭୁବନେଶ୍ବରକୁ ଇଣ୍ଡିଗୋର ଅନ୍ତର୍ଜାତୀୟ ହବ୍‌ରେ ପରିଣତ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।

ଦୁବାଇ ଆବାସିକ ଓଡ଼ିଆ ସଂଘର ବରିଷ୍ଠ ପ୍ରତିନିଧି ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଏବେ ଦୁବାଇରେ ପ୍ରାୟ ୧୫ହଜାର ଓଡ଼ିଆ ରହୁଥିବା‌େ‌ବଳେ ନିୟମିତ ବହୁ ଲୋକ ଓଡ଼ିଶା ଆସୁଛନ୍ତି। ହେଲେ ଭୁବନେଶ୍ବରକୁ ସିଧା ବିମାନ ସଂଯୋଗ ନଥିବାରୁ କୋଲକାତା, ଦିଲ୍ଲୀ ଓ ମୁମ୍ବାଇ ହୋଇ ଆସୁଛନ୍ତି। ଇଣ୍ଡିଗୋ ଭୁବନେଶ୍ବର-ଦୁବାଇ ବିମାନ ଉଡ଼ାଣ କଲେ ପ୍ରବାସୀ ଓଡ଼ିଆମାନେ ଉପକୃତ ହେବେ। ମାସକୁ କେତେ ଓଡ଼ିଆ ଦୁବାଇ ଏବଂ ଏହା ଆଖପାଖ ଦେଶକୁ ଯାତାୟାତ କରୁଛନ୍ତି, ଏହି ରୁଟ୍‌ରେ ବିମାନ ଚାଲିଲେ ଅନ୍ୟ କେଉଁ ଦେଶକୁ ସୁବିଧାରେ ଯାତାୟାତ କରିହେବ, ଫ୍ଲାଇ ଏମିରେଟ୍‌ସ ବିମାନ ଉଡ଼ାଣ ସମୟ ସହିତ କିପରି ଏହାକୁ ସଂଯୋଗ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ।

ଇଣ୍ଡିଗୋ କର୍ତ୍ତୃପକ୍ଷ ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ସହମତି ଜଣାଇଛନ୍ତି। ଏନେଇ ସେମାନେ ଖୁବ୍ ଶୀଘ୍ର ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାର ଆଗ୍ରହ ଦେଖାଇଲେ ସେମାନେ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଫ୍ଲାଇ ଦୁବାଇ ୨୦୧୧ ମସିହାରୁ ଭୁବନେଶ୍ବରରୁ ବିମାନ ଉଡ଼ାଣ କରିବାକୁ ଉଦ୍ୟମ ଜାରି ରଖିଛି। ହେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମତି ମିଳୁ ନଥିବାରୁ ଏହା ସମ୍ଭବ ହେଉନି।

ସମ୍ବନ୍ଧିତ ଖବର