କଲ୍ୟାଣୀ ନଦୀରେ ବନ୍ୟା : ଅସ୍ଥାୟୀ ପୋଲ ଭାସିଗଲା

କଲ୍ୟାଣସିଂହପୁର : ନାଗାବଳୀ ନଦୀରେ ବନ୍ୟା ହେବା ଫଳରେ ଏହା ଶାଖା କଲ୍ୟାଣ ନଦୀରେ ନିର୍ମିତ ଏକ ଅସ୍ଥାୟୀ ପୋଲ ଭାସି ଯାଇଛି। ଫଳରେ, ରାୟଗଡ଼ା ଜିଲ୍ଲାର ୬ଟି ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ଗତବର୍ଷ ଜୁଲାଇ ମାସରେ କଲ୍ୟାଣୀ ନଦୀରେ ବନ୍ୟା ଆସିବା ଫଳରେ କଲ୍ୟାଣସିଂହପୁର ବ୍ଲକ ମହକୁମାକୁ ସଂଯୋଗ କରୁଥିବା ଏକ ପୋଲ ଭାସି ଯାଇଥିଲା। ଏହାପରେ ସ୍ଥାୟୀ ପୋଲ ନିର୍ମାଣ ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଲୋକେ ପାଣିରେ ପଶି ଯାତାୟାତ କରୁଥିଲେ। ଏପରିକି ରୋଗୀ ଏବଂ ଗର୍ଭବତୀଙ୍କୁ କାନ୍ଧରେ ବୋହି ଲୋକେ ନଦୀ ପାର ହେବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାପରେ ପରିସ୍ଥିତିରୁ ମୁକୁଳିବା ପାଇଁ ପ୍ରଶାସନ ୭ ଲକ୍ଷ ଟଙ୍କା ବିନିମୟରେ ପଥର, ମାଟି ଏବଂ ହ୍ୟୁମ ପାଇପ୍‌ ପକାଇ ଏଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲା। ମାତ୍ର, ଉପରମୁଣ୍ଡରେ ବର୍ଷା ହେବା ଫଳରେ ଏହି ପୋଲ ଏବେ ଧୋଇଯାଇଛି। ଫଳରେ, ଏବେ ବ୍ଲକର ୬ଟି ପଞ୍ଚାୟତରେ ବସବାସ କରୁଥିବା ୨୦ହଜାର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେମାନଙ୍କ ପାଇଁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ସମ୍ବନ୍ଧିତ ଖବର