ବାତ୍ୟା ପରେ ବନ୍ୟା : ବ୍ରହ୍ମପୁର-ଭଞ୍ଜନଗର, ପାର‌ଳାଖେମୁଣ୍ଡି-ଗୁଣୁପୁର ଯୋଗାଯୋଗ ବିଚ୍ଛିନ୍ନ

ବ୍ରହ୍ମପୁର/ଛତ୍ରପୁର/ଗୋପାଳପୁର/ରାୟଗଡ଼ା : ବାତ୍ୟା ‘ତିତ୍‌ଲି’ ଗୋପାଳପୁର ଠାରୁ ଦକ୍ଷିଣ ପଶ୍ଚିମରେ ୮୬ କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶର ପଲାସା ଉପକୂଳରେ ଭୋର ୫ଟା ୪୮ରେ ମାଡ଼ କରିଛି। ଏହାର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗୋପାଳପୁର, ଗଞ୍ଜାମ ଉପକୂଳବର୍ତୀ ଛତ୍ରପୁର, ର‌େଙ୍ଗଇଲୁଣ୍ଡା, ଚିକିଟି, ପାତ୍ରପୁର ବ୍ଲକ ସମେତ ବ୍ରହ୍ମପୁର ସହରରେ ତାଣ୍ଡବ ରଚାଇଛି। ଏଠାରେ ପବନର ବେଗ ୧୧୦ରୁ ୧୨୦ କିମି ପ୍ରତି ଘଣ୍ଟା ଥିଲା। ତେବେ ପଲାସା ନିକଟବର୍ତୀ ଗଜପତି ଜିଲ୍ଲାରେ ତିତଲିର ତାଣ୍ଡବ ଅଧିକ ଅନୁଭୂତ ହୋଇଛି। ଏଥିସହ ୩୬ ଘଣ୍ଟା ଧରି ବର୍ଷା ଲାଗି ରହିବା ଫଳରେ ସବୁ ନଦୀର ଜଳସ୍ତର ଉଦ୍‌ବେଗଜନକ ଭାବେ ଫୁଲି ଉଠିଛି।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ପ୍ରମୁଖ ନଦୀ ଋଷିକୂଲ୍ୟାରେ ଜଳସ୍ତର ବଢ଼ିବାରେ ଲାଗିଛି। ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀର ଜଳସ୍ତର ୧୬.୮୪ ବିପଦ ସଙ୍କେତ ଥିବା ବେଳେ ୧୩.୪୦ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ସୋରଡ଼ାରେ ଋଷିକୂଲ୍ୟା ନଦୀ ବିପଦ ସଙ୍କେତ (୮୧.୯୯ମିଟର) ପ୍ରବାହିତ ହେଉଛି।

ବର୍ଷା ଜାରି ରହିଥିବାରୁ ସ୍ଥିତି ସଂଗୀନ ହେବା ସମ୍ଭାବନା ଦେଖା ଦେଇଛି। ସେହିପରି ଜାନିବାଲିରେ ୫୩.୧୧ ମିଟର ବିପଦସଙ୍କେତ ଥିବାବେଳେ ୫୩.୦୯ ମିଟର, ଆସିକାରେ ୩୪.୭୫ ମିଟର ବିପଦ ସଙ୍କେତ ଥିବା ବେଳେ ୩୨.୪୫ ମିଟର ଏବଂ ହୀରାଧରବାଟିରେ ୨୩.୧୬ ମିଟର ବିପଦ ସଙ୍କେତ ଥିବାବେଳେ ୨୧.୧୯ ମିଟରରେ ପାଣି ପ୍ରବାହିତ ହେଉଛି। ସେହିପରି ବଡ଼ନଦୀର ଜଳ ମାଧବରିଡ଼ାରେ ବିପଦ ସଙ୍କେତ ୬୦.୬୫ ମିଟର ରହିଥିବା ବେଳେ ୫୮.୯୨ ମିଟର, ନୂଆଗାଁ ବ୍ରିଜ୍‌ ୭୦.୯୩ ମିଟର ବିପଦ ସଙ୍କେତ ରହିଥିବା ବେଳେ ୬୮.୩୩ ମିଟର, ଗ୍ୟାଲେରୀ ଆନିକଟ୍‌ ୧୦୨.୧୧ ମିଟର ବିପଦ ସଙ୍କେତ ଥିବା ବେଳେ ୧୦୦.୧୩ ମିଟର, ସୋରିଷମୂଳି ୧୦୦.୮୩ ମିଟରରେ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ‘ତିତ୍‌ଲି’ ପ୍ରଭାବରେ ଭ˚ଜନଗର-ବ୍ରହ୍ମପୁର ରାସ୍ତା ଜିଲୁଣ୍ତି, କଇଣ୍ତି, ଗୋବରା , କ୍ଷତ୍ରିୟବରପୁର, ଗାଙ୍ଗପୁର ଆଦି ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଦୀର୍ଘ ୭ଘଣ୍ଟା ହେବ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଭଂଜନଗର-ବେଲଗୁଣ୍ଠା, ଭଂଜନଗର-ଦଶପଲ୍ଲା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଅ‌‌ଗଝୋଳ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ସେହିଭଳି, ବ୍ରହ୍ମପୁର ପାରଳାଖେମୁଣ୍ତି ଭାୟା ରା.ଉଦୟଗିରି ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଗାଜଲବାଡ଼ିରେ ଭାସି ୬ ନିଖୋଜ

ଭ˚ଜନଗର/ସୋରଡ଼ା : ତିତଲି ବାତ୍ୟା ଓ ପ୍ରବଳ ବର୍ଷା ପ୍ରଭ‌ାବରେ ଭଂଜନଗର ଏବଂ ସୋରଡ଼ାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ସୋରଡା ବ୍ଲକର ଗାଜଲବାଡ଼ି ପଞ୍ଚାୟତ ଭୂତପଙ୍କାଳ ଗ୍ରାମର ଓଡଙ୍ଗୀ ନଦୀର ପ୍ରଖର ସ୍ରୋତରେ ଘର ଉପରେ ଥିବା ଗୋଟିଏ ପରିବାରର ୪ ଜଣ ଓ ଅନ୍ୟ ୨ଜଣ ଗାଈ ଚରାଳି ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସେମାନେ ହେଲେ ବିଜୟ ମଳିକ (୫୦), ପତ୍ନୀ ସଜନି ମଳିକ (୪୮), ପୁଅ ମଧୁ ମଳିକ (୨୮) ଓ ବୋହୂୂ ଏବଂ ପଡ଼ୋଶୀ ଗାଈ ଚରାଳି ପ୍ରଫୁଲ୍ଲ ମଳିକ ଏବଂ ନକୁଳ ମଳିକ। ବର୍ତମାନ ସୁଦ୍ଧା ସେମାନଙ୍କୁ ଠାବ କରାଯାଇପାରିନି।

ସମୁଦ୍ରରୁ ୨୭ ମତ୍ସ୍ୟଜୀବୀ ଉଦ୍ଧାର

ଛତ୍ରପୁର : ଗୋପାଳପୁର ବନ୍ଦର ବର୍ଥଠୁ ମାତ୍ର ୬ ଶହ ମିଟର ଦୂର ସମୁଦ୍ର ଭିତରେ ଫସି ରହିଥିବା ୨୭ଜଣ ଆନ୍ଧ୍ରପ୍ରଦେଶ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ୨ଶହରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ସମୁଦ୍ରରେ ଫସି ରହିଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ୨ ଶହରୁ ଅଧିକ ମତ୍ସ୍ୟଜୀବୀ ଗୋପାଳପୁର ବନ୍ଦର ବର୍ଥ ଠାରୁ ମାତ୍ର ୬୦୦ ଶହ ମିଟର ଦୂର ସମୁଦ୍ରକୁ ଟ୍ରଲର ସହ ଆସି ଫସିଯାଇଥିଲେ। ଜିଲ୍ଲା ପ୍ରଶାସନ ଓ ପୁଲିସ ସୂଚନା ପାଇବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରିବାକୁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ସେତେବେଳେ ୪ଟି ଟ୍ରଲର ବୁଡ଼ିଯାଇଥିଲା। ୨୭ଜଣଙ୍କୁ ଜିଲ୍ଲା ପ୍ରଶାସନ ଆଜି ଭୋରରେ ଉଦ୍ଧାର କରିଥିଲେ। କିନ୍ତୁ ୩୨ଟି ଟ୍ରଲର ଓ ଶତାଧିକ ମତ୍ସ୍ୟଜୀବୀ ବର୍ତମାନ ସୁଦ୍ଧା ସମୁଦ୍ର ଭିତରେ ରହିଛନ୍ତି।

ସମ୍ବନ୍ଧିତ ଖବର