ରାଉରକେଲାରେ ବନ୍ୟା ପାଣି ପଶିଲା, ୨ଶହ ଲୋକଙ୍କୁ ସ୍ଥାନାନ୍ତର

ରାଉରକେଲା : ତିନି ଦିନ ଧରି ଲଗାଣ ବର୍ଷା ବ୍ରାହ୍ମଣୀ ନଦୀର ଜଳସ୍ତରକୁ ବୃଦ୍ଧି କରିଛି। ଗତ ରାତିରୁ ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କୁଳ ଚିହ୍ନକୁ ଛୁଇଁଥିଲା। ଏଥିଯୋଗୁଁ ରାଉରକେଲା ସହରରେ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପ୍ରବେଶ କରିଛି।

ମିଳିଥିବା ସୂଚନା ଅନୁସ‌ାରେ, ସହରର ବାଲୁଘାଟ ଅଞ୍ଚଳରେ ଥିବା ଦୁଇଟି ବସ୍ତିରେ ପାଣି ପଶିଯିବାରୁ ୨ଶହ ପରିବାରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଦୁଇଟି ସ୍କୁଲ୍‌ରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି। ଆଜି ସଂଧ୍ୟାରେ ବ୍ରାହ୍ମଣୀର ଜଳସ୍ତର କମିଥିଲେ ମଧ୍ୟ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ରାତିରେ ପୁଣି ଜଳପତ୍ତନ ବଢିବା ଆଶଙ୍କା ପ୍ରକାଶ ପାଇଛି। ରାଉରକେଲା ଭଳି ବ୍ରାହ୍ମଣୀ ନଦୀର ତଳମୁଣ୍ଡ ବଣାଇଁ ବ୍ଳକ୍‌ ଫଲସାଘାଟ ଓ କେଲୋ ଗ୍ରାମରେ ପାଣି ପଶିଛି।

ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ବ୍ରାହ୍ମଣୀ ଜଳସ୍ତର ବିପଦସଙ୍କୁଳ ଚିହ୍ନକୁ ଛୁଇଁଥିଲା। ବ୍ରାହ୍ମଣୀ ନଦୀର ବିପଦସଙ୍କୁଳ ଚିହ୍ନ ହେଉଛି ୧୭୮.୪୨ ମିଟର। ପ୍ରଶାସନ ପକ୍ଷରୁ ହୋଇଥିବା ରେକର୍ଡ ଅନୁସାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ୧୭୮.୨୦ ମିଟର ଥିବା ରେକର୍ଡ ହୋଇଥିଲା। ୪ ଘଣ୍ଟା ମଧ୍ୟରେ ଜଳସ୍ତର ସାମାନ୍ୟ କମିଥିଲେ ମଧ୍ୟ ତଳିଆ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତକାଲି ରାତି ପ୍ରାୟ ୧ଟାରେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ସହର ତଳିରାଉରକେଲା ବାଲୁଘାଟର ପଲପଲ, ନୂଆ ବସ୍ତି ଓ ସର୍ଦ୍ଦାର ବସ୍ତିରେ ପଶିଥିଲା। ରାତି ତମାମ ବନ୍ୟା ଜଳ ବସ୍ତି ଭିତରକୁ ପଶିବାରୁ ପଲପଲ ଓ ନୂଆ ବସ୍ତିର ପ୍ରାୟ ୫୦ରୁ ଅଧିକ ଘର ଭିତରେ ଛାତିଏ ଲେଖାଏଁ ପାଣି ପଶିଥିଲା। ଜୀବନ ବ୍ଞ୍ଚାଇବାକୁ ପଲପଲ ବସ୍ତିର ୨୦ ପରିବାର ଓ ନୂଆ ବସ୍ତିର ୧୦ ପରିବାରକୁ ମିଶାଇ ମୋଟ ୩୦ ପରିବାର ଲୋକ ସେମାନଙ୍କ ପିଲାଛୁଆଙ୍କୁ ଧରି ସୁରକ୍ଷିତ ସ୍ଥାନକୁ ଚାଲିଥିଲେ। ଜଳବନ୍ଦୀ ଥିବା କେତେକ ପରିବାର ଲୋକଙ୍କୁ ଡଙ୍ଗା ସହାୟତାରେ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଦୁଇଟି ବସ୍ତିର ୨୦୦ ଲୋକ ବାଲୁଘାଟ ବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟ ଓ ତରକେରା କଲୋନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି।

ସମ୍ବନ୍ଧିତ ଖବର