ଗଙ୍ଗାହାରରେ ବନ୍ୟା; ଫୁଲୁଛି ବୁଢ଼ାବଳଙ୍ଗ

ବିତନୁ ପୋଲ ଉପରେ ୫ ଫୁଟ୍‌ ଉଚ୍ଚର ପାଣି, ଉଦଳା-ମାଣତ୍ରୀ ଯୋଗାଯୋଗ ବିଚ୍ଛିନ୍ନ

ବଡ଼ସାହି/ମାଣତ୍ରୀ : ଲଗାଣ ବର୍ଷ ଫଳରେ ବଡ଼ସାହି ବ୍ଲକ୍‌ ଦେଇ ପ୍ରବାହିତ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ତେବେ ବୁଢ଼ାବଳଙ୍ଗ ବିପଦ ସଙ୍କେତର ସାମାନ୍ୟ ତଳେ ପ୍ରବାହିତ ହେଉଥିଲାବେଳେ ଗଙ୍ଗାହାର ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଙ୍ଗାହାର ନଦୀର ବିତନୁ ପୋଲ ଉପରେ ୫ ଫୁଟ୍‌ ଉଚ୍ଚର ପାଣି ଚାଲୁଥିବା ବେଳେ ଉଦଳା-ମାଣତ୍ରୀ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ଯାଇଛି।

ଗଙ୍ଗାହାର ନଦୀରେ ବନ୍ୟାଜଳ ବଡ଼ସାହି ବ୍ଲକ୍‌ର ତଳିଆ ଅଞ୍ଚଳରେ ପ୍ରବେଶ କରିଛି। ବ୍ଲକ୍‌ର ଶାଳଗାଁ, ନରଣଗାଁ, ପାଳପାଟଣା, ଡୁମୁରିଆ, ଭୁରୁଡ଼ିଆ, ଆଗରିଆ, ନୁଣକୁଆ, ଜଡ଼ିଦା, ଶିମିଳିଡ଼ାହି, ମଙ୍ଗଳପୁର, କୁଣ୍ଡିସାହି, ଭୀମଦା, ଆଜଡ଼ିହି ପ୍ରଭୃତି ଗ୍ରାମ ପାଣି ଘେରରେ ରହିଛି। ସେହିପରି ମାନଗୋବିନ୍ଦପୁର ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ଷା ଲାଗି ରହିଥିବାରୁ ରାତିରେ ବନ୍ୟାପାଣି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯାହାକୁ ନେଇ ତଳିଆ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଇଥିବା ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ କହିଛନ୍ତି। ସଦର ଉପଜିଲ୍ଲାପାଳ, ତହସିଲଦାର ଅମିୟ କୁମାର ରାଉତ, ଜିପିଇଓ ପଞ୍ଚାନନ ମହାପାତ୍ର ଓ ବିଭାଗୀୟ କର୍ମଚାରୀମାନେ ବନ୍ୟାପ୍ଲାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପୀଡ଼ିତଙ୍କୁ ତୁରନ୍ତ ସହାୟତା ପାଇଁ ପ୍ରଶାସନ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର