ଟ୍ରାକିଂ ହେଉନାହାନ୍ତି ବିଦେଶୀ : ବଢ଼ୁଛି ସନ୍ଦିଗ୍ଧଙ୍କ ସଂଖ୍ୟା, ଦୁଇ ବିଦେଶୀ କମ୍ପାନି ମୁଖ୍ୟଙ୍କୁ କମିସନରେଟ ପୁଲିସର ନୋଟିସ୍‌

ଭୁବନେଶ୍ୱର : ପ୍ରତ୍ୟେକ ବର୍ଷ ରାଜ୍ୟକୁ ୧୫ ହଜାରରୁ ଅଧିକ ବିଦେଶୀ ନାଗରିକ ପର୍ଯ୍ୟଟକ ଭାବେ ଓଡ଼ିଶା ଆସିଥା’ନ୍ତି। ଏହା ଛଡ଼ା ଅନେକ ବିଦେଶୀ କମ୍ପାନିର କାର୍ଯ୍ୟରତ କର୍ମଚାରୀମାନେ ଓଡ଼ିଶାରେ ବସବାସ କରି ଆସୁଛନ୍ତି। ଆଇଭିଏଫ୍‌ଆର୍‌(ଇଣ୍ଡିଆନ୍‌ ଭିସା ଫରେନର ରେଜିଷ୍ଟର) ଆକ୍ଟ ଅନୁଯାୟୀ ଓଡ଼ିଶାକୁ ଆସୁଥିବା ବିଦେଶୀମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସ୍ଥାନୀୟ ପୁଲିସ ନିକଟରେ ରହିବା କଥା। କିନ୍ତୁ ଏଭଳି ନିୟମକୁ ଏବେ ବେଖାତିର କରି ଚାଲିଛନ୍ତି, କେତେକ ବିଦେଶୀ କମ୍ପାନି, ପ୍ରମୁଖ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ହୋଟେଲ କର୍ତୃପକ୍ଷ ପ୍ରମୁଖ। କୌଣସି ବି ସୂଚନା ପୁଲିସକୁ ପ୍ରଦାନ କରୁନାହାନ୍ତି। ଏଭଳି ପରିସ୍ଥିତିରେ ଭୁବନେଶ୍ୱର ଡିସିପି ଦୁଇଟି ବିଦେଶୀ କମ୍ପାନିର କେତେକ କର୍ମଚାରୀଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ପର୍ଯ୍ୟଟନ ବିଭାଗ ହିସାବ କହୁଛି, ୨୦୧୫ ମସିହାରେ ରାଜ୍ୟକୁ ୧୪ ହଜାର ୫୨୬ ଜଣ, ୨୦୧୬ ମସିହାରେ ୧୮ ହଜାର ୩୨୧ ଜଣ ଓ ୨୦୧୭ ମସିହାରେ ୧୫ ହଜାର ୬୯୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ତେବେ ଏହି ବିଦେଶୀମାନେ ଓଡ଼ିଶାରେ ପାଦ ଥାପିବା ପରେ କେଉଁଠି ରହୁଛନ୍ତି, କାହା ସହିତ ମିଶୁଛନ୍ତି, କୁଆଡେ ଯାଉଛନ୍ତି, କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି, ଏ ସବୁ ତଥ୍ୟ ପୁଲିସ ନିକଟରେ ରହୁନାହିଁ। ୧୯୪୬ ଫରେନର୍‌ ଆକ୍ଟ ସେକ୍ସନ୍‌-୭ ଅନୁଯାୟୀ, ହୋଟେଲ, ଶିକ୍ଷାନୁଷ୍ଠାନ, ବିଦେଶୀ କମ୍ପାନି, ହସ୍ପିଟାଲ ପ୍ରମୁଖ ସେମାନଙ୍କ ନିକଟକୁ ଆସୁଥିବା ବିଦେଶୀମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସ୍ଥାନୀୟ ପୁଲିସକୁ ଦେବା କଥା। କିନ୍ତୁ କେତେକ ହାତ ଗଣତି ହୋଟେଲକୁ ଛାଡ଼ି ଦେଲେ ବିଦେଶୀ କମ୍ପାନି, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ କର୍ତୃପକ୍ଷ ଏ ନେଇ ପୁଲିସକୁ ଆଦୌ ଅବଗତ କରାଉନାହାନ୍ତି। ପୁଲିସ ମଧ୍ୟ ସେମାନଙ୍କଠାରୁ ବିଦେଶୀମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହେଉନାହିଁ। ପୁଲିସର ଏଭଳି ଅବହେଳା ଭବିଷ୍ୟତରେ ବଡ଼ ବିପଦ ମଧ୍ୟ ଆଣିବାର ମଧ୍ୟ ଆଶଙ୍କା ରହିଛି।

ବିଗତ ଦିନରେ ୨୦୧୨ ମସିହା ମାର୍ଚ ମାସ ୧୮ ତାରିଖରେ ଇଟାଲି ନାଗରିକ ବାସୁସ୍କୋ ପାଉଲୋ ଏବଂ କ୍ଲାଉଡିଓ କୋଲାଞ୍ଜିଲୋଙ୍କୁ ମାଓବାଦୀମାନେ ଅପହରଣ କରିବା ଘଟଣାକୁ ନେଇ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅନେକ ପ୍ରଶ୍ନ ଉଠାଇଥିଲେ।

ଏହି କାରଣରୁ ୨୦୧୩ ମସିହାରେ କମିସନରେଟ ପୁଲିସ ସମସ୍ତ ହୋଟେଲ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ କର୍ତୃପକ୍ଷଙ୍କ ସହିତ ଏକ ବୈଠକରେ କୁହାଯାଇଥିଲା, ବିଦେଶୀମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ। ଏହାପରେ ୨୦୧୪ ମସିହାରେ ଅନ୍‌ଲାଇନ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଦେଶୀମାନଙ୍କ ସମ୍ପର୍କରେ ଅନ୍‌ଲାଇନ୍‌ରେ ତଥ୍ୟ ଦେବାକୁ କୁହାଯାଇଛି। କିନ୍ତୁ କେହି ବି ଗାଇଡଲାଇନ୍‌ ମାନିବାକୁ ପ୍ରସ୍ତୁତ ନୁହନ୍ତି।

ଏଭଳି ପରିସ୍ଥିତିରେ ଦୁଇଟି ଅର୍ନ୍ତଜାତୀୟ ମୋବାଇଲ୍‌ କମ୍ପାନି ଆଦୌ ତଥ୍ୟ ପ୍ରଦାନ ନ କରିବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି।

ଏ ସମ୍ପର୍କରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଯେଉଁମାନେ ପର୍ଯ୍ୟଟନ ଭିସାରେ ଆସୁଛନ୍ତି, ସେମାନେ ପୁଲିସ ନିକଟରେ ପଞ୍ଜୀକୃତ ହେବା ଆବଶ୍ୟକ ନାହିଁ। ତେବେ ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାକୁ ଆସୁଛନ୍ତି ସେମାନେ ପୁଲିସ ନିକଟରେ ପଞ୍ଜୀକରଣ କରିବେ। ଏଥିପାଇଁ ବିଦେଶୀମାନଙ୍କ ସମ୍ପର୍କରେ ତୁରନ୍ତ ଅବଗତ କରିବା ପାଇଁ ସମସ୍ତ ହୋଟେଲ, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ କର୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସେମାନେ ଆଇନ ଉଲ୍ଲଘଂନ କଲେ ସରାଇ ଆକ୍ଟରେ ଗିରଫ କରାଯିବା ସହ ୫ ବର୍ଷ ଜେଲ୍‌ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର