କୁଜଙ୍ଗରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ ବଣ୍ଟନ ‌: ମଞ୍ଚରେ ଦାମ-କୁଳମଣି ଡ୍ରାମା

କୁଜଙ୍ଗ : କୁଜଙ୍ଗରେ ଆୟୋଜିତ ରାଜ୍ୟସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଆଜି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ମଞ୍ଚରେ ସ୍ଥାନୀୟ ବିଧାୟକ ଡାକ୍ତର ବିଧାୟକ ଡାକ୍ତର ଦାମୋଦର ରାଉତ ଏବଂ ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲଙ୍କ ଉପସ୍ଥିତି, ମଞ୍ଚରେ ଘଟିଥିବା ଘଟଣା ଏବଂ ପରସ୍ପର ପ୍ରତି ଆକ୍ଷେପ ପ୍ରତି ଆକ୍ଷେପ ସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଆଜି କୁଜଙ୍ଗ ସୂଚନା କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥିଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ, ସାଂସଦ ଡାକ୍ତର କୁଳମଣି ସାମଲ, ବିଧାୟକ ଡ଼ାକ୍ତର ଦାମୋଦର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ବ୍ଳକ କାର୍ଯ୍ୟାଳୟରୁ ବିଧାୟକ ଡ଼ାକ୍ତର ରାଉତ ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଆସି ସଭାସ୍ଥଳରେ ପହଞ୍ଚିଥିଲେ। ମଞ୍ଚରେ ଉଦବୋଧନ ଦେଇ ଡାକ୍ତର ରାଉତ କହିଥିଲେ ଯେ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ ମଧ୍ୟ ବିଧାୟକ ଅଛନ୍ତି। ସେ ରାଜନୀତିରେ ଥିଲେ, ଅଛନ୍ତି ଏବଂ ଆଗକୁ ବି ରହିବେ। କାହାର ଦମ ନାହିଁ କେହି ତାଙ୍କୁ ରାଜନୀତିରୁ ହଟେଇଦେବେ। ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଇଙ୍ଗିତକରି ଡାକ୍ତର ରାଉତ କହିଥିଲେ ଯେ ସେ ରାଜନୀତି କରନ୍ତୁ, ବିଧାୟକ ହୁଅନ୍ତୁ, ମନାନାହିଁ। ମାତ୍ର ତାଙ୍କ ନିର୍ବାଚନ ମଣ୍ଡଳୀରେ କେହି ହସ୍ତକ୍ଷେପ କଲେ କୁଜଙ୍ଗବାସୀ କେବେ କ୍ଷମା ଦେବେ ନାହିଁ। ସାଂସଦ କୁଳମଣି ସାମଲଙ୍କୁ ଇଙ୍ଗିତକରି ଡାକ୍ତର କହିଥିଲେ ଯେ ସେଏବେ ସାଂସଦ ଅଛନ୍ତି। କିନ୍ତୁ ଅପେକ୍ଷା କର ଆଗକୁ କଣ ହେଉଛି।

ଅନ୍ୟପଟେ ସାଂସଦ କୁଳମଣି ସାମଲ କହିଥିଲେ ଯେ କିଏ କାହାଠାରୁ ସହାଯ୍ୟ ନେଉଛି ତ ପୁଣି ସାହାଯ୍ୟ ଦେଉଛି। ସେ ନିଶ୍ଚିତ ଭାବେ କାହାଦ୍ୱାରା ଅନୁଗ୍ରହୀତ ହୋଇଛନ୍ତି। ମାତ୍ର ସମସ୍ତେ ନିୟମରେ ବନ୍ଧା। ସେ ନିୟମକୁ ପାଳନ କରୁଛନ୍ତି। ଏହାକୁ ନେଇ ଯଦି ବିଧାୟକଙ୍କ ମନରେ କ୍ଷୋଭ ରହିଛି, ସେଥିପାଇ ସେ କ୍ଷମାପ୍ରାର୍ଥନା କରୁଛନ୍ତି। କିନ୍ତୁ ସାଂସଦଭାବେ ସେ ନିର୍ବାଚନ ମଣ୍ଡଳୀରେ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି ା କୁଜଙ୍ଗରେ ପାନୀୟ ଜଳ ସମସ୍ୟା ସମାଧାନପାଇଁ ଏକ ଓଭରହେଡ଼ ଟ୍ୟାଙ୍କ ନିର୍ମାଣପାଇଁ ସେ ଉଦ୍ୟମ କରିଥିଲେ ମଧ୍ୟ ତାହା କରାଇ ଦିଆଗଲା ନାହିଁ ବୋଲି କହି ଏଥିପାଇଁ ପରୋକ୍ଷରେ ସେ ଦାମଙ୍କୁ ଆକ୍ଷେପ କରିଥିଲେ। ମନ୍ତ୍ରୀ ଶ୍ରୀ ସାମଲ ପରିବେଶକୁ ହାଲକା କରିବାକୁ ଯାଇ କହିଥିଲେ ଯେ ଦାମ ଭାଇ ତାଙ୍କ ଲମ୍ବା ରାଜନୀତି ଜୀବନରେ ବେକାରୀ ସମସ୍ୟା ନେଇ ଅନେକବାର ସ୍ବର ଉଠାଇଛନ୍ତି ା ଏହାର ସମାଧାନପାଇଁ ସମସ୍ତେ ମିଳିତଭାବେ ଉଦ୍ୟମ କରିବା ଆବଶ୍ୟକ।

ମନ୍ତ୍ରୀ ଶ୍ରୀ ସାମଲ ବିଧାୟକ ଡାକ୍ତର ରାଉତଙ୍କ ହାତ ଧରି ସଭାମଞ୍ଚ ଆଗକୁ ଆଣି ପ୍ରଥମେ ତାଙ୍କ ଦ୍ୱାରା କାର୍ଡ ବଣ୍ଟନ ଆରମ୍ଭ କରିଥିଲେ। କିନ୍ତୁ ସଭା ମଧ୍ୟରେ ଆଇନଜୀବୀ ଭାରତଭୂଷଣ ଦାସ ଏବଂ ଅନ୍ୟ କେତେ ଜଣ ତୈଳ ବିଶୋଧନାଗାର ପ୍ରକଳ୍ପରେ ସାଂସଦ କେତେଜଣଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଶ୍ନ କରିବାରୁ ହଟ୍ଟଗୋଳ ସୃଷ୍ଟି ହେବା ସହ କିଛି ସମୟ ପାଇଁ ସଭାକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ଉପାଧ୍ୟକ୍ଷା ପୁଷ୍ପଲତା ବେହେରା, ଜିଲ୍ଲାପରିଷଦ ସଭ୍ୟା ନମିତା ପରିଡ଼ା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଡ଼ିଓ କିଶୋରଚନ୍ଦ୍ର ସ୍ବାଇଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଉପଜିଲ୍ଲାପାଳ ମହେନ୍ଦ୍ରପ୍ରସାଦ ମହାନ୍ତି ସ୍ବାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାଲୁଦ୍ଦିନ ଖାଁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଯୋଗାଣ ଅଧିକାରୀ ବିବେକାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିରିକ୍ତ ବିଡିଓ ସନ୍ତୋଷ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ା

ସମ୍ବନ୍ଧିତ ଖବର