ଉପରମୁଣ୍ଡରେ ଲଗାଣ ବର୍ଷା : ଫୁଲୁଛି ବୈତରଣୀ, ଆଖୁଆପଦାରେ ବିପଦ ସଂକେତ ଉପରେ ପାଣି, ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳବାସୀ ଆତଙ୍କିତ

ପାଣିକୋଇଲି : ଫୁଲୁଛି ବୈତରଣୀ। ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁଁ ଗତରାତିରୁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏବଂ ଆଖୁଆପଦାଠାରେ ବୈତରଣୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଉପ‌ରମୁଣ୍ଡରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଥିବା ବେଳେ ବନ୍ୟା ଆ‌ଶଙ୍କାରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପଟେ ‌ଯାଜପୁର ଜିଲ୍ଲାର କୋରେଇ, ଦଶରଥପୁରର ନଦୀକୂଳିଆ ଏବଂ ତଳିଆ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

ଜଳସେଚନ ବିଭାଗ ସୂତ୍ରରୁ ମିଳଥିବା ସୂଚନା ଅନୁଯାୟୀ, ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଗତକାଲି ରାତି ଗୋଟାଏ ବେଳେ ଜଳସ୍ତର ଥିଲା ୧୭.୧୧ମିଟର। ଆଜି ସକାଳ ୮ ଟା ବେଳେ ଜଳସ୍ତର ୧୭.୨୦ମିଟରକୁ ବୃଦ୍ଧି ପ‌ାଇଥିଲା। ପାଣି ବଢ଼ିବାରୁ ସକାଳ ୯ ଟାରେ ବ୍ୟାରେଜ କବାଟ ଖୋଲା ଯାଇଥିଲା। ମଧ୍ୟାହ୍ନ ୧୨ଟା ବେଳକୁ ଜଳସ୍ତର ୧୭.୨୯ ଛୁଇଁଥିଲା। ତେବେ ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଏହାଠାରୁ ଢେର ଅଧିକ ଜଳସ୍ତର ୧୮.୮ ମିଟର ରହିଥିବା ଜଳସେଚନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପାଣି ବଢ଼ୁଥିବାରୁ ଆଖୁଆପଦାଠାରେ ଜଳସ୍ତର ୧୯ ମିଟର ଟପିଯିବାର ସମ୍ଭାବନା ରହିଛି। ଏହାଦ୍ବାର ଭୟଙ୍କର ବନ୍ୟା ହେବ ବୋଲି ଅଖୁଆପଦା ବ୍ୟାରେଜର ଫିଲ୍ଡ ଇନିସ୍‌ପେକ୍ଟର ଚିନ୍ମୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଯାହା ସୂଚନା ମିଳିଛି ଗତ ୨୪ ଘଣ୍ଟା ମଧ୍ୟରେ ଆଖୁଆପଦାଠାରେ ୩୫.୬ ମିଲିମିଟର, ଆନନ୍ଦପୁରରେ ୨୫୫.୨ମିମି, ଚମ୍ପୁଆରେ ୨୫.୮ ମିଲିମିଟର, ସୋମପାଟଣାରେ ୨୮.୨, କେନ୍ଦୁଝରରେ ୨୫.୨, ଠାକୁରମୁଣ୍ତାରେ ୨୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ରାତିରେ ଉପର ମୁଣ୍ତରେ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ବୈତରଣୀ ନଦୀର ଜଳସ୍ତର ଅଧିକ ବଢ଼ିବାର ସମ୍ଭାବନା ରହିଛି। ସେଥିପାଇଁ ଜଳସଂପଦ ବିଭାଗ ଯାଜପୁର ଖଣ୍ତର ଏସଡିଓ ପ୍ରଫୁଲ୍ଲ କୁମାର କର ଜଳସ୍ତର ଉପରେ ତିକ୍ଷ୍ଣ ନଜର ରଖିବାକୁ ଆଖୁଆପଦା ବ୍ୟାରେଜ୍ କର୍ମଚାରୀଙ୍କୁ ନିଦେର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର