ଟଳିଗଲା ‘ଡାଏ’ ଡର : ଅସ୍ତବ୍ୟସ୍ତ କଲା ବର୍ଷା

୬୦ କିମି ରହିଲା ପବନର ବେଗ, ୭ ଦିନିଆ ରିଲିଫ୍‌ ଘୋଷଣା, ବିପଦ ସଙ୍କେତ ଉପରେ ଜଳକା, ବଢ଼ୁଛି ବୈତରଣୀ, ବୁଢ଼ାବଳଙ୍ଗ

ଭୁବନେଶ୍ୱର : ଟଳିଲା ବାତ୍ୟା ବିପଦ। ଗତ ୨୪ ଘଣ୍ଟା ଧରି ଓଡ଼ିଶାବାସୀଙ୍କୁ ଡରାଇଥିବା ବାତ୍ୟା ‘ଡାଏ’ ଆଜି ଅପରାହ୍ନରେ ଓଡ଼ିଶା ଅତିକ୍ରମ କରିଛି। ପ୍ରଭାବରେ ଓଡ଼ିଶା ଉପକୂଳରେ ୫୦ରୁ ୬୦ କିମି ବେଗରେ ପବନ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ୨୪ ଘଣ୍ଟାର ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

ଡିପ୍‌-ଡିପ୍ରେସନ୍‌ ରୂପ ନେବା ପରେ ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳ ଛୁଇଁଥିଲା ‘ଡାଏ’। ଧୀରେ ଧୀରେ ଏହା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଅତିକ୍ରମ କରିଥିଲା। ଶୁକ୍ରବାର ଅପରାହ୍ନ ପ୍ରାୟ ଗୋଟାଏ ସୁଦ୍ଧା ବାତ୍ୟା ‘ଡାଏ’ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼କୁ ସ୍ପର୍ଶ କରିବା ପରେ ଓଡ଼ିଶା ଉପରୁ ଭୟ ଟଳିଥିଲା। ପ୍ରାୟ ୧୨ ଘଣ୍ଟା ଧରି ବାତ୍ୟାର ପ୍ରକୋପ ଓଡ଼ିଶା ଉପରେ ରହିଥିଲା। ପବନର ବେଗ କମ୍‌ ଥିବା ବେଳେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଥିଲା।

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ଯେ ଶନିବାର ସକାଳ ୮ଟା ସୁଦ୍ଧା ରାୟଗଡ଼ା ସମେତ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହାପରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି।

ଶୁକ୍ରବାର ରାଜ୍ୟରେ ହାରାହାରି ୪୯.୬ ମିମି ବର୍ଷା ହୋଇଛି। ମାଲକାନଗିରି ଓ ବାଲେଶ୍ୱରରେ ଶହେରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରିରେ ସର୍ବାଧିକ ୧୬୬.୩ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୧୧୨.୫ ମିମି ବର୍ଷା ହୋଇଛି। କୋରାପୁଟରେ ୯୨.୩, ମୟୂରଭଞ୍ଜରେ ୭୯.୬, ଢ଼େଙ୍କାନାଳରେ ୭୦.୮, ଭଦ୍ରକରେ ୬୨.୫, କେନ୍ଦୁଝରରେ ୬୧.୫, ନୟାଗଡ଼ରେ ୫୯.୫, କନ୍ଧମାଳରେ ୫୯.୫, କଟକରେ ୫୮.୧, ଯାଜପୁରରେ ୫୭.୮, ଅନୁଗୁଳରେ ୫୬.୫ ଓ ନୂଆପଡ଼ାରେ ୫୨.୯ ମିମି ବର୍ଷା ହୋଇଛି। ୧୨ଟି ଜିଲ୍ଲାରେ ୨୫ରୁ ୫୦ ମିମି ମଧ୍ୟରେ ବର୍ଷା ହୋଇଛି। ୫ଟି ଜିଲ୍ଲାରେ ୨୫ ମିମିରୁ କମ୍‌ ବର୍ଷା ହୋଇଥିବା ରାଜ୍ୟ ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାର କୋରକୋଣ୍ଡାରେ ସର୍ବାଧିକ ୪୦୩ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ମାଲକାନଗିରି ବ୍ଳକରେ ୨୬୫.୪ ଓ କୋରାପୁଟର ସିମିଳିଗୁଡ଼ା ବ୍ଲକରେ ୨୦୭ ମିମି ବର୍ଷା ହୋଇଛି। ରାଜ୍ୟର ୩୦ଟି ବ୍ଳକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି।

ମାଲକାନଗିରିରେ ବର୍ଷା ହେବା ଦ୍ୱାରା ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଭାବିତ ହୋଇଛି। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୭ ଦିନ ପାଇଁ ମାଲକାନଗିରି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ୍‌ ଘୋଷଣା କରିଛନ୍ତି। ପ୍ରତିଦିନ ବ୍ୟକ୍ତିଙ୍କ ପାଇଁ ୬୦ ଟଙ୍କା ଲେଖାଏ ଓ ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ୪୫ ଟଙ୍କା ଲେଖାଏ ରିଲିଫ୍‌ ଘୋଷଣା କରାଯାଇଛି। ଯେଉଁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ସେଠାରେ ତୁରନ୍ତ ପହଞ୍ଚି ସହଯୋଗ ହାତ ବଢ଼ାଇବାକୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ପ୍ରବଳ ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଜଳକା ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦସଙ୍କେତ ୫.୫୦ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ୬.୩୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ବୈତରଣୀ ଓ ବୁଢ଼ାବଳଙ୍ଗ ନଦୀ ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀର ଜଳସ୍ତର ଆଖୁଆପଦାଠାରେ ୧୭.୭୨ ମିଟର ରହିଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଏନ୍‌ଏଚ୍‌-୫ ନିକଟରେ ୭.୯୮ ମିଟର ରହିଛି। ମହାନଦୀର ଜଳସ୍ତର ନରାଜଠାରେ ୨୨.୬୩ ମିଟର ରହିଥିବା ବେଳେ ବ୍ରାହ୍ମଣୀ ନଦୀର ଜଳସ୍ତର ଜେନାପୁରଠାରେ ୧୯.୭୪ ମିଟର, ସୁବର୍ଣ୍ଣରେଖାର ଜଳସ୍ତର ରାଜଘାଟଠାରେ ୬.୦୬ ମିଟର ଓ ରୂଷିକୂଲ୍ୟା ନଦୀର ଜଳସ୍ତର ପୁରୁଷୋତ୍ତମପୁରଠାରେ ୧୩.୫୭ ମିଟରରେ ପହଞ୍ଚିଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଡିପ୍ରେସନ୍‌ ପ୍ରଭାବରେ ଆଉ ୧୨ ଘଣ୍ଟା କାଁ ଭାଁ ବର୍ଷା ହୋଇପାରେ। ଶନିବାରଠାରୁ ବର୍ଷା ପରିମାଣ କମିବ। ଗତକାଲି ବାତ୍ୟା ଓଡ଼ିଶା ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ପୁରୀରେ ୬୦ କିମି ବେଗରେ ପ୍ରବାହିତ ହୋଇଥିଲା। ଭୁବନେଶ୍ୱରରେ ବେଗ ୪୫ରୁ ୫୦ କିମି ରହିଥିଲା। ଗଞ୍ଜାମରେ ୫୦ କିମି ଭିତରେ ପବନର ବେଗ ଥିଲା। ଡିପ୍ରେସନ ସମୟରେ ବର୍ଷା ହୋଇ ନଥିବାରୁ ପରବର୍ତୀ ସମୟରେ ବର୍ଷା ଲାଗିରହିଛି।

ସମ୍ବନ୍ଧିତ ଖବର