ଆଜିଠୁ କମିବ କୁହୁଡ଼ି, ୨୬ରୁ ବର୍ଷା

ଭୁବନେଶ୍ବର : ଏଣିକି କମିବ କୁହୁଡ଼ି। ଗୁରୁବାର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ଅନ୍ୟ ସ୍ଥାନଗୁଡ଼ିକରେ କୁହୁଡ଼ିର ମାତ୍ରା କମିବ। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ରାତିଠାରୁ କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇ ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ଆକଳନ କରିଛି ଯେ ୨୬ ଓ ୨୭ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ। ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ। ସେହିପରି ୨୭ ଓ ୨୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହାପରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣିଥରେ ଥଣ୍ଡା ଫେରିବ ବୋଲି କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ତଥା ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଉପକୂଳ ଓଡ଼ିଶା ଓ ଏହାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ଶୁକ୍ରବାର ପର୍ଯ୍ୟନ୍ତ କୁହୁଡ଼ି ଲାଗିରହିବ। ଏହାପରେ କିଛିଟା ହ୍ରାସ ପାଇବ। ୨୬ ତାରିଖଠାରୁ କୁହୁଡ଼ି ରହିବ ନାହିଁ। ରାତିର ତାପମାତ୍ରା ସ୍ଥିର ରହିବ। କୌଣସି ପରିବର୍ତନ ହେବନି। ୨୭ ଓ ୨୮ ତାରିଖରେ ରାତିର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ତେବେ ଏହାପରେ ପୁଣି ଥଣ୍ଡା ଲେଉଟିବ। ସେପଟେ ପଶ୍ଚିମ ଓଡ଼ିଶାର ସୀମାନ୍ତବର୍ତୀ ଅଞ୍ଚଳରେ ବୁଧବାର ଓ ଗୁରୁବାର ତାପମାତ୍ରା ବଢ଼ିବ। ୨୬ ଓ ୨୭ ତାରିଖରେ ପାଗ ମେଘୁଆ ରହିବ। ହାଲକା ବର୍ଷା ହେବ। ମେଘୁଆ ପାଗ ହେତୁ ତାପମାତ୍ରା କମିବ। ଦିନରେ ଦେହକୁ ଥଣ୍ଡା ଲାଗିବ। ରାତିର ତାପମାତ୍ରା କମିବ ବୋଲି ସେ କହିଛନ୍ତି। ସେପଟେ ସାରା ରାଜ୍ୟରେ ଦିନର ତାପମାତ୍ରା ବଢ଼ିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରି ଟପିଛି।

ସମ୍ବନ୍ଧିତ ଖବର