ଉଛୁଳୁଛି ମହାନଦୀ : ତଳିଆ ଅଞ୍ଚଳକୁ ଭୟ, ଆଜି ମୁଣ୍ଡୁଳି ଡେଇଁବ

ଭୁଲ୍‌ କାହାର?

ଭୁବନେଶ୍ୱର : ଛତିଶଗ଼ଡ ଛାଡ଼ିଥିବା ବନ୍ୟା ଜଳ ପ୍ରଭାବରେ ମହାନଦୀ ଫୁଲିବା ଆରମ୍ଭ କରିଛି। ଆଜି ମଧ୍ୟ ରାତି ପରେ ମୁଣ୍ଡୁଳିଠାରେ କିଛି ଘଣ୍ଟା ପାଇଁ ସର୍ବାଧିକ ବନ୍ୟା ଜଳ ପ୍ରବାହିତ ହେବ। ପାଖାପାଖି ସାଢେ ୮ଲକ୍ଷ ଘନଫୁଟ ଜଳ ଏହି ସମୟରେ ମୁଣ୍ଡୁଳି ଅତିକ୍ରମ କରିପାରେ।

ଯଦିଓ ଏହା ଏକ ମଧ୍ୟମ କିସମର ବନ୍ୟା, ତଥାପି ବିଭିନ୍ନ ସ୍ଥାନରେ ମହାନଦୀ ମହାବିତ୍ପାତ କରିବା ଆରମ୍ଭ କଲାଣି। ସୋନପୁର, ବୌଦ୍ଧ, ଅନୁଗୁଳର ଆଠମଲ୍ଲିକ, ବାଙ୍କୀ ଆଦି ତଳିଆ ଅଞ୍ଚଳରେ ପାଣି ପଶିଛି। କିଛି ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆସନ୍ତାକାଲିକୁ ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାରେ କିଛି ପରିମାଣରେ ସ୍ଥିତି ବିଗାଡିପାରେ।

ମହାନଦୀ ପ୍ରଭାବରେ ଦେବୀ ଓ କୁଶଭଦ୍ରା ନଦୀରେ ମଧ୍ୟ ଜଳପତ୍ତନ ବଢିବା ଆରମ୍ଭ କରିଛି। ଉଭୟ ନଦୀର ଜଳସ୍ତର ବିପଦ ସଙ୍କେତ ଠାରୁ ଯଥେଷ୍ଟ ତଳେ ଥିଲେ ମଧ୍ୟ ଏହା ଆସନ୍ତାକାଲି ବଢିବ ବୋଲି ସୂଚନା ମିଳିଛି।

ଗମ୍ଭୀରତାରକୁ ଉପଲବ୍ଧି କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ଅଧିକାରୀମାନେ କହିଥିଲେ ଯେ ଛତିଶଗ଼ଡରୁ ଅଧିକ ମାତ୍ରାରେ ବନ୍ୟା ଜଳ ଆସୁଥିବାରୁ ହୀରାକୁଦର ୨୫ ଗେଟ୍‌ (ବାମ ପଟେ ୧୭ ଓ ଦକ୍ଷିଣ ପାର୍ଶ୍ୱରେ ୮ଟି) ଖୋଲାଯାଇଛି। ହୀରାକୁଦର ନିମ୍ନାଞ୍ଚଳରେ ବିଭିନ୍ନ ନଦୀର ଜଳ ମିଶି ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ସର୍ବାଧିକ ୮.୫ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ। ଏହାଦ୍ୱାରା ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଧା ଓ ଯାଜପୁର ଆଦି ୧୧ଟି ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବ।

ବୈଠକ ପରେ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଛତିଶଗଡରୁ ସର୍ବାଧିକ ସେକେଣ୍ଡ ପ୍ରତି ୫ଲକ୍ଷ ୭୦ ହଜାର ଘନଫୁଟ ପର୍ଯ୍ୟନ୍ତ ଜଳ ହୀରାକୁଦକୁ ପ୍ରବେଶ କରିବ। ଏବେ ବି ହୀରାକୁଦର ୨୫ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆସନ୍ତାକାଲି ପରେ ସ୍ଥିତି ସୁଧୁରିବ। ୩୧ ତାରିଖ ପର୍ଯ୍ୟନ୍ତ ବନ୍ୟା ଜଳ ନିୟନ୍ତ୍ରଣ କରାଯିବ, ଯେମିତିକି ସେ ସମୟକୁ ହୀରାକୁଦ ଜଳସ୍ତରକୁ ପୁଣି ଥରେ ୬୨୧.୫ ଫୁଟରେ ରଖାଯାଇପାରିବ। ସେହିଭଳି ତଳମୁଣ୍ଡରେ ସର୍ବାଧିକ (୮ଲକ୍ଷ ୫୦ ହଜାର ଘନଫୁଟ) ବନ୍ୟା ଜଳ ୪ରୁ ୫ ଘଣ୍ଟା ପାଇଁ ପ୍ରବାହିତ ହୋଇପାରେ। ଏଣୁ ଅବିଭକ୍ତ ପୁରୀ ଓ କଟକ ଜିଲ୍ଲାର ଲୋକଙ୍କ ଉପରେ ଏହାର ପ୍ରଭାବ ଆଜି ପଡିବ।

ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁ ପ୍ରସାଦ ସେଠୀ କହିଛନ୍ତି, ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସବୁ ପ୍ରକାର ପ୍ରତିକାର ବ୍ୟବସ୍ଥା ସହିତ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଦୁର୍ବଳ ଓ ବିପଦ ସଙ୍କୁଳ ନଦୀ ବନ୍ଧର ସୁରକ୍ଷା, ତଳୁଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରଣ, ଖାଦ୍ୟ ପାନୀୟ ଜଳ, ଔଷଧ ଆଦି ବିଭିନ୍ନ ଜରୁରି ସାମଗ୍ରୀ ମହଜୁଦ କରି ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ୩ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌, ଦୁଇଟି ଓଡ୍ରାଫ ଟିମ୍‌ଙ୍କୁ ମୁତୟନ କରାଯଆଇଛି। ୧୯୮ ବୋଟ୍‌ ଓ ୪୭୪ ଆଶ୍ରୟ ଗୃହ ପ୍ରସ୍ତୁତ କରି ରଖାଯାଇଛି।

ସରକାରୀ ତଥ୍ୟ ଅନୁସାରେ, ଆଜି ସନ୍ଧ୍ୟା ୬ଟା ବେଳେ ହୀରାକୁଦର ଜଳସ୍ତର ୬୨୨.୨୫ ଫୁଟ ରହିଛି। ଜଳଭଣ୍ଡାର ମଧ୍ୟରୁ ସେକେଣ୍ଡ ପ୍ରତି ୪ଲକ୍ଷ ୯୨ ହଜାର ୨୫୪ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୪ଲକ୍ଷ ୯ ହଜାର ୯୭ ଘନଫୁଟ ଜଳ ନିଷ୍କାସନ ହେଉଛି। ପଥରଲା ଦେଇ ୧ଲକ୍ଷ ୩୨ ହଜାର ୧୮୯ ଘନଫୁଟ ଜଳ ପ୍ରବାହିତ ହେଉଛି। ଏହାକୁ ମିଶାଇ ମୋଟ ୫ଲକ୍ଷ ୮୩ ହଜାର ଘନଫୁଟ ଜଳ ଖଇରମାଳ ଅତିକ୍ରମ କରୁଛି। ବରମୂଳ ଠାରେ ସେକେଣ୍ଡ ପ୍ରତି ୬ଲକ୍ଷ ୬ହଜାର ଓ ମୁଣ୍ଡୁଳିରେ ୫ଲକ୍ଷ ୫୦ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି। ଏପଟେ ନରାଜ ଠାରେ ସତର୍କ ସଙ୍କେତ ଉପରେ ମହାନଦୀ ପ୍ରବାହିତ ହେଉଛି। ଯଦିଓ ଏଠାରେ ଜଳସ୍ତର କମିବା ଲକ୍ଷଣ ମିଳୁଛି, ଆଉ କିଛି ଘଣ୍ଟା ପରେ ଯେତେବେଳେ ହୀରାକୁଦରୁ ନିଷ୍କାସିତ ବନ୍ୟା ଜଳ ମିଶିବ, ତାହା ପୁଣି ବଢିବ।

ଉଲ୍ଲେଖଥାଉକି, ରାତି ୯ଟା ସୁଦ୍ଧା ମହାନଦୀ ଉପରମୁଣ୍ଡରେ ଥିବା ଘୋରାରିରେ ୨୪ ହଜାର ୪୦୦ ଘନଫୁଟ, ନନ୍ଦାଘାଟରେ ୨ଲକ୍ଷ ୬୮ ହଜାର, ସିଓରି ନାରାୟଣରେ ୩ଲକ୍ଷ ୧୫ ହଜାର, ଚମ୍ପାରେ ୩୩ ହଜାର ୨୦୦, ସରାଡିହିରେ ୪ଲକ୍ଷ ୯୩ ହଜାର ଘନଫୁଟ ଜଳ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି।

ଭୁଲ୍‌ କାହାର?

ଭୁବନେଶ୍ୱର : ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଛତିଶଗଡ଼ କର୍ତ୍ତୃପକ୍ଷ ନିର୍‌ ନିଧି ଆପ୍‌ରେ ମିନିମାତା ବାଙ୍ଗୋ, ରବି ଶଙ୍କର ଡ୍ୟାମ୍‌ ତଥ୍ୟ ଦେଇଥିଲେ ନା ନାହିଁ?

ମହାନଦୀରେ ଦେଖା ଦେଇଥିବା ଅପ୍ରତ୍ୟାଶିତ ବନ୍ୟା ପରେ ଏଭଳି ଏକ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। କାରଣ ଗତ ୨୪ ତାରିଖରେ ବୁର୍ଲା ଅଶୋକ ନିବାସରେ ଓଡ଼ିଶା-ଛତିଶଗଡ ମଧ୍ୟରେ ଯେଉଁ ସମନ୍ଵୟ ବୈଠକ ବସିଥିଲା, ସେଥିରେ ବର୍ଷା ପରିମାଣ, ଜଳସ୍ତର, କେତେ ପାଣି ହୀରାକୁଦକୁ ପ୍ରବେଶ କରିବ, କେତେ ପାଣି ନିଷ୍କାସନ ହେବ, ସେନେଇ ଆଲୋଚନା ହୋଇଥିଲା। ସେଠାରେ ଉଭୟ ସହମତ ହୋଇଥିଲେ ଯେ ଏହି ଦୁଇ ଡ୍ୟାମ୍‌ ତଥ୍ୟ ଏହି ଆପ୍‌ ଜରିଆରେ ଆଦାନ ପ୍ରଦାନ ହେବ। ଯଦି ହେଉଥିଲା, ତେବେ ହୀରାକୁଦକୁ ଏତେ ପାଣି ଆସୁଥିବା ସଂପର୍କରେ କେହି କେମିତି ଜାଣିପାରିଲେନି?

ଉଲ୍ଲେଖଯୋଗ୍ୟ, ଏହି ବୈଠକର ବିବରଣୀ ଅନୁଧ୍ୟାନ କଲେ ଉଭୟ ରାଜ୍ୟର ସମନ୍ଵୟ ବୈଠକରେ ଯୋଗଦେଉଥିବା ଅଧିକାରୀମାନେ ମହାନଦୀ ପ୍ରସଙ୍ଗକୁ କେତେ ଗୁରୁତ୍ୱର ସହ ନେଉଛନ୍ତି, ତାହାର ସୂଚନା ମିଳୁଛି। ଜଣାପଡିଛି ଯେ ମିନିମାତା ଓ ରବିଶଙ୍କର ଡ୍ୟାମ୍‌କୁ ବାଦ ଦେଲେ ଅନ୍ୟ ସବୁ ବଡ ଓ ମଧ୍ୟମ ଡ୍ୟାମ ସଂପର୍କରେ ଛତିଶଗଡ ସରକାର ଖୁବ୍‌ କମ ସମୟ ବ୍ୟବଧାନରେ ୧ ତାରିଖରୁ ତଥ୍ୟ ଦେବେ। ଅର୍ଥାତ୍‌ ଏଯାଏ କର୍ତ୍ତୃପକ୍ଷ ୨୪ ଘଣ୍ଟା ବ୍ୟବଧାନରେ ତଥ୍ୟ ଦେଉଥିଲେ।

ଏକଥା ବି ଜଣାପଡିଛି ଯେ ଛତିଶଗଡ ସରକାର ଏଯାଏ ଚାରି ଗେଟ୍‌ ବିଶିଷ୍ଟ ଡ୍ୟାମ୍‌ଗୁଡିକର ରୁଲ୍‌ କର୍ଭ ଦେଇନାହାନ୍ତି। ୨୪ ତାରିଖ ବୈଠକରେ ତାଙ୍କୁ ଓଡ଼ିଶା ଅନୁରୋଧ କରିଥିଲା। ମିନିମାତା ଡ୍ୟାମ୍‌ର ଚିଠା ରୁଲ୍‌ କର୍ଭ ତଥ୍ୟ ସେଦିନ ବୈଠକରେ ହିଁ କର୍ତ୍ତୃପକ୍ଷ ଓଡ଼ିଶାକୁ ଦେଇଛନ୍ତି। ଛତିଶଗଡ ସମ୍ମତି ଜଣାଇଛି, ସେପ୍‌ଟେମ୍ବର ୧୫ ତାରିଖ ସୁଦ୍ଧା ରବିଶଙ୍କର ଡ୍ୟାମ୍‌ ଓ ସୋନ୍ଦୁର ଡ୍ୟାମ୍‌ର ରୁଲ୍‌ କର୍ଭ ତଥ୍ୟ ପ୍ରଦାନ କରିବେ। ଅର୍ଥାତ୍‌ ଏ ସଂପର୍କରେ ଆଜି ବି ଓଡ଼ିଶା ଅନ୍ଧାରରେ ରହିଛି।

ଏହି ବୈଠକରେ ଛତିଶଗଡର ସଦସ୍ୟ ସୂଚାଇଥିଲେ, ସେମାନେ ମିନିମତା ଓ ରବି ଶଙ୍କର ଡ୍ୟାମ୍‌ର ଜରୁରି କାର୍ଯ୍ୟାନ୍ଵୟନ ଯୋଜନା ପ୍ରସ୍ତୁତ କରୁଛନ୍ତି ଓ ଏହା ସରକାରଙ୍କ ଅନୁମୋଦନ ପରେ ପ୍ରଦାନ କରାଯିବ। ବୈଠକରେ ଏହା ବି ନିଷ୍ପତ୍ତି ହୋଇଥିଲା ଯେ ୭୨ ଘଣ୍ଟା ପୂର୍ବରୁ ବନ୍ୟା ଆଶଙ୍କା ସଂପର୍କରେ ଆଗତୁରା ସତର୍କ କରାଇବା ଲାଗି କେନ୍ଦ୍ରୀୟ ଜଳ ଆୟୋଗକୁ ଓଡ଼ିଶା ସରକାର ଚିଠି ଲେଖିବେ।

ମହାନଦୀକୁ ନେଇ ଏତେ ବର୍ଷ ଧରି ତମ୍ବିତୋଫାନ ହେଉଥିବା ବେଳେ ଉଭୟ ରାଜ୍ୟର ବୈଠକ ବିବରଣୀ ଏବେ ବିଶେଷଜ୍ଞମାନଙ୍କୁ ତାଜୁବ୍‌ କରିଛି। ଯଦି ଏତେ ସବୁ ତଥ୍ୟ ଛତିଶଗଡ ଦେଉନାହିଁ, ତେବେ କେନ୍ଦ୍ରୀୟ ଜଳ ଆୟୋଗ କାହିଁକି ତାହା ଉପରେ ଏଯାଏ ଚାପ ସୃଷ୍ଟି କରୁନାହାନ୍ତି। ଓଡ଼ିଶା ସରକାର ଏ ନେଇ ତମ୍ବିତୋଫାନ କରିବାରେ କାର୍ପଣ୍ୟ କାହିଁକି ଦେଖାଉଛନ୍ତି।

ସୂଚନାଯୋଗ୍ୟ, ଛତିଶଗଡ଼ରେ ସେଠାର ସରକାର ୧୧ଟି ବଡ଼ ଡ୍ୟାମ୍‌ ନିର୍ମାଣ କରିଛନ୍ତି। ଏଥିରେ ସୁବଠାରୁ ବଡ଼ ଡ୍ୟାମ୍‌ ହେଉଛି ମିନିମାତା ବାଙ୍ଗୋ ଏବଂ ରବି ଶଙ୍କର।

ସମ୍ବନ୍ଧିତ ଖବର