ମାଲକାନଗିରି ବୁଡ଼ିଲା

ବାଲିମେଳା ଜଳଭଣ୍ଡାର ୪ଗେଟ୍‌ ଖୋଲିଲା, ଜାନବାଇ ମେଡିକାଲରେ ପାଣି ପଶିଲା, ୭ଶହରୁ ଅଧିକ ଲୋକ ଉଦ୍ଧାର, କାନ୍ଥ ଭୁଶୁଡ଼ି ୫ ଆହତ

ମାଲକାନଗିର : ମାଲକାନଗିରି ଜିଲ୍ଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ପ୍ରଭାବରେ ଗତକାଲି ସଂଧ୍ୟାରୁ ଜିଲ୍ଲାର ପ୍ରତ୍ୟେକ ଭାଗରେ ବର୍ଷା ଆରମ୍ଭ ହୋଇଥିଲା। ବିଳମ୍ବିତ ରାତିରେ ବର୍ଷାର ପରିମାଣ ବଢ଼ିଥିଲା। ଜିଲ୍ଲା ଦେଇ ପ୍ରବାହିତ ପ୍ରମୁଖ ନଦୀ ଗୁଡ଼ିକ ଫୁଲି ଯାଇ ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଛି। କିଛି ଘଣ୍ଟାର ଲଗାଣ ବର୍ଷା ପରେ ବନ୍ୟା ଜଳରେ ଉବୁଟୁବୁ ହେଉଛି ପୂରା ଜିଲ୍ଲା। ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। କାଲିମେଳା ବ୍ଲକର ପଟେରୁ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ମାଲକାନଗିରିରୁ ବାଲିମେଳା ଓ କାଲିମେଳା, କାଲିମେଳାରୁ ପଡିଆ ଓ ମୋଟୁ ଅଞ୍ଚଳକୁ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ବହୁ ଗାଁରେ ପାଣି ପଶି ଯିବାରୁ ହଜାରରୁ ଊର୍ଧ୍ୱ ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ରାସ୍ତାଘାଟ ସବୁ ଜଳମଗ୍ନ ହୋଇ ରହିଥିବାରୁ ଦୁର୍ଗମ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରିନାହିଁ। ତେଣୁ ବହୁ ଲୋକ ପାଣି ଘେରରେ ରହିଥିବା ସୂଚନା ମିଳିଛି। ଅସ୍ୱାଭାବିକ ଭାବେ ବାଲିମେଳା ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରୁ ଆଜି ସକାଳେ ୪ଟି ଗେଟ୍‌ ଖୋଲି ବନ୍ୟା ଜଳ ନିଷ୍କାସନ କରାଯାଇଛି।

ଆଜି ସକାଳୁ ବର୍ଷାର ପରିମାଣ କମିଥିଲେ ବି ଅନେକ ଅଞ୍ଚଳକୁ ଯୋଗାଯୋଗ ହୋଇପାରି ନାହିଁ। ଗତକାଲି ରାତିରେ ପୋଟେରୁ ଅଂଚଳର ଅନେକ ଘରେ ପାଣି ପଶି ଯାଇଥିଲା। ରାତିରେ ଉଦ୍ଧାର କାର୍ଯ୍ୟ ହୋଇପାରି ନଥିବାରୁ ପ୍ରାୟ ୧୨ଘଣ୍ଟା ଧରି ଏହି ଅଞ୍ଚଳର ଲୋକ ଜଳବନ୍ଦୀ ହୋଇ ରହିଥିଲେ। ସେହିପରି ଏମଭି-୧୧ ରାସ୍ତାରେ ୧୦ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେବାରୁ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପୋଟେରୁ ନଦୀର ପ୍ରଖୋର ସ୍ରୋତ ଯୋଗୁଁ ପୋଟେରୁ ପୋଲ ଉପରେ ପାଞ୍ଚ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ଯାହାଫଳରେ ପୋଲର ଦୁଇ ପଟେ ଶହ ଶହ ଲୋକ ଫସି ରହିଥିଲେ। ମାଲକାନଗିରି ଜିଲ୍ଲା ମହକୁମାରେ ବି ବହୁ ସମୟ ଧରି ବର୍ଷା ଜଳ ନିଷ୍କାସିତ ହୋଇ ନପାରି ଜମି ରହିଥିଲା। ସଂଧ୍ୟା ସୁଦ୍ଧା ବହୁ ଅଞ୍ଚଳକୁ ଯୋଗାଯୋଗ ହୋଇପାରୁ ନଥିବାରୁ କ୍ଷୟକ୍ଷତି ସଂପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ତଥାପି ଶତାଧିକ ଏକର ଚାଷ ଜମି ଏବଂ ଘରେ ପାଣି ପଶି କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି। ସେହିପରି ଘର କାନ୍ଥ ଭୁଶୁଡ଼ି ପଡ଼ିଆରେ ୨ଜଣ ଏବଂ ତାର୍ଲାକୋଟାରେ ୩ଜଣ ଆହତ ହୋଇଛନ୍ତି। ଜାନବାଇ ମେଡିକାଲରେ ବି ପାଣି ପଶିଯିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା।

