ତଳିଆ ଅଞ୍ଚଳରେ ବନ୍ୟା ଭୟ : ନରାଜରେ ବିପଦ ସଙ୍କେତ ପାଖରେ ମହାନଦୀ

ବିପଦ ସଙ୍କେତ ଉପରେ ବୈତରଣୀ, ଆଜି ହୀରାକୁଦ ୩ଲକ୍ଷ କ୍ୟୁସେକ୍‌ ଜଳ ଛାଡ଼ିବ, ଜୁଲାଇ ୨୯ରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ବର୍ଷା କମିଯାଇଛି। ହେଲେ ଏଯାଏ କିନ୍ତୁ ରାଜ୍ୟର ପ୍ରମୁଖ ନଦୀମାନଙ୍କର ତଳମୁଣ୍ଡରେ ବିପଦ ଟଳିନି। ମହାନଦୀର ଜଳସ୍ତର ନରାଜ ଠାରେ ବିପଦସଙ୍କେତ ନିକଟରେ ପ୍ରବାହିତ ହେଉଛି। ସେହିଭଳି ବୈତରଣୀର ଆଖୁଆପଦା ଠାରେ ବିପଦ ସଙ୍କେତ ସାମାନ୍ୟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।

ଅନ୍ୟପଟରେ ହୀରାକୁଦ ଜଳପତ୍ତନ ବୃଦ୍ଧି ପାଇଥିବା କାରଣରୁ ଆସନ୍ତାକାଲି ସକାଳେ ଗେଟ୍‌ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆଜି ଜଳସଂପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ବଡ଼ ବନ୍ୟାକୁ ରୋକିବା ଲାଗି ଯଥେଷ୍ଟ ଧ୍ୟାନ ଦିଆଯାଇଛି। ତଳମୁଣ୍ଡରେ ପାଣି ପହଞ୍ଚିବା ପରେ ଗେଟ୍‌ ଖୋଲାଯାଉଛି। ପାଖାପାଖି ୧୫ ଗେଟ୍‌ ଦେଇ ସେକେଣ୍ଡ ପ୍ରତି ୩ଲକ୍ଷ କ୍ୟୁସେକ୍‌ ପର୍ଯ୍ୟନ୍ତ ଜଳ ଛଡାଯିବ।

ଅନ୍ୟପକ୍ଷରେ ଆଜି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି ଆସନ୍ତା ୨୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ପାଇଁ କ୍ଷେତ୍ର ପ୍ରସ୍ତୁତି ହେଲାଣି। ଏଣୁ ଲୋକଙ୍କ ଦୁର୍ଦଶା ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିସହିତ ଚଳିତବର୍ଷର ପ୍ରଥମ ବଡ଼ ବର୍ଷାରେ ୧୪ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁ ପ୍ରସାଦ ସେଠୀ କହିଛନ୍ତି।

