ବଂଶଧାରା, ନାଗାବଳୀ ଜଳ ପତ୍ତନ କମିଲା

ରାୟଗଡ଼ା : ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ପରେ ଏବେ ରାୟଗଡ଼ା ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଆଜି ଜିଲ୍ଲାର ପ୍ରମୁଖ ବଂଶାଧାରା ଓ ନାଗାବଳୀ ନଦୀର ଜଳ ପତ୍ତନ ହ୍ରାସ ପାଇଛି। ତେଣୁ ବନ୍ୟା ହେବାର ଆଶଙ୍କା କମି ଯାଇଛି। ତେବେ ଗତକାଲି ପ୍ରବଳ ବର୍ଷା କାରଣରୁ କ୍ଷୟକ୍ଷତି ସଂପର୍କିତ ବିବରଣୀ ଯଥା, ଘର ଭାଂଗିବା, ଜମିରେ ବାଲିଚୋର ମାଡ଼ିଯିବା, ରାସ୍ତା, ସେତୁ ଭାଂଗିଥିବା ନେଇ ରିପୋର୍ଟ ପ୍ରସ୍ତୁତ କରି ଦୁଇ ଦିନ ମଧ୍ୟରେ ଦେବାକୁ ସମସ୍ତ ତହସିଲଦାର, ବିଡ଼ିଓ, କୃଷି ବିଭାଗ ଏବଂ ଅନ୍ୟ ଲାଇନ ବିଭାଗକୁ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ନିର୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ବିବରଣୀ ପ୍ରସ୍ତୁତ କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିକଟକୁ ପଠାଯିବ ବୋଲି ଜିଲ୍ଲା ଜରୁରୀ ଅଧିକାରୀ ବବିତାରାଣୀ ଦଳ ବେହେରା କହିଛନ୍ତି। ସେହିପରି ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଛି। ଏହାପରେ ହାଟମୁନିଗୁଡ଼ା ନିକଟ ଡାକୁଲୁଗୁଡ଼ା ଏବଂ ଗୁମୁଡ଼ା-ଗୁଣପୁର ରାସ୍ତାରେ କଲଭର୍ଟ ମରାମତି କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ ହୋଇଥିବା ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି। ଗତକାଲି ବର୍ଷା ପ୍ରଭାବରେ ଭାଂଗିଯାଇଥିବା ଡାଇଭର୍ସନ ରାସ୍ତା ଓ କଲଭର୍ଟ ଗୁଣପୁର ପୂର୍ତ ଡିଭିଜନ ନିର୍ବାହୀ ଅଧିକାରୀ ସୀମାଦ୍ରି ନାୟକ ଓ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମଣ୍ଡଳ ବୁଲି ଦେଖିଥିଲେ। ଆସନ୍ତା କାଲି ସୁଦ୍ଧା ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ହୋଇପାରିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସେହିଭଳି ପୂର୍ବରୁ ମରାମତି ହୋଇପାରିନଥିବା ଗୁଡ଼ାରୀ ବଂଶଧାରା ନଦୀ ବନ୍ଧକୁ ଆଜି ମାଟି ପକାଇ ସୁରକ୍ଷିତ କରାଯାଇଛି। ଆଜି ସନ୍ଧ୍ୟାରେ ବଂଶଧାରା ନଦୀର ଜଳ ପତନ ହ୍ରାସ ପାଇ ୮୦ ମିଟର ଠାରୁ କମରେ ଏବଂ ଗୁଡ଼ାରୀ ଠାରେ ୧୧୫ ମିଟରରେ ପ୍ରବାହିତ ହେଉଥିଲା। ନାଗାବଳୀ ଓ କଲ୍ୟାଣୀ ନଦୀର ଜଳ ପତ୍ତନ ମଧ୍ୟ କମିଥିବା ସୂଚନା ମିଳିଛି। ଜରୁରୀ କାର୍ଯ୍ୟାଳୟ ସୂତ୍ରରୁ ଆଜି ମିଳିଥିବା ତଥ୍ୟ ଅନୁଯାୟୀ ବିଷମକଟକରେ ୧୦୪ ମିମି, କାଶିପୁରରେ ୮୫.୪ମିମି, ମୁନିଗୁଡ଼ାରେ ୧୦୮.୪ ମିମି, ରାୟଗଡ଼ା ୯୬.୬ ମିମି, ଗୁଣପୁରରେ ୨୨.୦ ମିମି, ଗୁଡ଼ାରୀରେ ୧୨୨.୪ ମିମି, ରାମନାଗୁଡ଼ାରେ ୫୬ ମିମି, କୋଲନରାରେ ୩୩.୨ ମିମି ଏବଂ ଚନ୍ଦ୍ରପୁରରେ ୭୭.୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର