ଭୁବନେଶ୍ୱର: ସାଧାରଣ ଲୋକ ଯେପରି ବିମାନରେ ଯାତ୍ରା କରିପାରିବେ ସେଥିପାଇଁ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ‘ଉଡାନ୍’ ଯୋଜନା ଆରମ୍ଭ କରିଛି। ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟରେ ଏହି ଉଡାନ୍ ଯୋଜନା ଦୀର୍ଘ ମାସ ହେଲା ଆରମ୍ଭ ହୋଇଗଲାଣି। ଅଧିକାଂଶ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ହିଁ ଓଡ଼ିଶାରେ ଉଡାନ୍ ଯୋଜନାରେ ବିମାନ ସେବା ଆରମ୍ଭ ହୋଇପାରୁନି। ଓଡ଼ିଶାର ବିମାନ ଉଡ଼ାଣକାରୀ ସଂସ୍ଥା ଏୟାର ଓଡ଼ିଶା ବିଭିନ୍ନ ରାଜ୍ୟରେ ଏହି ଯୋଜନାରେ ବିମାନ ସେବା ଯୋଗାଉଥିଲେ ହେଁ ଓଡ଼ିଶାରେ ସେବା ଆରମ୍ଭ କରିପାରିନି। ମିଳିଥିବା ସୂଚନା ଅନୁଯାୟୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ଝାରସୁଗୁଡ଼ା ବିମାନବନ୍ଦରର ଉଦ୍ଘାଟନ ସହ ରାଜ୍ୟରେ ‘ଉଡାନ୍’ ଯୋଜନାର ଆରମ୍ଭ ହେବ। ଏହି ଦୁଇଟି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ଏହି ଦୁଇଟି ଯୋଜନା ସ୍ଥାନ ପାଇପାରୁନଥିବାରୁ ଉଡାନ୍ ଯୋଜନା କାର୍ଯ୍ୟକ୍ଷମ ହେବାର ବର୍ଷକ ପରେ ବି ଓଡ଼ିଶାରେ ଏହା କାର୍ଯ୍ୟକାରୀ ହୋଇପାରୁନି।
Sambad is now on WhatsApp
Join and get latest news updates delivered to you via WhatsApp
ଝାରସୁଗୁଡ଼ା ବିମାନବନ୍ଦର ଉଦ୍ଘାଟନ ‘ଉଡାନ୍’ରେ ମୁଖ୍ୟ ବାଧକ
ଜାନୁଆରି, ୨୦୧୮ରୁ ଓଡ଼ିଶାରେ ଉଡାନ୍ ଯୋଜନାରେ ବିମାନ ସେବା ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। କିନ୍ତୁ ରାଜ୍ୟ ସରକାର ଏହି ସମୟରେ ‘ଉଡାନ୍’ରେ ବିମାନ ଯାତାୟତ କରିବାକୁ ଥିବା ଝାରସୁଗୁଡ଼ା, ରାଉରକେଲା, ଜୟପୁର, ଉତକେଲା ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ କରିପାରିଲେନି। ରାଜ୍ୟ ସରକାର ମେ’ ମାସରୁ ଝାରସୁଗୁଡ଼ା ଓ ରାଉରକେଲା ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ସମସ୍ତ ପ୍ରକାରର ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଥିଲେ ବି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅସହଯୋଗ ଯୋଗୁଁ ଏଠାରୁ ବିମାନ ସେବା ଆରମ୍ଭ ହୋଇପାରୁନି। ଜୁନ୍ ୧୪ରୁ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବାର ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇଥିଲା। କିନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା ଯେ, ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରର ଉଦ୍ଘାଟନ କରିବା ସହ ଉଡାନ୍ ଯୋଜନାର ଶୁଭାରମ୍ଭ ହେବ। କିନ୍ତୁ ତାହା ହୋଇପାରିଲାନି। ଏହାପରେ ଝାରସୁଗୁଡ଼ା ବିମାନବନ୍ଦରକୁ ଡିଜିସିଏ ଅଗଷ୍ଟ ୧ରେ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ଦେଇଥିଲା। ଲାଇସେନ୍ସ ମିଳିବା ପରେ କୁହାଗଲା ଅଗଷ୍ଟ ୨୧ରେ ପ୍ରଧାନମନ୍ତ୍ରୀ ଏହାର ଉଦ୍ଘାଟନ କରିବେ। ତଥାପି ହେଲାନି। ପ୍ରଧାନମନ୍ତ୍ରୀ କେବେ ଏହାର ଉଦ୍ଘାଟନ କରିବେ ତାହା ସ୍ଥିର ହୋଇପାରିନଥିବାରୁ ଏଠାରୁ ବିମାନ ଉଡ଼ାଣ ହୋଇପାରୁନି। ଅପରପକ୍ଷେ ରାଉରକେଲା ବିମାନବନ୍ଦରକୁ ବିମାନ ଉଡ଼ାଣ ପାଇଁ ପ୍ରାୟ ୬ମାସ ହେଲା ଆବେଦନ କରାଯାଇଥିଲେ ହେଁ ଲାଇସେନ୍ସ ମିଳିନଥିବାରୁ ଏହା ବି ଅନିଶ୍ଚିତତା ମଧ୍ୟରେ ରହିଛି। ଏପଟେ ଉତ୍କେଲା ଓ ଜୟପୁର ବିମାନବନ୍ଦର ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇସାରିଲାଣି। ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷାକର୍ମୀ, ଅଗ୍ନିଶମ ଅଧିକାରୀ ନିୟୋଜିତ ହୋଇସାରିଲେଣି।
ଓଡ଼ିଶାରେ ଉଡାନ୍ ଯୋଜନା ପାଇଁ ବିମାନବନ୍ଦର ପ୍ରସ୍ତୁତ ନଥିବାରୁ ଏୟାର ଓଡ଼ିଶା ତା’ର ଉଡାନ୍ ରୁଟ୍ରେ ବିମାନ ଉଡ଼ାଣ କରିପାରୁନି। ଜୁନ୍ ୨୦ରୁ ଏୟାର ଓଡ଼ିଶା ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା ଆରମ୍ଭ କରିଥିଲେ ହେଁ ଝାରସୁଗୁଡ଼ାକୁ ବିମାନ ଉଡ଼ାଣ କରୁନଥିବାରୁ ଉଡାନ୍ ଯୋଜନାରେ ଯେଉଁ ସବ୍ସିଡି ପାଇବା କଥା ପାଉନାହିଁ। ଫଳରେ ଏହି ୧୯ ସିଟ୍ ବିଶିଷ୍ଟ ବିମାନରେ ଯେଉଁଦିନ କମ୍ ଯାତ୍ରୀ ହେଉଛନ୍ତି ସେଦିନ ଏହାର ଉଡ଼ାଣ ହଠାତ୍ ବାତିଲ୍ ହୋଇଯାଉଛି। ଏପରିକି କେତେବେଳେ ବିମାନର ଯାନ୍ତ୍ରିକ ତ୍ରୁଟି ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଉଡ଼ାଣ ବାତିଲ୍ ହେଉଥିବା ବିମାନବନ୍ଦର ସୂତ୍ରରୁ ସୂଚନା ମିଳିଛି।
ଉଡାନ୍ ଯୋଜନାରେ ଭୁବନେଶ୍ୱର- ଉତ୍କେଲା, ଉତ୍କେଲା-ରାୟପୁର, ଭୁବନେଶ୍ୱର- ଜୟପୁର, ଭୁବନେଶ୍ୱର- ଝାରସୁଗୁଡ଼ା, ଝାରସୁଗୁଡ଼ା- ରାୟପୁର, ଝାରସୁଗୁଡ଼ା- ରାୟପୁର, ଭୁବନେଶ୍ୱର-ରାଉରକେଲା ରୁଟ୍ରେ ବିମାନ ଉଡ଼ାଣ ପାଇଁ ସ୍ଥିର ହୋଇଛି। ଏହି ରୁଟ୍ରେ ବିମାନ ଭଡ଼ା ପ୍ରାୟ ୨୫୦୦ ଟଙ୍କା ରହିବ। ଉଡାନ୍ ଯୋଜନାରେ ରାଜ୍ୟ ସରକାର ୨୦% ଭାଏବେଲ୍ ଗ୍ୟାପ୍ ଫଣ୍ଡିଂ ଅର୍ଥ ଦେବେ।