ଏମଭି-୩ ବିଏସଏଫ କ୍ୟାମ୍ପ ନିକଟସ୍ଥ ଗୋଟିଏ ସାହି ବୁଡ଼ି ଯାଇଛି। ଏମଭି-୨, ଏମଭି-୧୧, ଏମଭି-୩୭, ତାର୍ଲାକୋଟା, ପୋଟେରୁ, ଏମଭି-୯୦, କାଙ୍ଗରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ, କସିଗାଡ, ସପ୍ତଧାରା ସାବେରୀ, ଉଣ୍ଡୁରୁକୋଣ୍ଡା ଆଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମାଲକାନଗିରି ନିକଟସ୍ଥ ଏମଭି-୭ ସ୍ଥିତ ଜଦୁଗୁଡା ମେଗା ନର୍ସରି ଧୋଇ ଯାଇଛି। ଜଦୁଗୁଡାରେ ରହିଥିବା ପାର୍କ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ହଠାତ୍‌ ବନ୍ୟା ପାଣି ନର୍ସରି ଭିତରକୁ ପଶି ଯିବାରୁ ଜଗୁଆଳି ଦୀପକ ସରକାରଙ୍କ ପରିବାର ରାତି ତମାମ ଜଳବନ୍ଦୀ ହୋଇ ରହିଥିଲେ। ସକାଳେ ବନ ବିଭାଗ ଖବର ପାଇ ମଟର ବୋଟ ଯୋଗେ ଉଦ୍ଧାର କରିଥିଲେ। ପୋଟେରୁ ନଦୀରେ ଜଳସ୍ତର ବଢିବାରୁ ପୋଟେରୁ ଗ୍ରାମ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ଘରେ ପାଣି ପଶିଯିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେଇଛନ୍ତି। କିଛି ଲୋକ ଡଙ୍ଗାରେ ଆବଶ୍ୟକ ସାମଗ୍ରୀ ନେଇ ଗାଁ ବାହାରକୁ ଯିବା ପାଇଁ ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ବାଲି ସାଗର ଭର୍ତି ହୋଇଯିବାରୁ ମାଲକାନଗିରି ସହରରେ ପ୍ରାୟ ୪ ଫୁଟ ପାଣି ରହିଥିବା ଦେଖିବାକୁ ମିଳିଥିଲା।

ଜିଲ୍ଲାରେ ସ୍ଥିତି ସଂଗିନ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ସକଳେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇ ଆଲର୍ଟ ଜାରି କରି ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍‌କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସହ ସମସ୍ତ ଅଧିକାରୀଙ୍କୁ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ ସଦର ମହକୁମାରେ ରହିବାକୁ କୁହାଯାଇଛି। ସେହିପରି ନଦୀ ଘାଟ ଗୁଡିକରେ ମଟର ବୋଟ ଯୋଗାଇବା ସହ ଲାଇଫ ଜ୍ୟାକେଟ ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦେଶ ଦିଆଯାଇଛି। ଆଜି ସକାଳ ସୁଦ୍ଧା ଜିଲ୍ଲାରେ ୧୧୬୩.୮ମିମି ବର୍ଷା ରେକର୍ଡ କରାଯାଇଛି। ସତୀଗୁଡା ଏବଂ ବାଲିମେଳା ଜଳଭଣ୍ଡାର ଜଳସ୍ତର ବିପଦ ସଂକେତ ଟପିଥିବା ନେଇ ସୂଚନା ମିଳିଛି। ଜିଲ୍ଲା ଜରୁରି ଅଧିକାରୀ ତଥା ସରକାରୀ ଜିଲ୍ଲା ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ଜିଲ୍ଲାରେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫର ଗୋଟିଏ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୭ଶହରୁ ଊର୍ଧ୍ୱ ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରେ ରଖି ଖାଇବା ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ପାଣି କମିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର