କୁହୁଡ଼ି ଜାରି: ୯ ଜିଲ୍ଲା ପାଇଁ ସତର୍କତା

ଭୁବନେଶ୍ବର : ୨୪ ତାରିଖ ସକାଳ ଯାଏ ଲାଗିରହିବ କୁହୁଡ଼ି। ଉପକୂଳ ଓ ଉତ୍ତର ଓଡ଼ିଶାର ୯ଟି ଜିଲ୍ଲାରେ ଘନ କୁହୁଡ଼ି ହେବ। ସନ୍ଧ୍ୟା ୭ଟାରୁ ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ି ରହିବ। ମଧ୍ୟରାତି ବେଳକୁ କୁହୁଡ଼ିର ମାତ୍ରା ବଢ଼ିବ। ୧୦୦ ମିଟର ପର୍ଯ୍ୟନ୍ତ ବାଟ ଦୃଶ୍ୟମାନ ହେବ। ଏହାପରଠାରୁ ଅଧିକ ବାଟ ରାସ୍ତା ଦେଖାଯିବ ନାହିଁ। ପାଣିପାଗ କେନ୍ଦ୍ର ପକ୍ଷରୁ ଗତକାଲି ୭ଟି ଜିଲ୍ଲା ପାଇଁ ସତର୍କ ସୂଚନା‌ ଜାରି ହୋଇଥିଲା। ଆଜି ଆଉ ଦୁଇଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି। ପୁରୀ, ଖୋର୍ଧା, ନୟାଗଡ଼, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବାରୁ ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଉପକୂଳ ଓଡ଼ିଶା ଉପରେ ଅଧିକ ପ୍ରଭାବ ପଡ଼ିବ। ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବି ଘନ କୁହୁଡ଼ି ହେବ। ୨୪ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ଏହାପରେ ପାଗରେ ସାମାନ୍ୟ ପରିବର୍ତନ ହୋଇପାରେ।

ଅନ୍ୟପକ୍ଷରେ କୁହୁଡ଼ି ପ୍ରଭାବ ଲାଗିରହିଥିବାରୁ ଉପକୂଳ ଓଡ଼ିଶାରେ ପାରଦ ସାମାନ୍ୟ ବୃଦ୍ଧି ପାଇଛି। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରି ରହିଥିବା ବେଳେ କଟକରେ ୧୧.୮, ପୁରୀ, ଗୋପାଳପୁର ଓ ପାରାଦୀପରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହିଥିଲା। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୭ ଡିଗ୍ରି ଥିଲା। ଏହା ତଳକୁ ଅନୁଗୁଳରେ ୮.୬, କୋରାପୁଟ, ଦାରିଙ୍ଗବାଡ଼ି ଓ ସୋନପୁରରେ ୯, ଭବାନୀପାଟଣାରେ ୯.୮ ଡିଗ୍ରି ରେକର୍ଡ କରାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଉପକୂଳ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ କୁହୁଡ଼ି ଜାରି ରହିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳବର୍ତୀ ଅଞ୍ଚଳରେ କୁହୁଡ଼ି ଲାଗିରହିବ। ସୂର୍ଯ୍ୟୋଦୟ ପରେ ମଧ୍ୟ ଘନ କୁହୁଡ଼ି ରହିବ। ୨୫ ତାରିଖ ପରେ କୁହୁଡ଼ିର ମାତ୍ରା ସାମାନ୍ୟ କମିବ। ହେଲେ ରାତିରେ କୁହୁଡ଼ି ଜାରି ରହିବ। ଏହି ସମୟରେ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମଧ୍ୟ କୁହୁଡ଼ିର ସମ୍ଭାବନା ନାହିଁ। ଘନ କୁହୁଡ଼ି ଯୋଗୁଁ ଗାଡ଼ି ଦୁର୍ଘଟଣା ପରିମାଣ ବଢ଼ିପାରେ। ତେଣୁ ଉପକୂଳ ଓଡ଼ିଶାରେ ରାତି ଓ ଭୋର ସମୟରେ ଯିବା ଆସିବା କରୁଥିବା‌ ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ରାସ୍ତା ଦୃଶ୍ୟମାନ ନ ହେଲେ ରାସ୍ତାପାର୍ଶ୍ବରେ ଗାଡ଼ି ପାର୍କିଂ କରିଦେଇ ବିଶ୍ରାମ ନେବା ଉଚିତ୍‌। ‌‌କୁହୁଡ଼ି କମିବା ପରେ ଆଗକୁ ବଢ଼ିବା ଭଲ ହେବ।

ସମ୍ବନ୍ଧିତ ଖବର