ଲଗାଣ ବର୍ଷାରେ ପୁଣି ବେହାଲ କଳାହାଣ୍ଡି : ଫୁଲୁଛି ପ୍ରମୁଖ ନଦୀ, ଧୋଇଗଲା ରାସ୍ତା, ଭାଙ୍ଗିଲା ଘର

ଭବାନୀପାଟଣା/ବୋର୍ଡା/ ଜୁନାଗଡ଼ : କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଭବାନୀପାଟଣା ବ୍ଲକରେ ୯୮.୬ ମିମି, କେସିଙ୍ଗା ବ୍ଳକରେ ୬୪ ମିମି, କର୍ଲାମୁଣ୍ଡା ବ୍ଳକରେ ୭୩.୨ ମିମି, ମଦନପୁର ରାମପୁର ବ୍ଳକରେ ୧୩୪ ମିମି, ନର୍ଲା ବ୍ଳକରେ ୫୮.୫ ମିମି, ଲାଞ୍ଜିଗଡ ବ୍ଳକରେ ୫୯.୪ ମିମି, ଥୁଆମୁଳରାମପୁର ବ୍ଳକରେ ୧୯୪.୬ ମିମି, ଧର୍ମଗଡ ବ୍ଳକରେ ୫୪ ମିମି, ଜୁନାଗଡ ବ୍ଳକରେ ୭୮ ମିମି, କଲମପୁର ବ୍ଳକରେ ୧୦୦ ମିମି, ଜୟପାଟଣା ବ୍ଳକରେ ୩୩ ମିମି, କୋକସରା ବ୍ଳକରେ ୬୦.୨ ମିମି, ଗୋଲାମୁଣ୍ଡା ବ୍ଳକରେ ୪୮.୪ ମିମି ବର୍ଷା ରବିବାର ସକାଳ ୮ଟା ସମୟରେ ରେକର୍ଡ କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ।

ଭବାନୀପାଟଣା ସହରରେ ଓ୍ଵାର୍ଡନଂ ୮ଓ ୯ରେ ନୂଆବନ୍ଧପଡା ଜଳମଗ୍ନ ହୋଇ ରହିଛି। ଗତ କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଏହି ଓ୍ଵାର୍ଡ ଜଳମଗ୍ନ ହୋଇଥିଲା। ଗତବର୍ଷା ପରେ ଡ୍ରେନ ସଫା ହୋଇନଥିବାରୁ ବର୍ତ୍ତମାନ ପାଣି ନିଷ୍କାସନ ନହେବା ଯୋଗୁଁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏ ନେଇ ପ୍ରତିକାର କରାନଗଲେ ଓ୍ଵାର୍ଡବାସୀ ପୌରପରିଷଦ ଘେରିବେ ବୋଲି ଚେତାବନୀ ଦେଇଛନ୍ତି। ସେହିଭଳି ସହରର ବସଷ୍ଟାଣ୍ଡ, ପରଦେଶୀପଡା, ରାଧାକୃଷ୍ଣ ନଗର, ନକଟିଗୁଡା, ଡିଆଇପିଆରଓ ଅଫିସ, ସମେତ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ନହେବା ଯୋଗୁଁ ଜଳମଗ୍ନ ରହିଛି। ଜୁନାଗଡ଼ ସହରର ଆଇସିଡିଏସ୍‌, ଟାଉନ ହଲ, ହିଞ୍ଜିଲିବାହାଲି, ବଡପଡା ସମେତ ବିଭିନ୍ନ ସ୍ଥାନରେ ଜଳମଗ୍ନ ଯୋଗୁଁ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଜୁନାଗଡ଼ ସହରର ବଡ଼ପଡ଼ାର ରାଘବ ବେଶ୍ରା ଓ ପୂର୍ଣ୍ଣ କୁମାରଙ୍କ ଘର ସଂପୁର୍ଣ୍ଣ ଭାଙ୍ଗିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁଁ ଜିଲ୍ଲାର ଇନ୍ଦ୍ରାବତୀ, ହାତୀ, ତେଲ, ଶଗଡା, ଉଦନ୍ତୀ, ବଂଶଧାରା, ନାଗାବଳୀ, ଉତେଇ, ରାହୁଲ ପ୍ରମୁଖ ନଦୀ ଫୁଲିବାରେ ଲାଗିଛି।

ଅନେକ ଗାଁର ଲୋକମାନଙ୍କ ଘର ମାନଙ୍କରେ ପାଣି ପଶି ଯାଇଛି। ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିବା ଯୋଗୁଁ ପଲିଥିନ ତଳେ ଆଶ୍ରୟ ନେଉଥିବା ଜଣାପଡ଼ିଛି। କେଉଁଠି ରାସ୍ତା ଉପରେ ୪ଫୁଟ ପାଣି ଯାଉଛି ତ କେଉଁଠି ରାସ୍ତା ଧୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଶତାଧିକ ହେକ୍ଟର ଜମି ପାଣିରେ ବୁଡି ରହିବା ଯୋଗୁଁ ଫସଲ ନଷ୍ଟ ହୋଇଛି। ବୋର୍ଡା ପଞ୍ଚାୟତା ଫାପସି ଗ୍ରାମର ଚଳ ନାଏକ, ବିରେନ୍ଦ୍ର ମାଝୀ, ଶରତ ଦୁର୍ଗା, ଘନଶ୍ୟାମ ରଣା, ବୋର୍ଡା ଗ୍ରାମର ଲଡୁକିଶୋର ଥନାପତି, ଚିତ୍ତରଞ୍ଜନ ଥନାପତି, ସତ୍ୟା ନାଗ, କର୍ଲାପିଟା ର୍ଗାର ଦେବେନ୍ଦ୍ର ସାହୁ, ଡୁମରୀଆ ଗାଁର ଗାନ୍ଧୀ ହରିଜନ, ଗଣ୍ଡବସାର ବିଶ୍ୱନିଥ ବାବାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ଫଳରେ ପଲିଥିନ ତଳେ ଆଶ୍ର୍ରୟ ନେଇଛନ୍ତି। ସେଁପୁର, କଛାରପଦର, ଖଇରମାଲ, ବୋର୍ଡା, ଖୋଲପଲା, ଗୁରଜୁଙ୍ଗ, ଚିକିଲି, ମାଦିଗୁଡା, ସାପସିଲେଟ ଅଞ୍ଚଳରେ ବନ୍ୟାପାଣି ନିଷ୍କାସନ ହୋଇପରୁନଥିବାରୁ ଅନେକ ଫସଲ ନଷ୍ଟ ହୋଇଛି। ସେଁପୁର-ଟିଟିଲାଗଡ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୋର୍ଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି ଜମି ରହିଛି। ବୋର୍ଡାର ଲଡୁକିଶୋର ଥନାପତିଙ୍କ ଘର ଭାଙ୍ଗି ଯାଇ ଏକ ଇଣ୍ଡିକା ଗାଡି ଉପରେ ପଡିବା ଫଳରେ ଅଳ୍ପକେ ପରିବାରର ୪ଜଣ ବର୍ତ୍ତି ଯାଇଥିଲେ। ବନ୍ୟା ପାଣି ମାଡିଯିବା ଫଳରେ ଚାଷଜମି ବାଲିଚର ହୋଇଛି। ଆଜି ଦିନ ତମାମ ମଧ୍ୟ ବର୍ଷା ଜାରି ରହିଛି।

ଉରୁ ପୋଲ ଉପରେ ୪ ଫୁଟ୍‌ ପାଣି : ବୋରିଆ-ମାଲପଡ଼ା-ପଥର୍ଲା ରାସ୍ତା ବିଛିନ୍ନ

ବୋରିଆ : କଳାହାଣ୍ଡିରେ ପୁଣି ଲଘୁଚାପ ବର୍ଷାରେ ପୁଣି ବ୍ୟାପକ କ୍ଷୟକ୍ଷତି ହୋଇଛି। କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ପଥର୍ଲା ନିକଟ ଏବଂ ମାଲପଡ଼ା ଉରୁପୋଲରେ ୪ ଫୁଟ୍‌ର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ବୋରିଆ -ମାଲପଡା-ପଥର୍ଲା ରାସ୍ତା ବିଛିନ୍ନ ହୋଇପଡ଼ିଛି। ଚଳିତ ବର୍ଷ ଏହା ଚତୁର୍ଥ ବନ୍ୟା। ଏହା ଦ୍ୱାରା ଧାନ ଫସଲ ନଷ୍ଟ ହୋଇଯାଇଛି। ସେହିପରି ଗୋକୁଳେଶ୍ୱର ପଞ୍ଚାୟତର ଜୁଜରାଙ୍ଗ ଓ ବିଶୋଡି ଗାଁ ମଧ୍ୟରେ ଦେଗାଡି ଯୋରରେ ବର୍ଷା ପାଣି ପ୍ରବାହିତ ହେବାରୁ ପୁଣିଥରେ ରାସ୍ତା ବିଛିନ୍ନ ହୋଇପଡ଼ିଛି। ଅନ୍ୟପଟେ କେସିଙ୍ଗା ବ୍ଲକ ଅଞ୍ଚଳରେ ଥିବା ରେତନଦୀ ଓ ତେଲନଦୀ ମଧ୍ୟ ଫୁଲିବାରେ ଲାଗିଛି। ବୋରିଆ ପଞ୍ଚାୟତ ସମେତ ପଥର୍ଲା, କିକିଆ, କୁଣ୍ଡାବନ୍ଧ, ଉତ୍‌କେଲା, ଲଇତରା ପଞ୍ଚାୟତ ଅଞ୍ଚଳରେ ଅନେକ ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର