୫ ସହରରେ ଶୁଭିବ ଘରୋଇ ଏଫ୍‌ଏମ୍‌ର ସ୍ୱର

ସେବା ସଂପ୍ରସାରଣ ପାଇଁ ଲାଗିଗଲା ୧୦ ବର୍ଷ

ସମ୍ବଲପୁର: ଓଡ଼ିଶାର ଆଉ ୫ଟି ସହରରେ ଘରୋଇ ବ୍ୟବସାୟିକ ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ କାର୍ଯ୍ୟକାରୀ ହେବ। ପୂର୍ବରୁ ଓଡ଼ିଶାର ଭୁବନେଶ୍ୱର-କଟକ ଟ୍ଵିନ୍‌ ସିଟି ତଥା ରାଉରକେଲାରେ ଘରୋଇ ଏଫ୍‌ଏମ୍‌ ରେଡିଓ ଚାଲୁଥିଲା ବେଳେ ଆଗକୁ ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, ବାରିପଦା ଓ ପୁରୀରେ ୩ଟି ଲେଖାଏଁ ଘରୋଇ ବ୍ୟବସାୟିକ ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ କାର୍ଯ୍ୟକାରୀ ହେବ। ଫଳରେ ଏହି ସହରର ଶ୍ରୋତାମାନେ ଏଫ୍‌ଏମ୍‌ ରେଡିଓରେ ମନଛୁଆଁ ଗୀତ ସହ ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ପାରିବେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ତୃତୀୟ ପର୍ଯ୍ୟାୟ ଏଫ୍‌ଏମ୍‌ ରେଡିଓ ଲାଇସନ୍‌ସ ନିଲାମ ପ୍ରକ୍ରିୟାରେ ଓଡ଼ିଶାର ଏହି ନୂଆ ୫ଟି ସହର ତାଲିକାଭୁକ୍ତ ହୋଇଛନ୍ତି। ତେବେ ବର୍ଷେରୁ ଅଧିକ ସମୟ ହେଲା ଏହି ଇ-ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରି ନାହିଁ। ଦେଶରେ ଘରୋଇ ରେଡିଓ ଷ୍ଟେସନ୍‌କୁ ଲାଇସନ୍‌ସ ପ୍ରଦାନର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ କୌଣସି ଏଫ୍‌ଏମ୍‌ ରେଡିଓ ମିଳି ନଥିଲା। ସେଥର କେବଳ ବଡ଼ବଡ଼ ମେଟ୍ରୋପଲିଟାନ୍‌ ସହର ହିଁ ନିଲାମ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ଥିଲେ। ପରବର୍ତୀ ସମୟରେ ୨୦୦୭ରେ ଦେଶରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଏଫ୍‌ଏମ୍‌ ରେଡିଓ ଲାଇସନ୍‌ସ ପ୍ରଦାନ ପ୍ରକ୍ରିୟାରେ ଓଡ଼ିଶାରେ ପ୍ରଥମ କରି ଘରୋଇ ରେଡିଓ ଷ୍ଟେସନ୍‌ ଖୋଲିଥିଲା। ସେଥର ଭୁବନେଶ୍ୱର ଓ ରାଉରକେଲାରେ ତିନିଟି ଲେଖାଏଁ ଘରୋଇ ସଂସ୍ଥାକୁ ରେଡିଓ ଷ୍ଟେସନ୍‌ ଖୋଲିବାକୁ ଅନୁମତି ମିଳିଥିଲା। ତେବେ ଭୁବନେଶ୍ୱରରେ ୩ଟି ଓ ରାଉରକେଲାରେ ୨ଟି ଘରୋଇ ରେଡିଓ କାର୍ଯ୍ୟକାରୀ ହୋଇଥିଲା। ରେଡିଓ ଚକଲେଟ୍‌ ଓ ବିଗ୍‌ ଏଫ୍‌ଏମ୍‌ ଉଭୟ ସହରରେ କାର୍ଯ୍ୟକ୍ରମ ପରିବେଷଣ ଆରମ୍ଭ କରିଥିଲେ। ସେହିପରି ଏସ୍‌ଏଫ୍‌ଏମ୍‌ କେବଳ ଭୁବନେଶ୍ୱରରେ କାର୍ଯ୍ୟକାରୀ ହୋଇଥିଲା ଯାହାର ନାମ ପରିବର୍ତିତ ହୋଇ ପରବର୍ତୀ ସମୟରେ ରେଡ୍‌ ଏଫ୍‌ଏମ୍‌ ହୋଇଥିଲା। ‘ସମ୍ବାଦ ଗ୍ରୁପ୍‌’ ପରିଚାଳିତ ରେଡିଓ ଚକଲେଟ୍‌ ଓଡ଼ିଶାର ଏକମାତ୍ର ସଂସ୍ଥା ହୋଇଥିଲାବେଳେ ଅନ୍ୟ ଦୁଇଟି ଜାତୀୟସ୍ତରର ରେଡିଓ ନେଟ୍‌ଓ୍ଵାର୍କ ଥିଲେ।

ଏହାର ଦୀର୍ଘ ୧୦ ବର୍ଷ ପରେ ୨୦୧୭ରେ ତୃତୀୟ ପର୍ଯ୍ୟାୟ ଲାଇସନ୍‌ସ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ପ୍ରଥମ ଭାଗରେ ରାଉରକେଲାରେ ୨ଟି ଓ ଭୁବନେଶ୍ୱରରେ ଗୋଟିଏ ନୂଆ ଘରୋଇ ରେଡିଓ ଷ୍ଟେସନ୍‌ ପାଇଁ ନିଲାମ ହୋଇ ଲାଇସନ୍‌ସ ପ୍ରଦାନ କରାଯାଇଛି। ସାର୍ଥକ୍‌ ଗ୍ରୁପ୍‌ ଉଭୟ ସହରରେ ଓ ଓଡ଼ିଶା ଟେଲିଭିଜନ୍‌ ଗ୍ରୁପ୍‌ ଅନ୍ତର୍ଗତ ରେଡିଓ ଓଡ଼ିଶା ଭୁବନେଶ୍ୱରରେ କାର୍ଯ୍ୟକ୍ରମ ପ୍ରସାରଣ ଅନୁମତି ହାସଲ କରିଛି। ଫଳରେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଏବେ ଘରୋଇ ରେଡିଓ ସଂଖ୍ୟା ୪ରେ ପହଞ୍ଚିଛି। ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଭାଗରେ ରାଜ୍ୟର ନୂଆ ୫ଟି ସହରର ପାଳି ପଡ଼ିଛି। ଏହି ସହର ଗୁଡ଼ିକରେ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ରାଜ୍ୟର ସମ୍ବାଦ ଗ୍ରୁପ୍‌, ସାର୍ଥକ ଗ୍ରୁପ୍‌, ଓଡ଼ିଶା ଟେଲିଭିଜନ୍‌ ଗ୍ରୁପ୍‌ ଆଦି ସଂସ୍ଥା ଆଗ୍ରହୀ ଅଛନ୍ତି ଓ ନିଲାମ ଦୌଡ଼ରେ ସାମିଲ ହୋଇଛନ୍ତି। ସେହିପରି କିଛି ଜାତୀୟ ରେଡିଓ ପ୍ରସାରଣ ସଂସ୍ଥା ମଧ୍ୟ ଏହି ନିଲାମରେ ଭାଗ ନେବାର ସମ୍ଭାବନା ରହିଛି।

ନୂଆ ସହର ଗୁଡ଼ିକରେ ଘରୋଇ ରେଡିଓ ଷ୍ଟେସନ୍‌ ଖୋଲିବା ସଂପର୍କରେ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହନ୍ତି, ୧୦ ବର୍ଷ ପୂର୍ବରୁ ଆମକୁ ଭୁବନେଶ୍ୱର ଓ ରାଉରକେଲା ପାଇଁ ଲାଇସନ୍‌ସ ମିଳିଥିଲା। ଲମ୍ବା ସମୟ ଅପେକ୍ଷା ପରେ କେନ୍ଦ୍ର ସରକାର ଛୋଟ ସହର ଗୁଡ଼ିକୁ ଘରୋଇ ରେଡିଓ ସେବା ସଂପ୍ରସାରଣ ପାଇଁ ପଦକ୍ଷେପ ନେବା ସ୍ୱାଗତଯୋଗ୍ୟ। ରେଡିଓ ଚକ୍‌ଲେଟ୍‌ ନିଶ୍ଚିତଭାବେ ଓଡ଼ିଶାର ୫ଟି ଯାକ ସହରରେ ନିଲାମ ପ୍ରକ୍ରିୟାରେ ଭାଗ ନେବ। ସମ୍ବଲପୁର, ବ୍ରହ୍ମପୁର ଭଳି ସହରରେ ଭଲ ବଜାର ଥିବାରୁ ରେଡିଓ ପ୍ରସାରଣ ସଫଳ ହେବ ବୋଲି ଆଶା। ହେଲେ ଅନ୍ୟ ଛୋଟ ସହରରେ ଏଫ୍‌ଏମ୍‌ ଖୋଲିବା ପରେ କେମିତି ବଞ୍ଚି ରହିବ ସେଥି ପ୍ରତି ଦୃଷ୍ଟି ଦେଇ ନିୟମାବଳୀ ପ୍ରସ୍ତୁତ ହେବା ଦରକାର। ଘରୋଇ ରେଡିଓ ଷ୍ଟେସନ୍‌କୁ ଖବର ପ୍ରସାରଣ ଅଧିକାର ମିଳିବା ଉଚିତ। ସେହିପରି ଛୋଟ ସହର ପାଇଁ ସର୍ବନିମ୍ନ ନିଲାମ ରାଶି ଆହୁରି ହ୍ରାସ କରାଯିବା ଦରକାର ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ରେଡିଓ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଆଉଟ୍‌ରିଚ୍‌ର ମୁଖ୍ୟ ସୁବ୍ରତ କୁମାର ପତି କହନ୍ତି, ଛୋଟ ସହର ଗୁଡ଼ିକରେ ଏଫ୍‌ଏମ୍‌ ରେଡିଓ କାର୍ଯ୍ୟକ୍ରମ ପହଞ୍ଚାଇବା ଏକ ବଡ଼ ପଦକ୍ଷେପ। ତେବେ ଏହି ପ୍ରକ୍ରିୟା ଅଧିକ ତ୍ୱରାନ୍ଵିତ ହେବା ଦରକାର। ଦ୍ୱିତୀୟ ପର୍ଯ୍ୟାୟ ଲାଇସନ୍‌ସ ୨୦୦୭ରେ ଦିଆ ଯାଇଥିଲାବେଳେ ତୃତୀୟ ପର୍ଯ୍ୟାୟ ପାଇଁ ୧୦ ବର୍ଷ ଲାଗିଗଲା। ତାହା ବି ମନ୍ଥର ଗତିରେ ଚାଲିଛି। ତେଣୁ ନିଲାମ ପ୍ରକ୍ରିୟାରେ ତତ୍ପରତା ପ୍ରକାଶ ପାଇବା ଦରକାର ବୋଲି ଶ୍ରୀ ପତି କହିଥିଲେ।

ସମ୍ବନ୍ଧିତ ଖବର