ତେବେ ଏହି ବର୍ଷା ଓ ବନ୍ୟାରେ କଳାହାଣ୍ଡିରେ ସର୍ବାଧିକ ୫ ଓ ସମ୍ବଲପୁରରେ ୨ ଜଣଙ୍କ ସମେତ ମୋଟ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼, ଯାଜପୁର, କନ୍ଧମାଳ, କୋରାପୁଟ ଓ ସୋନପୁରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ମହାନଦୀ ସମେତ ବିଭିନ୍ନ ନଦୀର ତଳମୁଣ୍ଡରେ ହୋଇଥିବା ବଡ଼ ବର୍ଷା ଏବେ ରାଜ୍ୟର ପ୍ରମୁଖ ନଦୀମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ମହାନଦୀ ସ୍ଥିତି ଟିକିଏ ଅଧିକ ଗମ୍ଭୀର ହୋଇଥିଲା ଏଇଥିପାଇଁ ଯେ ହୀରାକୁଦର ଗେଟ୍‌ ଖୋଲାଯାଇ ନଥିଲେ ହେଁ ଏହାର ତଳମୁଣ୍ଡରେ ଭାରି ବର୍ଷା ହୋଇଥିଲା। ଜଳସଂପଦ ସଚିବ ଶ୍ରୀ ଜେନା କହିଛନ୍ତି, ହୀରାକୁଦରୁ ସୋନପୁର ମଧ୍ୟରେ ସେକେଣ୍ଡ ପ୍ରତି ପାଖାପାଖି ସାଢେ ଚାରିଲକ୍ଷ କ୍ୟୁସେକ୍‌ ଜଳ ମହାନଦୀରେ ପ୍ରବାହିତ ହୋଇଥିଲା। ପୁଣି ତେଲ ନଦୀରୁ ପାଖାପାଖି ୨ଲକ୍ଷ ୩୦ ହଜାର କ୍ୟୁସେକ୍‌ ଜଳ ମିଶିବା ଫଳରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଜି ମୁଣ୍ଡୁଳି ଦେଇ ସର୍ବାଧିକ ୭ଲକ୍ଷ ୩୦ ହଜାର ୮୭୭ କ୍ୟୁସେକ୍‌ ଜଳ ପ୍ରବାହିତ ହୋଇଛି। ରାତି ୯ଟା ବେଳକୁ ଏହା ହ୍ରାସ ପାଇ ସେକେଣ୍ଡ୍‌ ପ୍ରତି ୬ ଲକ୍ଷ ୯୦ ହଜାର କ୍ୟୁସେକ୍‌ ଜଲ ମୁଣ୍ଡଳି ଅତିକ୍ରମ କରୁଛି। ଏହାଦ୍ୱାରା କିଛି ତଳିଆ ଅ଼ଞ୍ଚଳରେ ପାଣି ପଶିପାରେ, କିନ୍ତୁ ବ଼଼ଡ଼ ବିପଦ ନାହିଁ। ହୀରାକୁଦରୁ ଜଳ ମୁଣ୍ଡଳି ପହଞ୍ଚିବା ବେଳକୁ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିସାରିଥିବ ବୋଲି କୁହାଯାଇଛି।

ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ତଥ୍ୟ ଅନୁସାରେ କଟକର ନରାଜଠାରେ ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ରାତି ୯ଟା ସୁଦ୍ଧା ଜଳସ୍ତର ୨୫.୮୮ ମିଟର ରହିଛି ଓ ଧୀରେ ଧୀରେ କମୁଥିବା ପରିଲକ୍ଷିତ ହେଉଛି। କିନ୍ତୁ ମହାନଦୀର ଉପରମୁଣ୍ଡରେ ଜଳସ୍ତର କମିଗଲାଣି।

ମହାନଦୀର ଶାଖା ନଦୀ ଦେବୀର ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଆଳିପିଙ୍ଗଳଠାରେ ବିପଦସଙ୍କେତଠାରୁ ୩ ମିଟର ତଳେ ରହିଛି।। କୁଶଭଦ୍ରାରେ ଜଳସ୍ତର ହ୍ରାସ ପାଉଛି। ଇବ୍‌ ନଦୀର ଜଳସ୍ତର ସୁନ୍ଦରଗଡ଼ଠାରେ ବଢୁଥିଲେ ହେଁ ବିପଦ ସଙ୍କେତର ୪ ମିଟର ତଳେ ପ୍ରବାହିତ ହେଉଛି।

ବ୍ରାହ୍ମଣୀ ନଦୀର ଜଳସ୍ତର ପାନପୋଷ ଠାରେ ବଢ଼ୁଥିଲେ ମଧ୍ୟ ଜେନାପୁରଠାରେ ସ୍ଥିର ରହିଛି। ବୈତରଣୀ ନଦୀର ଜଳସ୍ତର ଯାଜପୁରର ଆଖୁଆପଦାଠାରେ ବିପଦସଙ୍କେତଠାରୁ ସାମାନ୍ୟ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ଥିବା ବେଳେରାତି ୯ଟା ସୁଦ୍ଧା ଏଠାରେ ଜଳସ୍ତର ୧୮ ମିଟର ରହିଛି, ବଢ଼ୁଛି। କେନ୍ଦୁଝରର ଆନନ୍ଦପୁରଠାରେ କିନ୍ତୁ ବୈତରଣୀ ନଦୀ ବିପଦ ସଙ୍କେତଠାରୁ ଦୁଇ ମିଟର ତଳେ ରହିଛି। ଏଠାରେ ଜଳସ୍ତର ହ୍ରାସ ପାଉଛି। ଏହି ତିନି ପ୍ରମୁଖ ନଦୀ ବ୍ୟତୀତ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା, ଜଳକା ନଦୀ ଜଳସ୍ତର ବିପଦ ସଙ୍କେତଠାରୁ ବହୁ ତଳେ ପ୍ରବାହିତ ହେଉଛି। ତେଣୁ ଏହି ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ଟଳିଛି।

ତଥ୍ୟ ଅନୁସାରେ, ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୬.୭୫ ମିଟର ରହିଛି। ରାତି ୯ଟା ବେଳେ ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୪ ହଜାର ୪୪୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ସକାଳ ୯ଟାରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫ ହଜାର ୩୫୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ରାତି ୯ଟା ସୁଦ୍ଧା ଖଇରମାଳଠାରେ ୨ ଲକ୍ଷ ୧୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳଠାରେ ୩ ଲକ୍ଷ ୭୫ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଏହାଦ୍ୱାରା ମହାନଦୀର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ବିଶେଷକରି କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଧା, ପୁରୀ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଉପୁଜିଛି।

ସରକାରୀ ତଥ୍ୟ ଅନୁସାରେ, ଚଳିତ ବର୍ଷାରେ ରାଜ୍ୟର ୧୪ଟି ଜିଲ୍ଲାର ୬୨ଟି ବ୍ଲକ ପ୍ରଭାବିତ ହୋଇଛି। ଅନୁଗୁଳ ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ ବୌଦ୍ଧର ୩, ବରଗଡ଼ର ୪, ଦେବଗଡ଼ର ୨, କଳାହାଣ୍ଡିର ୧୧, କନ୍ଧମାଳର ୭, କୋରାପୁଟର ୧୨, ରାୟଗଡ଼ାର ୩, ସମ୍ବଲପୁର ୯, ସୋନପୁରର ୨ ଓ ପୁରୀର ୫ଟି ବ୍ଲକ ପ୍ରଭାବିତ ହୋଇଛି। ଏଥିସହ ଯାଜପୁର ମ୍ୟୁନିସିପାଲଟିର ଦୁଇଟି ଓ୍ଵାର୍ଡ, ଖୋର୍ଧା ଜିଲ୍ଲାର ଭୁବନେଶ୍ୱର ପ୍ରଭାବିତ ହୋଇଛି। ନୟାଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ସୂଚନା ମିଳିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମାଲକାନଗିରିରେ ଗୋଟିଏ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ହୋଇଥିବା ବେଳେ ଭୁବନେଶ୍ୱରରେ ୨ଟି, ପୁରୀ ସହର ଓ ସମ୍ବଲପୁରରେ ୨ଟି ଲେଖାଏ, କଟକ, ଯାଜପୁର, ଭଦ୍ରକର ଆରଡି, ଯାଜପୁର ସହରରେ ଓଡ୍ରାଫ୍‌ ନିୟୋଜିତ ଅଛନ୍ତି। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର(ବଡଚଣା ବ୍ଲକ), ପୁରୀ, ଜଗତ୍‌ସିଂହପୁରରେ ଗୋଟିଏ ଲେଖାଏ ଏନ୍‌ଡିଆରଏଫ୍‌ ଟିମ୍‌ ନିୟୋଜିତ ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି, ମଙ୍ଗଳବାରଠାରୁ ପାଗ ଶୁଖିଲା ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସେଭଳି ବର୍ଷାର ସମ୍ଭାବନା ନାହିଁ। ଆଜି ଦିନତମାମ ସାରା ଓଡ଼ିଶାରେ ପାଗ ଶୁଖିଲା ରହିଥିଲା। କୋରାପୁଟ, ଝାରସୁଗୁଡ଼ା, ସମ୍ବଲପୁରର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି।

ତେବେ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଆସନ୍ତା ସପ୍ତାହ ଆରମ୍ଭରେ ଓଡ଼ିଶା ଉପକୂଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଚିତ୍ର ମିଳି ନାହିଁ। ତଥାପି ଆକଳନ କରାଯାଉଛି ଯେ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ଲଘୁଚାପ ହୋଇପାରେ। ଏମିତି ହେଲେ, ଜୁଲାଇ ୨୯ରୁ ପୁଣିଥରେ ବର୍ଷାର ପରିମାଣ ବଢ଼ିବ।

ସମ୍ବନ୍ଧିତ ଖବର