କୁହୁଡ଼ି ଯୋଗୁଁ ବିମାନ ବିମାନବନ୍ଦରରେ ଉତ୍ତେଜନ‌ା, ୪୦ ବିମାନ ପ୍ରଭାବିତ

ଭୁବନେଶ୍ବର : ଘନ କୁହୁଡ଼ି ଯୋଗୁଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ମଙ୍ଗଳବାର ରାତି ୧୧ଟାରୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବାବେଳେ ଆଜି ଦିନତମାମ୍‌ ଅଧିକାଂଶ ବିମାନ ବିଳମ୍ବରେ ଉଡ଼ାଣ କରିଛି। ଦୁଇଟି ବିମାନ କୋଲକତାକୁ ଡାଇଭର୍ଟ ହୋଇଥିବାବେଳେ ୪୦ଟି ବିମାନର ଉଡ଼ାଣ ପ୍ରଭାବିତ ହୋଇଛି। ଏଠାରୁ ଯିବାକୁ ଥିବା ୨୦ଟି ଏବଂ ଆସିବାକୁ ଥିବା ୨୦ଟି ବିମାନ ୧ଘଣ୍ଟାରୁ ୧୬ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ଉଡ଼ାଣ କରିଛି। ବିମାନ ଉଡ଼ାଣରେ ବିଳମ୍ବ ଯୋଗୁଁ ଆଜି ବିମାନବନ୍ଦରରେ ଉତ୍ତେଜନା ଦେଖା ଦେଇଥିଲା। ଯାତ୍ରୀମାନେ ହୋହଲ୍ଲା କରିବା ସହ ଏୟାର ଏସିଆ କର୍ମଚାରୀଙ୍କୁ ଠେଲାପେଲା କରିଥିବା ଜଣାପଡ଼ିଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତି ୧୧ଟା ପରେ ଭୁବନେଶ୍ବର ବିମାନବନ୍ଦରର ଭିଜିବିଲିଟି ୫୦ମିଟର ତଳକୁ ଖସି ଯାଇଥିଲା। ଏପରିକି ସକାଳ ୯ଟା ପର୍ଯ୍ୟନ୍ତ ଭିଜିବିଲିଟି ୫୦୦ମିଟରରେ ନପହଞ୍ଚିବାରୁ ଏହି ସମୟରେ ଆସିବାକୁ ଏବଂ ଯିବାକୁ ଥିବା ସମସ୍ତ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିଲା। ସକାଳ ୯ଟା ପରେ ଭିଜିବିଲିଟି ୬୦୦ମିଟରରେ ପହଞ୍ଚିବା ପରେ ହିଁ ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲା। କିନ୍ତୁ ମଙ୍ଗଳବାର ରାତି ଏବଂ ଆଜି ସକାଳୁ ବିମାନ ଉଡ଼ାଣ ବିଳମ୍ବ ହୋଇଥିବାରୁ ଦିନତମାମ୍‌ ପ୍ରାୟ ସମସ୍ତ ବିମାନ ବିଳମ୍ବରେ ଉଡ଼ାଣ କରିଥିଲା ଓ ଅବତରଣ କରିଥିଲା। ଏୟାର ଏସିଆର ଦୁଇଟି ବିମାନ ଭୁବନେଶ୍ବରରେ ଅବତରଣ କରିବାକୁ ପହଞ୍ଚିଥିଲେ ହେଁ ଘନ କୁହୁଡ଼ି ଯୋଗୁଁ ଏଟିସି ଅବତରଣ ପାଇଁ ଅନୁମତି ନ‌େଦବାରୁ କୋଲକତାକୁ ଡାଇଭର୍ଟ ହୋଇଥିଲା।

ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏୟାର ଏସିଆର ବ୍ୟାଙ୍କକ୍- ଭୁବନେଶ୍ବର ବିମାନ ନଂ ୧୧୨ ମଙ୍ଗଳବାର ରାତି ୧୧ଟା ୫୦ରେ ଅବତରଣ କରିବାକୁ ଥିଲା। କିନ୍ତୁ ଭିଜିବିଲିଟି କମ୍‌ ଯୋଗୁଁ ଏହା କୋଲକତାକୁ ଡାଇଭର୍ଟ ହୋଇଯାଇଥିଲା। ହେଲେ ଏହି ବିମାନରେ ଭୁବନେଶ୍ବରରୁ ବ୍ୟାଙ୍କକ୍‌ ଯିବାକୁ ଥିବା ୧୩୭ଜଣ ଯାତ୍ରୀଙ୍କୁ ଏନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଳମ୍ବରେ ସୂଚନା ଦେଇଥି‌େଲ। ଏହି ବିମାନ ଅପରାହ୍ନ ୨ଟାରେ ପହଞ୍ଚି ବ୍ୟାଙ୍କକ୍ ଅଭିମୁଖେ ୨ଟା ୪୫ରେ ଅବତରଣ କରିବାର ଥିଲା ହେଲେ ଏହା ୩ଟା ୮ରେ ଅବତରଣ କରି ପୁଣି ୩ଟା ୪୫ରେ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ କରିଥିଲା।

ସେହିପରି ଏୟାର ଏସିଆର (ବିମାନ ନଂ ୧୫୬୩) କୋଲକତା- ଭୁବନେଶ୍ବର ବେଙ୍ଗାଲୁର ବିମାନ ମଙ୍ଗଳବାର ରାତିରେ ଅବତରଣ କରିବାର ଥିଲେ ହେଁ ଭିଜିବିଲିଟି କମ୍‌ ଯୋଗୁଁ ପୁଣି କୋଲକତା ଫେରି ଯାଇଥିଲା। ଏହି ବିମାନ ଆଜି ସକାଳ ୧୦ଟା ୨୫ରେ ଅବତରଣ କରିଥିବାବେଳେ ୧୦ଟା ୪୮ରେ ବେଙ୍ଗାଲୁର ଅଭିମୁଖେ ଯାଇଥିଲା।

ଏହି ଦୁଇଟି ବିମାନର ଯାତ୍ରୀଙ୍କୁ ହୋଟେଲରେ ରଖାଯାଇଥିଲେ ହେଁ ସେମାନଙ୍କୁ ସକାଳୁ ବିମାନବନ୍ଦରକୁ ଅଣାଯାଇଥିଲା। ବିମାନ ଖୁବ୍ ଶୀଘ୍ର ଆସିବ ବୋଲି ବିମାନ ଉଡ଼ାଣକାରୀ ସଂସ୍ଥା ପକ୍ଷରୁ ଘୋଷଣା କରାଯାଉଥିଲେ ହେଁ ବିମାନ ବିଳମ୍ବରେ ଆସିଥିଲା। ବିଶେଷକରି ବ୍ୟାଙ୍କକ୍ ଯିବାକୁ ଥିବା ବିମାନ ପ୍ରାୟ ୧୬ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଆଜି ଦିଲ୍ଲୀ, କୋଲକତା, ବେଙ୍ଗାଲୁର, ମୁମ୍ବାଇ, ଗୌହାଟିକୁ ଯାତାୟତ କରୁଥିବା ସମସ୍ତ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର