ବୈତରଣୀରେ ବନ୍ୟା: ଭଦ୍ରକ ଜିଲ୍ଲାର ୪୦୦ ଗାଁ ଜଳବନ୍ଦୀ, ୧୦,୦୦୦ ହେକ୍ଟର ଚାଷ ଜମି ଜଳମଗ୍ନ

କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର/ଭଦ୍ରକ: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ନଦୀରେ ଶନିବାର ବନ୍ୟା ଦେଖାଯାଇଛି। ଭଦ୍ରକ ଜିଲ୍ଲାର ୪୦୦ ଗାଁ ଜଳବନ୍ଦୀ ହୋଇ ଯାଇଥିବା ବେଳେ ୧୦,୦୦୦ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଯାଇଛି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକରେ ୩ ହଜାର ହେକ୍ଟର ଓ ଧଶମନଗର ବ୍ଲକରେ ୪୦୦୦ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଯାଇଛି। ଜିଲ୍ଲାରେ ୨ଟି ଏନଡିଆରଏଫ ଟିମ୍‌ ମୁତୟନ ହୋଇଛନ୍ତି। ବୈତରଣୀ ନଦୀର ଆଖୁଆପଦାରେ ଆଜି ସକାଳୁ ବିଦଦ ସଂକେତ ୧୮.୪୮ ମିଟର ଥିବା ବେଳେ ସନ୍ଧ୍ୟାରେ ୧୮.୨୦ ମିଟର ରହିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପାଇଁ ସତର୍କତା ମୂଳକ ପଦକ୍ଷେପ  ନିଆଯାଇଛି। ଜରୁରୀକାଳୀନ ପରିସ୍ଥିତି ମୁକାବିଲା କରିବାକୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ଓଡ୍ରାଫ, ଅଗ୍ନିଶମ ସେବା ଓ ଏନଡିଆରଏଫ ଟିମ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ଯାଜପୁରରେ ୧ ଓଡ୍ରାଫ ଟିମ୍‌ ଓ ୧ ଏନଡିଆରଫ ଟିମ୍‌ ପ୍ରସ୍ତୁତ ଥିବା ବେଳେ କେନ୍ଦ୍ରାପଡ଼ାରେ ଗୋଟିଏ ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି। ଏହି ୪ଟି ଜିଲ୍ଲାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସତର୍କ ରହିଛନ୍ତି। ପାଓ୍ଵାରବୋଟ ଓ ଦେଶୀ ଡଙ୍ଗାର ବ୍ୟବହାର କରି ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବାକୁ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି। ଯାଜପୁର ଓ ଭଦ୍ରକରେ ୬ଟି ଲେଖାଏଁ ପାଓ୍ଵାର ବୋଟ ରଖାଯାଇଛି।

ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳକୁ ମଧ୍ୟ ପ୍ରସ୍ତୁତ କରାଯିବା, ରୋଷେଇ ଖାଦ୍ୟ, ପିଇବା ପାଣି, ଔଷଧ ଆଦି ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଶନିବାର ଓ ରବିବାର ସରକାରୀ ଛୁଟି ଘୋଷଣା କରାଯାଇଛି।

ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକରେ ୩୦୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ବ୍ଲକରେ ୨୬ଟି ମାଗଣା ରୋଷେଇ କେନ୍ଦ୍ର ଓ ଧର୍ମଶାଳା ବ୍ଲକରେ ୯ଟି ମାଗଣା ରୋଷେଇ କେନ୍ଦ୍ର ଖୋଲା ଯାଇଛି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ୧୦ଟି ଗ୍ରାମପଞ୍ଚାୟତର ଲୋକେ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମାଲଦା ପଞ୍ଚାୟତର ରାମପୁର ଓ ସରଣାରେ ମାଗଣା ରୋଷେଇ କେନ୍ଦ୍ର ଖୋଲା ଯାଇଛି।

ସମ୍ବନ୍ଧିତ ଖବର