ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରରୁ ମହାନଦୀକୁ ବନ୍ୟା ଜଳ ଆସନ୍ତା ବୁଧବାର ଦିନ ଛଡ଼ାଯାଉଥିବାରୁ ବନ୍ୟା ଆଶଙ୍କା ଦେଖା ଦେଇଛି। ଏହି ନଦୀ କୂଳବର୍ତ୍ତୀ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇ ଦିଆଯିବା ସଂଗେ ସଂଗେ ନଦୀ ବନ୍ଧ ଉପରେ ପେଟ୍ରୋଲିଂ ବା ପଇଁତରା ସୁଦୃଢ କରିବାକୁ ପରାମର୍ଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପ୍ରବଳ ବର୍ଷା ଓ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଂପର୍କରେ ରାଜ୍ୟ ସଚିବାଳୟ ବା ଲୋକସେବା ଭବନରେ ସମୀକ୍ଷା କରିବା ବେଳେ ଆସନ୍ତା ୧୫ ତାରିଖ ଦିନ ମହାନଦୀ ଦେଇ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସୂଚନା ଦିଆଯାଇଥିଲା।
ମହାନଦୀର ଉପମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଜଳ ଭଣ୍ଡାରରୁ ଅଗଷ୍ଟ ୧୪ ତାରିଖ ଦିନ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଗତ କେତେ ଦିନ ପ୍ରବଳ ଲଗାଣ ବର୍ଷା ଫଳରେ ବଲାଙ୍ଗୀର,କଳାହାଣ୍ଡି,ବୌଦ୍ଧ,ସୁବର୍ଣ୍ଣପୁର ଏବଂ କନ୍ଧମାଳରେ ବନ୍ୟା ଦେଖାଦେଇଛି। ତେଣୁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟ ରାଜଧାନୀରେ ବନ୍ୟା ପରିସ୍ଥିତି ଏବଂ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ସଂପୃକ୍ତ ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କର ଆବଶ୍ୟକତା କ’ଣ ତାହା ପଚାରି ବୁଝିଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କେତେକ ସ୍ଥାନରେ ରେଳ ଧାରଣା ଧୋଇ ଯାଇଛି ବା ରେଳ ଧାରଣା ଉପରେ ପାଣି ଚାଲିଛି। ତେଣୁ ରେଳ ଚଳାଚଳ ବ୍ୟାହତ ହୋଇଛି। ସେହିପରି ବଲାଙ୍ଗୀର ବନ୍ୟା ଯୋଗୁଁ ଏକ କାର୍ ଭାସି ଯାଉଥିବାର ଖବର ମିଳିଛି। ବନ୍ୟା ବିପନ୍ନଙ୍କୁ ଉଚ୍ଚ ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।