‘ସଜାଇଛି, କେତେ ଖର୍ଚ୍ଚ ହୋଇଛି କହିଦେଲେ ଅହଙ୍କାର ହେବ’ : ଫୁଲରେ ଝଲସୁଛି ଶ୍ରୀମନ୍ଦିର

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ଲାଗି ସାରିଲାଣି ୧୦ ଟ୍ରକ୍‌ ଫୁଲ, କାମ କରୁଛନ୍ତି ୨୫୦ କାରିଗର

ପୁରୀ : କେତେ କିସମର ରଙ୍ଗବେରଙ୍ଗର ଫୁଲରେ ଝଲସୁଛି ଶ୍ରୀମନ୍ଦିର। ଦେଖିଲେ ଆଖି ଖୋସି ହୋଇଯାଉଛି। ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏକ ନିଆରା ଦୃଶ୍ୟ ଦେଖିବାର ସୌଭାଗ୍ୟ ପ୍ରାପ୍ତି ହୋଇଛି ଭକ୍ତମାନଙ୍କୁ। ଫୁଲ ସଜା ହେବା ପରେ ଶ୍ରୀମନ୍ଦିର ‌ଶୋଭା ଯେମିତି ଦ୍ବିଗୁଣିତ ହୋଇଯାଇଛି। ଶ୍ରୀମନ୍ଦିର ସିଂହଦ୍ବାର, ଗୁମୁଟ, ବାଇଶି ପାହାଚ, ସାତ ପାହାଚ, ପଶ୍ଚିମ ଦ୍ବାର, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମେଘନାଦ ପ୍ରାଚୀର, ଭିତର ମନ୍ଦିର, ନାଟମଣ୍ଡପ ସବୁଠି ଫୁଲରେ ସଜା ହୋଇଛି। ପୂରା ମନ୍ଦିରକୁ ସଜାଇବାରେ ବର୍ତ୍ତମାନ ସୁଦ୍ଧା ୧୦ ଟ୍ରକ୍‌ ଫୁଲ ଲାଗି ସାରିଲାଣି। ଏଥି ପାଇଁ ୨୫୦ କାରିଗର ଦିନରାତି କାମରେ ଲାଗିଛନ୍ତି। ଶ୍ରୀମନ୍ଦିର ସଜା କାମ ସରିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଫୁଲରେ ସଜା ହେବ। ଫୁଲର ଏହି ସାଜସଜ୍ଜା ଦେଖି ଭକ୍ତଗଣ ବିମୋହିତ ହୋଇ କହୁଛନ୍ତି; ଆହା କି ସୁନ୍ଦର ଶ୍ରୀମନ୍ଦିର।

ଶ୍ରୀମନ୍ଦିର ଫୁଲସଜା ଦେଖିବାକୁ ଆଜି ଦିନତମାମ୍‌ ପ୍ରବଳ ଭିଡ ହୋଇଥିଲା। ଦିଲ୍ଲୀ ବାସିନ୍ଦା ତଥା ଜଗନ୍ନାଥ ପ୍ରେମୀ କେକେ ଶର୍ମା ମହାପ୍ରଭୁଙ୍କ ମନ୍ଦିରରେ ଏହି ଫୁଲସଜା ଦାୟିତ୍ବ ନେଇଛନ୍ତି। ଏ ନେଇ ‘ସମ୍ବାଦ’ ପକ୍ଷରୁ ତାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ, ଶ୍ରୀମନ୍ଦିରରେ ଫୁଲ ସଜାଇବା ପାଇଁ ସେଭଳି କିଛି ମାନସିକ କରି ନଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ କୃପା ଥିଲା, ତାଙ୍କର କିଛି ବନ୍ଧୁ ଏଥିପାଇଁ ପ୍ରସ୍ତାବ ଦେଇଥିଲେ। ତେଣୁ ଏହା ସମ୍ଭବ ହେଲା। ଶ୍ରୀ ଶର୍ମା ଆହୁରି କହିଥି‌େଲ ଯେ ରଥଯାତ୍ରାରେ ଶ୍ରୀମନ୍ଦିର ସଜାଇବା ତାଙ୍କ ପାଇଁ ଏକ ବଡ଼ ସୁଯୋଗ।

ପ୍ରାୟ ୨୫୦ କାରିଗର ଫୁଲସଜା କାମରେ ଲାଗିଛନ୍ତି। ତେବେ ଏଭଳି ନିଷ୍ପତ୍ତି କାହିଁକି ନେଲେ ବୋଲି ପଚରାଯିବାରୁ ଶ୍ରୀ ଶର୍ମା କହିଥିଲେ, ମନ୍ଦିର ସାଜସଜ୍ଜା ସେ ଆଜି କରୁନାହାନ୍ତି। ଭଗବତଙ୍କ କରୁଣାରୁ ଆଜିକୁ ୨୦ ବର୍ଷ ହେଲା ସେ ବୈଷ୍ଣବଦେବୀ ମନ୍ଦିରକୁ ଫୁଲରେ ସଜାଇ ଆସୁଛନ୍ତି। ସେହିଭଳି ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିର ଓ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ପୂର୍ବରୁ ସେ ସଜାଇଛନ୍ତି। ଓଡ଼ିଶାରେ ରହୁଥିବା ତାଙ୍କର କିଛି ବନ୍ଧୁ ଶ୍ରୀମନ୍ଦିର ସଜାଇବା ଲାଗି ପ୍ରସ୍ତାବ ଦେଇଥିଲେ। ଅନୁମତି ଲୋଡ଼ିବା ବେଳେ ମନ୍ଦିର ପ୍ରଶାସନ ମଧ୍ୟ ହଁ କରିଥିଲା। ଏଭଳି ଭବ୍ୟ ଫୁଲ ସଜା କାମରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପଚାରିବାରୁ ଶ୍ରୀ ଶର୍ମା ବିନମ୍ରତାର ସହ ଏ ସଂପର୍କରେ କିଛି କହିବାକୁ ମନା କରିଥିଲେ। ତେବେ ଏତିକି କହିଥିଲେ, ମହାପ୍ରଭୁଙ୍କ କାମରେ ଟଙ୍କାର କିଛି ହିସାବ କରାଯାଏନାହିଁ। ଏଥି‌ରେ କେତେ ଟଙ୍କା ଖର୍ଚ୍ଚ ହୋଇଛି କହିଦେଲେ ଅହଙ୍କାର ‌ହେବ। ଭଗବାନ ସବୁ ସହ୍ୟ କରିପାରନ୍ତି, କିନ୍ତୁ ଗର୍ବ, ଅହଙ୍କାର ନୁହେଁ। ଦିଲ୍ଲୀ ନିବାସୀ କେକେ ଶର୍ମା ଭାରତର ଏକ ପ୍ରତିଷ୍ଠିତ ଆୟୁର୍ବେଦିକ ଔଷଧ କଂପାନି (ଆଇମିଲ୍‌)ର ମାଲିକ ବୋଲି ଜଣାପଡିଛି। ଫୁଲ କାରିଗରଙ୍କ କହିବା ମୁତାବକ, ଦୁଇ ମନ୍ଦିରକୁ ସଜାଇବା ଲାଗି ଅତିକମରେ ୨୦ ଟ୍ରକ୍‌ରୁ ଅଧିକ ଫୁଲ ଲାଗିବ। କାରିଗରଙ୍କ ମଜୁରି ଓ ଫୁଲକୁ ମିଶାଇଲେ ଏ ବାବଦରେ ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର