ରାୟଗଡ଼ାରେ ବର୍ଷାର ତାଣ୍ଡବ

ରାୟଗଡ଼ା : ବର୍ଷାର ତାଣ୍ଡବରେ ବେହାଲ ରାୟଗଡ଼ା ଜିଲ୍ଲା। ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାହାର ପ୍ରଭାବ ସାଧାରଣ ଜନଜୀବନ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇ ସାରିଲାଣି। ସେହିପରି କୋଲନରା ବ୍ଲକ ମକୁନ୍ଦପୁର ଅଞ୍ଚଳରେ ଅନେକ ଘର ଭାଂଗିଯାଇଥିବା ସୂଚନା ମିଳିଛି। ବର୍ଷା ଲାଗି ରହିଥିବାରୁ ବଂଶଧାରା ଓ ନାଗାବଳୀ ନଦୀ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ନଦୀ ବିପଦ ସଙ୍କେତ ନିକଟତର ହୋଇ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସଂଧ୍ୟା ସୁଦ୍ଧା ବଂଶଧାରା ନଦୀ ଜଳ ପତ୍ତନ ୮୨.୦୦ ମିଟର ରହିଥିଲା। ତେଣୁ ବନ୍ୟା ଜଳ ନିଷ୍କାସନ ନିମନ୍ତେ ରାତି ୧୦ଟାରେ ଉପରମୁଣ୍ଡରେ ଥିବା କେନ୍ଦୁଗୁଡ଼ା ସ୍ଥିତ ବଡ଼ ନାଳ ଡ୍ୟାମ ପାଣି ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ବଡ଼ନାଳରୁ ବନ୍ୟା ଜଳ ନିଷ୍କାସିତ ହୋଇ ନଦୀରେ ମିଶିଲେ ନଦୀ ପତ୍ତନ ସାମାନ୍ୟ ବୃଦ୍ଧି ପାଇବ। କିନ୍ତୁ ଏହାଦ୍ୱାରା ବିଶେଷ କିଛି ସମସ୍ୟା ହେବ ନାହିଁ ବୋଲି ଗୁଣପୁର ବନ୍ୟା ନିୟନ୍ତ୍ରଣ କେନ୍ଦ୍ରରୁ ସୂଚନା ମିଳିଛି। ସେହିପରି ଅନେକ ସ୍ଥାନରେ ସେତୁକୁ ସଂଯୋଗ କରୁଥିବା ରାସ୍ତା ଏବଂ ପ୍ରଧାନମନ୍ତ୍ରୀ ସଡ଼କ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଜରୁରୀ କାର୍ଯ୍ୟାଳୟରୁ ଜଣାପଡ଼ିଛି। କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ତୁମ୍ବିତୋରାଇ ଗ୍ରାମ ପାଣି ଘେରରେ ରହିଛି। ଆଜି ସକାଳେ ହଠାତ୍‌ ବନ୍ୟା ଜଳ ମାଡ଼ି ଆସିବାରୁ କୋରାପୁଟ- ରାୟଗଡ଼ା (କେଆର ଲାଇନ) ଭାଲୁମାସ୍କା ନିକଟରେ ଟ୍ରାକ୍‌ ସଂପୂର୍ଣ୍ଣ ବୁଡ଼ି ଯାଇଥିଲା। ତେଣୁ କୋରାପୁଟ ଓ ରାୟଗଡ଼ା ଦେଇ ଯାତାୟାତ କରୁଥିବା ହୀରାଖଣ୍ଡ ଏକ୍ସପ୍ରେସ, ବିଶାଖାପାଟଣା-କୋରାପୁଟ ଡ଼ିଏମୟୁ ଇଣ୍ଟରସିଟି, ଡ଼ିଏମୟୁ, ଜଗଦଲପୁର-ହାୱାଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ମଝି ଷ୍ଟେସନରେ ଅଟକି ରହିଥିଲା। ଅପରାହ୍ନରେ ପାଣି କମିବା ପରେ ରେଳବାଇ କର୍ତ୍ତୃପକ୍ଷ ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇଥିଲେ। ଦୁଇ ଦିନର ବର୍ଷାରେ ଗୁଣପୁର ରେଳଷ୍ଟେସନ ଛକରେ ଥିବା ଶହେ ବର୍ଷ ପୁରୁଣା ବରଗଛ ଉପୁଡ଼ି ଯାଇଛି। ସେହିଭଳି ରାୟଗଡ଼ା ପିତାମହଲ ମୁଖ୍ୟ ସଡ଼କରେ ମଧ୍ୟ ଗଛ ପଡ଼ି କିଛି ସମୟ ପର୍ଯ୍ୟନ୍ତ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଯାନବାହାନ ଚଳାଚଳରେ ଅନ୍ତରାୟ ସୃଷ୍ଟି ହୋଇଥିଲା। ବିଷମକଟକ ବ୍ଲକ ପେଣ୍ଟାରୁ ବେଥିବାପଡ଼ାକୁ ଲମ୍ବିଥିବା ପ୍ରଧାନମନ୍ତ୍ରୀ ସଡ଼କ ଧୋଇ ହୋଇଯାଇଥିବା ବେଳେ ଭାରପ୍ରାପ୍ତ ବିଡିଓ ଗୁଲାମ ମକସୁଦ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

କାନ୍ଥ ଭୁଶୁଡ଼ି ଦମ୍ପତି ମୃତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ଅନ୍ତର୍ଗତ ଶୁଳିପଦର ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଅଭାବନୀୟ ଘଟଣା ଘଟିଛି। ବର୍ଷା ମାଡ଼ ସମ୍ଭାଳି ନପାରି ଘର କାନ୍ଥ ଭୁଶୁଡି ଯିବାରୁ ଏହି ଗ୍ରାମର ମାଧବ ଲୟା (୬୦) ଓ ଯଶୋଦା ଲୟା (୫୫)ଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅଘଟଣରେ ପୁଅ ପଞ୍ଚାନନ ଲୟା (୩୫) ଅଳ୍ପକେ ବର୍ତି ଯାଇଥିଲେ ବି ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ମାଧବ, ପତ୍ନୀ ଯଶୋଦା ଓ ପୁଅ ପଞ୍ଚାନନ ପାରିପଟେ ଦାନ୍ତ ଘସୁଥିଲେ। ଏହି ସମୟରେ ବର୍ଷାରେ ବତୁରି ଯାଇଥିବା ଗୋଟିଏ କାନ୍ଥ ୩ଜଣଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଥିଲା। ବହୁ କଷ୍ଟରେ ମାଟି କାନ୍ଥ ଭିତରୁ ପୁଅ ପଞ୍ଚାନନ ବାହାରି ଆସିଥିଲେ। କିନ୍ତୁ ଦଂପତି ସେମିତି ଫସି ରହିଥିଲେ। ପୁଅ ଗ୍ରାମବାସୀଙ୍କୁ ଡାକିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ମାଟି ହଟାଇବା ବେଳକୁ ବାପା ମାଧବଙ୍କ ମୃତ୍ୟୁ ହୋଇଯାଇଥିଲା। ମା’ ଯଶୋଦା ଚେତାଶୂନ୍ୟ ହୋଇ ପଡ଼ିଥିଲେ। ୧୦୮ ଆମ୍ବୁଲାନ୍‌ସ ଯୋଗେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର