ବଢ଼ୁଛି ବୈତରଣୀ, ବିପଦ ସଙ୍କେତ ଉପରେ ଜଳକା

ଭଦ୍ରକ/ବାଲେଶ୍ୱର/ଗାନ୍ଧିଛକ/ରୂପ୍‌ସା : ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବାହିତ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଁ ଭଦ୍ରକ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବାବେଳେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ୍‌ରେ ଥିବା ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ତେବେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ସ୍ଥିତି ସାମାନ୍ୟ ରହିଛି। ଦୁଇ ଜିଲ୍ଲାରେ ଗତକାଲିଠାରୁ ବେଶ୍‌ ଭଲ ବର୍ଷା ସତ୍ତ୍ୱେ ଏହି ଦୁଇ ନଦୀର ଜଳସ୍ତର ବିପଦ ସଂକେତଠାରୁ ଯଥେଷ୍ଟ ତଳେ ରହିଛି।

ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଆଜି ସଂଧ୍ୟା ସୁଦ୍ଧା ୧୭.୧୫ ମିଟରରେ ରହିଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭. ୮୩ ମିଟର ହୋଇଥିବାରୁ ନଦୀର ଜଳ ବିପଦ ସଙ୍କେତ ଟପିଯିବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ବୈତରଣୀ ନୁହେଁ, ଭଦ୍ରକର ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ସାଳନ୍ଦୀ ନଦୀ ଉଛୁଳିଲେ ଭଦ୍ରକ ସହର ବୁଡିବା ସହ ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ ବିଶେଷ କ୍ଷତି ପହଞ୍ଚାଇବ ବୋଲି ଜଳ ସଂପଦ ବିଭାଗ କହିଛି। ସାଳନ୍ଦୀର ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ହୋଇଥିବାରୁ ଏଇସବୁ ବନ୍ଧକୁ ତୁରନ୍ତ ମରାମତି କରାଯିବାର ଆବଶ୍ୟକତା ରହିଛି। ସେହିଭଳି ଭଦ୍ରକର ରେବ, କପାଳି, ଗେଙ୍ଗୁଟି, ମନ୍ତେଇ ନଈରେ ମଧ୍ୟ ଲଘୁଚାପଜନିତ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି।

ସେହିପରି ଦୁଇଦିନ ଧରି ଲଗାଣ ବର୍ଷା ହେବା ଫଳରେ ବାଲେଶ୍ୱର ଜିଲ୍ଲାର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଗତକାଲି ରାତିରୁ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନୀ ଜଳକା ପ୍ରୋଜେକ୍ଟଠାରେ ଜଳକାର ବିପଦ ସଂକେତ ୫.୫୦ ମିଟର ହୋଇଥିବା ବେଳେ ଗତକାଲି ରାତିରେ ଏହା ୫.୫୮ ମିଟରରେ ପ୍ରବାହିତ ହେଉଥିଲା। ଆଜି ଦିନ ୧୨ଟାରେ ଜଳକା ୫.୭୭ ମିଟରରେ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଲଗାଣବର୍ଷା ଫଳରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଆଂଶିକ ଭାବେ ବଢ଼ିଥିବା ଜଣାପଡ଼ିଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଏବେ ୩.୬୮ମିଟରକୁ ଉଠିଥିବା ବେଳେ ୭.୨୦ ମିଟରରେ ସତର୍କ ସଙ୍କେତ ରହିଛି। ସେହିପରି ସୁବର୍ଣ୍ଣରେଖା ନଦୀରେ ୫.୨୯ ମିଟର ପର୍ଯ୍ୟନ୍ତ ଜଳସ୍ତର ଉଠିଥିବା ବେଳେ ଏହାର ସତର୍କ ସଙ୍କେତ ରହିଛି ୯.୪୫। ତେଣୁ ବର୍ତ୍ତମାନ ପାଇଁ ଏହି ଦୁଇ ନଦୀରେ ବନ୍ୟା ଆଶଙ୍କା ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର