ବାରିପଦାରୁ ବିରଳ ‘ଉଡ଼ନ୍ତା ସାପ’ ଉଦ୍ଧାର

ବାରିପଦା: ବାରିପଦା ସହରରୁ ରବିବାର ଏକ ବିରଳ ‘ଉଡ଼ନ୍ତା ସାପ’ (ଓର୍‌ନେଟ ଫ୍ଲାଇଂ ସ୍ନେକ୍‌) ଉଦ୍ଧାର କରାଯାଇଛି। ଏହି ପ୍ରଜାତିର ସାପ ବିଶେଷକରି ଭାରତବର୍ଷରେ ଦେଖିବାକୁ ମିଳନ୍ତିନାହିିଁ। ମାତ୍ର ବାରିପଦାରେ ଏହା ପ୍ରଥମଥର ପାଇଁ ଦେଖିବାକୁ ମିଳିଛିବୋଲି ‘ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର’ର ‘ଆନିମଲ୍‌ ରେସ୍‌କ୍ୟୁ ଟିମ୍‌’ର ହେଡ୍‌ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ସୂଚନା ଦେଇଛନ୍ତି। ଅପରାହ୍ନ ୨ଟା ୫୦ରେ ବାରିପଦା ଉପକଣ୍ଠ ଧନପୁର ନିକଟସ୍ଥ ଜଣେ ବ୍ୟକ୍ତିଙ୍କ କାଠବୋଝେଇ ସାଇକେଲ୍‌ରେ ଥିବା କଥା ଜଣାପଡ଼ିଥିଲା।


କାଠ ବୋଝେଇ ସାଇକେଲ୍‌ ମାଲିକ ‘ଆନିମଲ୍‌ ରେସ୍‌କ୍ୟୁ ଟିମ୍‌’କୁ ଖବର ଦେବାପରେ କୃଷ୍ଣଚନ୍ଦ୍ର ଗୋଛାୟତଙ୍କ ନେତୃତ୍ଵରେ ଦୀପକ କୁମାର ବେଣ୍ଟକାର, ଚନ୍ଦନ ଗୋଛାୟତ ପ୍ରମୁଖ ପହଞ୍ଚି ଏହି ବିରଳ ସାପଟିକୁ ଉଦ୍ଧାର କରିଥିଲେ। ଏହାପରେ ସାପଟିକୁ ଜଙ୍ଗଲ ବିଭାଗ ମାର୍ଫତରେ ଶିମିଳିପାଳ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହି ସାପଟିର ଦୈର୍ଘ୍ୟ ୧ ମିଟରରୁ ସାମାନ୍ୟ ଅଧିକ ଅଧିକ ଏବଂ ଏହା ଖୁବ୍‌ ବିଷାକ୍ତ ବୋଲି ଜଣାପଡ଼ିଛି। ଏହାର ଶରୀରର ରଙ୍ଗ କଳା ଏବଂ ଶରୀରରେ ଗାଢ଼ ଲାଲ୍‌ ରଙ୍ଗର ଦାଗମାନ ଦେଖିବାକୁ ମିଳିଛି। ଏହି ବିରଳ ବିଷଧର ଏବଂ ରଙ୍ଗୀନ୍‌ ସାପଟି ଉଦ୍ଧାର ହେବା ଘଟଣା ସମଗ୍ର ବାରିପଦା ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର