ବୈତରଣୀରେ ଜଳସ୍ତର କମୁଛି : ଭଦ୍ରକରେ ବହୁ ଅଞ୍ଚଳ ଏବେ ବି ଜଳବନ୍ଦୀ, ଯାଜପୁରରେ ୧୫ଶହ ହେକ୍ଟର ଚାଷଜମି ଜଳମଗ୍ନ

ଭଦ୍ରକ/ଦଶରଥପୁର : ଉପର ମୁଣ୍ଡରେ ବର୍ଷା ପ୍ରକୋପ କମିଥିବାରୁ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଛି। ଏବେ ବି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗରର ବ୍ୟାପକ ଅଞ୍ଚଳ ଜଳବନ୍ଦୀ ହୋଇରହିଛି। ତେବେ, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକରେ ବୈତରଣୀ ନଦୀ ଏବଂ ଏହାର ଶାଖା କାଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଏହି ଜିଲ୍ଲା ଅନ୍ତର୍ଗତ ଦଶରଥପୁର ଅଞ୍ଚଳର ୧୫ ଶହ ହେକ୍ଟର ଚାଷଜମି ଏବେ ବି ଜଳମଗ୍ନ ରହିଛି।

ହସ୍ତଗତ ରିପୋର୍ଟ ଅନୁଯାୟୀ, ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗରର ବ୍ୟାପକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। କଣ୍ଟିଘାଇ ଦେଇ ବନ୍ୟାଜଳ ପ୍ରବେଶ ଜାରି ରହିଛି। ବୈତରଣୀ ନଦୀର ମଲ୍ଲୀମାହାରା ଓ ଗୌରାଙ୍ଗପୁର ଏବଂ ଗେଙ୍ଗୁଟୀ ନଦୀର କନକେଇ, ମଠମାହାରା, ଗାଈଛନ୍ଧା ଏସକେପ୍‌ରୁ ବନ୍ୟାଜଳ ବାହାରି ଶହଶହ ଏକର ଚାଷଜମିକୁ ମାଡିଯାଇଛି । ବନ୍ୟା ପାଣି ବିଭିନ୍ନ ଏସକେପ୍‌, ଶାଖା କୋଚିଳା ଏବଂ ଗେଙ୍ଗୁଟି ଦେଇ ଧାମନଗର ବ୍ଲକର ବ୍ୟାପକ ଅଞ୍ଚଳକୁ ବୁଡ଼ାଇ ରଖିଛି। ରବିବାର ରାତି ସୁଦ୍ଧା ବନ୍ୟାଜଳ ବ୍ଲକ୍‌ର ତଳିଆ ଅଞ୍ଚଳକୁ ପ୍ରବେଶ କରିବାର ଆଶଙ୍କା ରହିଛି। ଶନିବାର ମଧ୍ୟରାତ୍ରିରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଡେଇଁ ୧୮.୨୯ ମିଟରରେ ପହଞ୍ଚଥିଲା। ତେବେ ଏହା କ୍ରମଶଃ ସ୍ଥିର ହୋଇ କମିବାକୁ ଆରମ୍ଭ କରିଛି। ରବିବାର ସନ୍ଧ୍ୟା ସୁଦ୍ଧା ଭଦ୍ରକର ଆଖୁଆପଦା ଆନିକଟଠାରେ ବିପଦ ସଂକେତଠାରୁ କମ୍‌ରେ ପ୍ରବାହିତ ହେଉଛି ବୈତରଣୀ। ଏଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ରିର୍ପୋଟ ଲେଖା ହେଲାବେଳକୁ ଜଳସ୍ତର ୧୭.୭୨ ମିଟର ଥିବା ଜଣାପଡ଼ିଛି। ଜଳସ୍ତର ଘଣ୍ଟାପ୍ରତି ୨ ସେମି ବେଗରେ ହ୍ରାସ ପାଉଥିବା ନେଇ ଜଳସମ୍ପଦ ବିଭାଗ, ଆଖୁଆପଦା ବନ୍ୟା ନିୟନ୍ତ୍ରଣ କକ୍ଷ ସୂଚନା ଦେଇଛି। ତେବେ ବୈତରଣୀର ଜଳସ୍ତର ହ୍ରାସ ପାଉଥିବାରୁ କୋଚିଳା ଓ ଗେଙ୍ଗୁଟୀ ନଦୀର ଜଳସ୍ତର ଆଜି ବିଳମ୍ବିତ ରାତିରୁ ହ୍ରାସ ପାଇବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଲଗାଣ ବର୍ଷା ଯୋଗୁଁ ଦଶରଥପୁର ବ୍ଲକ ବେହାଲ ହୋଇପଡିଛି। ଘାଇ ମରାମତି କରାଯାଇନଥିବାରୁ କାଣି ନଦୀର ବନ୍ୟା ଜଳ ବହୁ ଚାଷ ଜମିକୁ ବୁଡାଇ ଦେଇଛି। ଦଶରଥପୁର ବ୍ଲକରେ ବୈତରଣୀ ନଦୀ ଏବଂ ଏହାର ଶାଖା କାଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି। ଜଳସଂପଦ ବିଭାଗର ସୂଚନା ଅନୁସାରେ, ଦଶରଥପୁର ଠାରେ ବୈତରଣୀର ବିପଦ ସଂକେତ ୯.୫ମିଟର ରହିଥିବା ବେଳେ ସଂଧ୍ୟା ୭ଟା ସୁଦ୍ଧା ଏଠାରେ ୧୦.୯ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ସେହିପରି ଶାଖା ନଦୀ କାଣୀରେ ବିପଦ ସଂକେତ ୭.୫ମିଟର ରହିଥିବାବେଳେ ଆଜି ସଂଧ୍ୟା ୭ଟା ସୁଧା ଏଠାରେ ୯.୪ମିଟର ଉଚ୍ଚରେ ବନ୍ୟା ଜଳ ପ୍ରଭାବିତ ହେଉଛି । ବନ୍ୟା ଯୋଗୁଁ ଜନବସତି ଅଞ୍ଚଳରେ ପାଣି ପଶି ନଥିଲେ ମଧ୍ୟ ଚାଷ ଜମି ସବୁ ବୁଡ଼ିଯାଇଛି। ୧୫ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର