ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା : ବଂଶଧାରାରେ ବନ୍ୟା

କାଶୀନଗର : ଉପର ମୁଣ୍ଡରେ ଲଘୁଚାପ ବର୍ଷା ଯୋଗୁଁ ବଂଶଧାରାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଜପତି ଜିଲ୍ଲା କାଶୀନଗର ଠାରେ ଆଜି ଅପରାହ୍ନ ସାଢ଼େ ପାଞ୍ଚଟାରେ ହଠାତ୍‌ ଦେଢ଼ ମିଟର ଉଚ୍ଚରେ ବନ୍ୟା ପାଣି ଆସି ଯାଇଥିବାରୁ ଆତଙ୍କ ଦେଖା ଦେଇଛି। ସୂଚନା ଅନୁସାରେ, କାଶୀନଗର ଠାରେ ସତର୍କ ସଙ୍କେତ ୫୩.୬୦ ମିଟର ଓ ବିପଦ ସଙ୍କେତ ୫୪.୬୦ ମିଟର ରେକର୍ଡ କରାଯାଇଛି। ଆଜି ଅପରାହ୍ନରେ ନଦୀର ପାଣି ସ୍ଥିର ହୋଇ ରହିଥିଲା। ଅପରାହ୍ନ ୪ ଟାରେ ୫୨.୭୧ ମିଟର ଓ ୫ଟାରେ ୫୨.୭୩ ମିଟର ତଳେ ଜଳସ୍ରୋତ ରହିଥିଲା। କିନ୍ତୁ ପ୍ରାୟ ସାଢ଼େ ୫ଟାରେ ହଠାତ୍‌ ଦେଢ଼ ମିଟର ଉଚ୍ଚରେ ବନ୍ୟା ଜଳ ପ୍ରବେଶ କରିଥିଲା। ଅପରାହ୍ନ ଛଅଟା ସୁଦ୍ଧା ଏହା ସତର୍କ ସଙ୍କେତ ଟପି ୫୪.୨୮ ମିଟରରେ ପହଞ୍ଚି ଯାଇଥିଲ।

ଖବର ମିଳିବା ସୁଦ୍ଧା, ସନ୍ଧ୍ୟା ୭ଟାରେ ଜଳସ୍ତର ୫୪.୯୦ ମିଟର ଓ ସନ୍ଧ୍ୟା ୮ଟାରେ ୫୫.୧୪ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ତେବେ ବର୍ତମାନ ସୁଦ୍ଧା କ୍ଷୟକ୍ଷତି ସଂକ୍ରାନ୍ତ କୌଣସି ସୂଚନା ହସ୍ତଗତ ହୋଇ ନଥିଲେ ହେଁ କାଶୀନଗର-ପାରଳା ମୁଖ୍ୟ ରାସ୍ତାରେ କିଡିଗାଁ ଠାରେ ଦେଢ଼ ଫୁଟ ଉଚ୍ଚରେ ବନ୍ୟା ପାଣି ମାଡ଼ି ଆସିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ପାରଳା ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଡେପୁଟି କଲେକ୍ଟର ଜୁବୁଲି ଚରଣ ବେହେରା, ଅତିରିକ୍ତ ତହସିଲଦାର ଆୟୁବ ମଣ୍ଡଳ, ବିଡିଓ ସୁଧିର କୁମାର ସିଂ, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ବଂଶଧାରା ନଦୀ ତଟ ଅଞ୍ଚଳ ଗସ୍ତ କରି ସମୀକ୍ଷା କରିଛନ୍ତି। ଜଳସଂପଦ ଇଂଜିନିୟର ସଂଜୟ ରଥ ଓ ସହକାରୀ ଯନ୍ତ୍ରୀ ରାଧାକାନ୍ତ ସାବତ ବଂଶଧାରା ନଦୀର ତଳ ମୁଣ୍ଡରେ ରହିଥିବା ହିରୋମଣ୍ଡଳ ସ୍ଥିତ ଗୋଟା ବ୍ୟାରେଜ ଗସ୍ତ କରି ଜଳ ନିଷ୍କାସନ ସକାଶେ ପଦକ୍ଷେପ ଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବ୍ୟାରେଜ୍‌ ରେ ରହିଥିବା ୨୨ଟି ଫାଟକ ୦.୫ ମିଟର ଖୋଲା ଯାଇଛି। ଏଥିରେ ସେକେଣ୍ଡ ପ୍ରତି ୧୧ ହଜାର କ୍ୟୁସେକରୁ ଅଧିକା ଜଳ ନିଷ୍କାସନ ହେଉଛି।

ସମ୍ବନ୍ଧିତ ଖବର