ଆଇଆଇଟିରେ ବିଦେଶୀ ପ୍ରଫେସର : ତେଲେଙ୍ଗାନା, ଆନ୍ଧ୍ର ପିଲାଙ୍କ ପସନ୍ଦ ଭୁବନେଶ୍ୱର

ବି.ଟେକ୍‌ରେ ନାମ ଲେଖାଇଲେ ୩୫୪ ଛାତ୍ରଛାତ୍ରୀ, ୨୦୧୭ ତୁଳନାରେ ବଢ଼ିଲା ଛାତ୍ରୀଙ୍କ ସଂଖ୍ୟା

0 532

ଭୁବନେଶ୍ୱର : ଦେଶରେ ନୂଆ କରି ପ୍ରତିଷ୍ଠା ହୋଇଥିବା ଆଇଆଇଟିଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଆଇଆଇଟି ପ୍ରତି ସାରା ଦେଶର ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିଛି। ଓଡ଼ିଶା ସମେତ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏହା ଚଳିତବର୍ଷ ବି.ଟେକ୍‌ ନାମଲେଖାରୁ ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦେଖି ଚଳିତବର୍ଷ ପ୍ରଥମ ଥର ପାଇଁ ଆଇଆଇଟିରେ ବାହାର ଦେଶର ପ୍ର୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ଏବେ ସୁଦ୍ଧା ୩ ଜଣ ପ୍ରଫେସର କାର୍ଯ୍ୟରେ ଯୋଗଦେଇ ସାରିଛନ୍ତି। ସେମାନେ ସ୍ଲୋଭେନିଆ, ଆମେରିକା, ଚାଇନାରୁ ଆସିଛନ୍ତି। ଆଉ ଦୁଇ ଜଣ(କାନାଡ଼ା ଓ ଚାଇନା) ପ୍ରଫେସରଙ୍କ ନିକଟକୁ ନିଯୁକ୍ତିପତ୍ର ପଠାଯାଇଛି। ବର୍ତମାନ ପର୍ଯ୍ୟନ୍ତ ଏଠାରେ ପ୍ରଫେସରଙ୍କ ସଂଖ୍ୟା ୧୨୯ରେ ପହଞ୍ଚିଛି। ବିଦେଶୀ ପ୍ରଫେସର ନିଯୁକ୍ତ ହେବା ପରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ବୋଲି ଆଇଆଇଟି କର୍ତୃପକ୍ଷ ଆଶା ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ତୁଳନାରେ ଏଥର ଜେଇଇ ଆଡଭାନ୍ସଡ୍‌ରେ ଭଲ ର‍୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇଛନ୍ତି। ୨୦୧୭ରେ କମ୍ପ୍ୟୁଟର୍‌ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗରେ ଜେଇଇ ଆଡଭାନ୍ସଡ୍‌ର ୨୫୦୦ରୁ ଅଧିକ ର‍୍ୟାଙ୍କଧାରୀ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇଥିଲେ। ଏଥର କିନ୍ତୁ ଏହି ବିଭାଗରେ ୧୮୦୦ ର‍୍ୟାଙ୍କଧାରୀ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଜେଇଇ ଆଡଭାନ୍ସଡ୍‌ର ୬ ହଜାର ଭିତରେ ର‍୍ୟାଙ୍କଧାରୀ ପିଲାମାନେ ଚଳିତବର୍ଷ ଆଇଆଇଟିରେ ନାମ ଲେଖାଇଥିବା ସୂଚନା ମିଳିଛି।

Panda Mobile only

କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ ବିଭାଗରେ ଭଲ ର‍୍ୟାଙ୍କ ପାଇଥିବା ପିଲାମାନେ ନାମ ଲେଖାଇଛନ୍ତି। ସିଭିଲ୍‌ ଇଞ୍ଜିନିୟରିଂ, ମେଟାଲୋଜିକାଲ ଓ ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ କମ୍‌ ର‍୍ୟାଙ୍କଧାରୀ ପିଲା ନାମ ଲେଖାଇଛନ୍ତି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ବ୍ୟତୀତ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀର ଛାତ୍ରଛାତ୍ରୀ ମଧ୍ୟ ଏଠାରେ ନାମ ଲେଖାଇଛନ୍ତି।

ଚଳିତବର୍ଷ ବି.ଟେକ୍‌ ପାଠ୍ୟକ୍ରମରେ ଛାତ୍ରୀଙ୍କ ଲାଗି ସୁପର ନ୍ୟୁମୋରିକ୍‌ ବ୍ୟବସ୍ଥା ଲାଗୁ ହୋଇଛି। ଏହା ମାଧ୍ୟମରେ ଅଧିକ ଛାତ୍ରୀ କିଭଳି ନାମଲେଖାଇବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସେହି ଦୃୃଷ୍ଟିରୁ ଦେଖିଲେ ଏଥର ୩୬୬ ସିଟ୍‌ ପାଇଁ ନାମଲେଖା ହୋଇଥିଲା। ପ୍ରଥମ ତଥା ଏକମାତ୍ର କାଉନସେଲିଂରେ ୩୫୪ ସିଟ୍‌ ପୂରଣ ହୋଇଛି। ଗତବର୍ଷ ତୁଳନାରେ ଏଥର ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୪୦ରୁ ଅଧିକ ଛାତ୍ରୀ ନାମଲେଖାଇଥିବା ପ୍ରାରମ୍ଭିକ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୪ରେ ଭୁବନେଶ୍ୱର ଆଇଆଇଟି ଜଟଣୀସ୍ଥିତ ନିଜସ୍ୱ କ୍ୟାମ୍ପସକୁ ସ୍ଥାନାନ୍ତର ହୋଇଛି। ସେଠାରେ ପାଠପଢ଼ା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ସୁବିଧା କରାଯାଇଛି। ଗତ ୨୫ ତାରିଖଠାରୁ ବି.ଟେକ୍‌ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କାଉନ୍‌ସେଲିଂ କରାଯିବା ପରେ ପାଠପଢ଼ା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.