ସୋମବାର ଯାଏଁ ସକାଳୁଆ କୁହୁଡ଼ି

ଭୁବନେଶ୍ୱର: ଗାଡ଼ି ଚାଳକ ସାବଧାନ! ପ୍ରତ୍ୟୁଷରୁ ବାହାରିବାକୁ ଥିଲେ ଟିକେ ଅପେକ୍ଷା କରନ୍ତୁ। ବାହାରେ ଘନ କୁହୁଡ଼ି ହୋଇଥାଇପାରେ। ଏଭଳି କୁହୁଡ଼ି ହେଲେ ମୁହଁକୁ ମୁହଁ ଦେଖାଯାଏ ନାହିଁ। ଅତି ବେଶିରେ ୨୦୦ ମିଟର ଦୂରତା ପର୍ଯ୍ୟନ୍ତ ଝାପ୍‌ସା ଦେଖିହୁଏ। ତା’ଠାରୁ ଦୂର ହେଲେ କିଛି ଦେଖାଯିବା ଅସମ୍ଭବ।

ପାଣିପାଗ କେନ୍ଦ୍ର ବୟାନ କରୁଛି ଯେ ରାଜ୍ୟରେ ପବନ ତା’ର ଦିଗ ପରିବର୍ତନ କରିଛି। ଉତ୍ତର ବା ଉତ୍ତର ପଶ୍ଚିମ ଦିଗରୁ ବହୁଥିବା କାଲୁଆ ପବନର ବେଗ କ୍ଷୀଣ ହୋଇପଡ଼ିଛି। ଏବେ ପୂର୍ବ ଏବଂ ଉତ୍ତର ପୂର୍ବ ଦିଗରୁ ବହିବାକୁ ଆରମ୍ଭ କରିଛି ସାମୁଦ୍ରିକ ବାୟୁ। ବାୟୁମଣ୍ଡଳର ତଳଭାଗରେ ଜଳୀୟବାଷ୍ପ ବି ରହୁଛି। ଏସବୁର ମିଶ୍ରିତ ପ୍ରଭାବରେ ବିଳମ୍ବିତ ରାତିରୁ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଯାଉଛି। ସକାଳୁ ସବୁଠାରୁ ଅଧିକ ହେଉଛି। ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲିଠାରୁ ସୋମବାର ପର୍ଯ୍ୟନ୍ତ ସକାଳୁଆ କୁହୁଡ଼ି ଦେଖିବାକୁ ମିଳିବ। ବାୟୁର ଦିଗ ପରିବର୍ତନ ଯୋଗୁଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବଢ଼ିଛି। ସର୍ବୋଚ୍ଚ ବା ଦିନ ତାପମାତ୍ରା ସ୍ଥିର ରହୁଛି। କିନ୍ତୁ ପୂର୍ବ ଭଳି ଥଣ୍ଡା ଅନୁଭୂତ ହେଉଛି।

ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮° ସେଲ୍‌ସିୟସ ଥିବା ବେଳେ ଫୁଲବାଣୀରେ ୯.୫°, କୋରାପୁଟରେ ୧୦°, ହୀରାକୁଦରେ ୧୦.୧°, ଭବାନୀପାଟଣା, ସୁନ୍ଦରଗଡ଼ରେ ୧୧.୫°, ସୋନପୁରରେ ୧୧.୮°, ଝାରସୁଗୁଡ଼ା, କେନ୍ଦୁଝରରେ ୧୨.୨°, ସମ୍ବଲପୁରରେ ୧୨.୩°, ବଲାଙ୍ଗୀରରେ ୧୨.୮°, ଅନୁଗୁଳ, ଟିଟିଲାଗଡ଼ରେ ୧୩° ରେକର୍ଡ କରାଯାଇଛି। ଉପକୂଳର ବାଲେଶ୍ୱରରେ ୧୪.୮°, କଟକରେ ୧୫°, ଭୁବନେଶ୍ୱରରେ ୧୫.୯° ରହିଛି।

ସମ୍ବନ୍ଧିତ ଖବର