ମାସକୁ ଲକ୍ଷେ ଲୋକଙ୍କ ଖାଦ୍ୟ ଫିଙ୍ଗାଯାଉଛି, ଶ୍ରୀମନ୍ଦିରରେ ପ୍ରତିଦିନ ପୋତା ଯାଉଛି ଦିବ୍ୟ ବ୍ୟଞ୍ଜନ

ପୁରୀ : ଖାଦ୍ୟ ମୁଠାଏ ପାଇଁ କିଏ ହାଡ଼ଭଙ୍ଗା ପରିଶ୍ରମ କିଏ କରୁଛି ତ ଆଉ କିଏ ଦିନରାତି ଖଟୁଛି। ହେଲେ ପୁରୀରେ ପ୍ରତିଦିନ ୩ ହଜାରରୁ ଅଧିକ ଲୋକଙ୍କ ଖାଦ୍ୟ ଫିଙ୍ଗି ଦିଆଯାଉଛି। ତାହା ପୁଣି ସାଧାରଣ ଖାଦ୍ୟ ନୁହେଁ, ମହାପ୍ରଭୁଙ୍କ ମହାପ୍ରସାଦ ଭଳି ଦିବ୍ୟ ଖାଦ୍ୟ ପୋତି ଦିଆଯାଉଛି। ଏହାକୁ ପରିଚାଳନା କରି କ୍ଷୁଧାର୍ତଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ନଥିବାରୁ ହଜାର ହଜାର ଟଙ୍କାର ଖାଦ୍ୟ ନଷ୍ଟ ହେଉଛି।

ଖାଦ୍ୟ ବଞ୍ଚାଇବା ଓ ଅନାହାର ମୁହଁରେ ଦାନା ଦେବାକୁ ବିଶ୍ବ ସମୁଦାୟ ଡାକରା ଦେଇଛି। ଅନେକ ସ୍ବେଚ୍ଛାସେବୀ ସଂସ୍ଥା ଏଥିପାଇଁ କାମ କରୁଛନ୍ତି। ସରକାରୀସ୍ତରରେ ବି ଏହାକୁ ପ୍ରୋତ୍ସାହିତ କରାଯାଉଛି। ଅଥଚ ଶ୍ରୀମନ୍ଦିର ଭିତରେ ଏହାର କୌଣସି ପ୍ରଭାବ ପଡୁନି। ନା ସରକାରୀ ବାବୁଙ୍କର ଅଛି ଏଥିପ୍ରତି ଆଗ୍ରହ ନା ସୁଆରମାନଙ୍କର ଅଛି କିଛି ଆଭିମୁଖ୍ୟ। ଫଳରେ ପ୍ରତିଦିନ ଟନ୍‌ ଟନ୍‌ ଖାଦ୍ୟ କାହାକୁ ଦିଆନଯାଇ ଫିଙ୍ଗାଯାଉଛି। ଶ୍ରୀମନ୍ଦିର ବ୍ୟବସ୍ଥା ଅନୁଯାୟୀ ଠାକୁରଙ୍କର ଅବଢ଼ା (ମହାପ୍ରସାଦ) ଆନନ୍ଦବଜାରରେ ବିକ୍ରି ହୁଏ। ରାତି ପର୍ଯ୍ୟନ୍ତ ଠାକୁରଙ୍କର ଭୋଗ ଲାଗି ହୋଇଥାଏ। ଅନ୍ନ, ଖେଚୁଡ଼ି, କାନିକା, ଡାଲି, ଡାଲମା, ବେସର, ମହୁର, ଶାଗ, ଖଟା ଭଳି ଦିବ୍ୟ ଖାଦ୍ୟ ପ୍ରସ୍ତୁତ ହୋଇ ବିକ୍ରି ହୋଇଥାଏ। ହେଲେ ଏସବୁ ଖାଦ୍ୟ ସମ୍ପୂର୍ଣ୍ଣ ବିକ୍ରି ହୋଇ ପାରୁନାହିଁ। ହାଣ୍ଡି ହାଣ୍ଡି ଖାଦ୍ୟ ବଳି ପଡ଼ୁଛି। ସେଗୁଡ଼ିକୁ କାହାକୁ ଦିଆଯିବାର ବ୍ୟବସ୍ଥା ବି ନାହିଁ। ତେଣୁ ପରଦିନ ବାସୀ ଅବଢ଼ାକୁ ନଷ୍ଟ କରିଦେଉଛି ମନ୍ଦିର ପ୍ରଶାସନ। ସେହି ଦିବ୍ୟ ଖାଦ୍ୟକୁ ନେଇ କୋଇଲି ବୈକୁଣ୍ଠରେ ପୋତି ଦିଆଯାଉଛି।

ଶ୍ରୀମନ୍ଦିର ସ୍କ୍ବାଡ୍‌ର ତଥ୍ୟ ଅନୁଯାୟୀ, ଆଜି ସୋମବାର ୨୬ ହାଣ୍ଡି ଅବଢ଼ା ନଷ୍ଟ କରାଯାଇଛି। ପ୍ରାୟ ପ୍ରତିଦିନ ୨୦ରୁ ୩୦ ହାଣ୍ଡି (ଦାସିଆ) ପ୍ରସାଦ ଫିଙ୍ଗା ଯାଉଥିବା ରିପୋର୍ଟ ରହିଛି। ଯାହା ପ୍ରାୟ ୧ରୁ ଦେଢ଼ ଟନ୍‌ ସୁସ୍ବାଦୁ ବ୍ୟଞ୍ଜନ। ଏହା ଅନ୍ୟୂନ୍ୟ ୩ରୁ ୪ ହଜାର ଲୋକଙ୍କ ଖାଦ୍ୟ। ପ୍ରତିଦିନ ଏହି ସବୁ ଖାଦ୍ୟକୁ ପୋତି ଦିଆଯାଉଛି। ଗତ ୩ ମାସର ସ୍ଥିତିକୁ ପରଖିଲେ, ପାଖାପାଖି ୩ ଲକ୍ଷ ଲୋକଙ୍କ ଖାଦ୍ୟ ନଷ୍ଟ କରାଯାଇଛି। ବାସୀ ଅବଢ଼ାରୁ ଅନ୍ନ ନିର୍ମାଲ୍ୟ ହେଉଥିବା ବେଳେ କାନିକା, ଖେଚୁଡ଼ିଠାରୁ ଅନ୍ୟ ବ୍ୟଞ୍ଜନ ସବୁ ପୋତାଯାଉଛି। ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଚାଲି ଆସୁଛି। ଶ୍ରୀମନ୍ଦିର ପରିଚାଳନା ପାଇଁ ସରକାରଙ୍କର ବରିଷ୍ଠ ଅଧିକାରୀ ରହିଛନ୍ତି। ହେଲେ କେହି କେବେ ଏହାର ପ୍ରତିକାର ଦିଗରେ ଚିନ୍ତା କରିନାହାନ୍ତି। ଆଜିଯାଏ ପ୍ରଶାସନିକ ସ୍ତରରେ ବା ପରିଚାଳନା କମିଟି ସ୍ତରରେ ଖାଦ୍ୟ ନଷ୍ଟ ନକରି କ୍ଷୁଧାର୍ତଙ୍କୁ ଦେବା ଲାଗି କୌଣସି ପ୍ରସ୍ତାବ ବି ଦିଆଯାଇନାହିଁ। ଖାଦ୍ୟ ନଷ୍ଟ ନକରି ଅନାହାରରେ ଥିବା ଲୋକଙ୍କୁ ବାଣ୍ଟିବାକୁ ସମଗ୍ର ବିଶ୍ବ ସ୍ଲୋଗାନ ଦେଉଥିବା ବେଳେ ମହାପ୍ରଭୁଙ୍କ ଦିବ୍ୟ ପ୍ରସାଦକୁ ପ୍ରତିଦିନ ଫିଙ୍ଗି ଦିଆଯିବା ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି।

ସମ୍ବନ୍ଧିତ ଖବର