ବନପାଳଙ୍କ ଅନୁପସ୍ଥିତିର ଫାଇଦା ଉଠାଉଛନ୍ତି ମାଫିଆ, ଧ୍ବଂସ ହେବାକୁ ବସିଲାଣି ସବୁଜିମା

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳର ଅଧିକାଂଶ ଜଙ୍ଗଲ ଆଜି ଧ୍ବଂସ ହେବାକୁ ବସିଛି। ଦିନ ଥିଲା ଯେଉଁ ଜଙ୍ଗଲ ଘଞ୍ଚ ସବୁଜିମାରେ ପରିପୂର୍ଣ୍ଣ ଥିଲା ତାହା ଆଜି ଟାଙ୍ଗରା ହେବାରେ ଲାଗିଛି, ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦଶପଲ୍ଲା ସଦର ସେକ୍ସନରେ। ଏହି ସେକ୍ସନରେ କାର୍ଯ୍ୟରତ ବନପାଳଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ଜଙ୍ଗଲ ମଧ୍ୟରେ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ବିଗତ ଦିନମାନଙ୍କୁ ଲକ୍ଷ୍ୟ କଲେ ଦଶପଲ୍ଲା ଏନ୍ଏସି ଅଂଚଳର ବିଭିନ୍ନ ସ୍ଥାନରେ କୋଟିକୋଟି ଟଙ୍କା ବ୍ୟୟରେ ସହର ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଚାରା ରୋପଣ କରାଯାଇଥିଲା। ହେଲେ ଏସବୁ ଚାରା ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଗଛ ଆଉ ଏବେ ଦେଖିବାକୁ ମିଳୁନାହିଁ। କାଗଜ କଲମରେ ଏହି ଯୋଜନାରେ ପ୍ରାୟ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଇଥିବା ପୂର୍ବରୁ ବହୁ ଅଭିଯୋଗ ହୋଇ ଆସିଛି। କୁଆଁରିଆ ଏବଂ ପୁରୁଣା ଦଶପଲ୍ଲାସ୍ଥିତ ସାଗୁଆନ ପ୍ଲାଟେଂସନ ମଧ୍ୟରେ ଦୈନିକ ମାଫିଆଙ୍କ ଦୌରାତ୍ମ୍ୟ ନେଇ ଶହ ଶହ ସଂଖାରେ ମୂଲ୍ୟବାନ ଗଛ ଲୋପ ପାଇ ଚାଲିଛି।

ସେହିପରି ଏବେ ଦଶପଲ୍ଲା ଘୁଗୁଡିପଡା ରାସ୍ତାର ଲେମ୍ବୁଗୋଛା ବାମ ପାର୍ଶ୍ବରେ ଥିବା ଜାମୁସାହି ଶାଳ ଜଙ୍ଗଲ ଉପରେ ମାଫିଆଙ୍କ ଦୃଷ୍ଟି ପଡ଼ିଛି। ଏହି ଜଙ୍ଗଲରୁ ଦୈନିକ ମାଫିଆମାନେ ଟ୍ରିପ୍ ଟ୍ରିପ୍ ଶାଳକାଠ ଗଣ୍ଡି ଲୁଟି ଚାଲିଥିବା ବେଳେ ଏଥିପ୍ରତି ସମ୍ପୃକ୍ତ ବନପାଳଙ୍କ ସାମାନ୍ୟତମ ଦୃଷ୍ଟି ରହୁନଥିବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ଗତବର୍ଷ ବନାଞ୍ଚଳ ନିକଟବର୍ତ୍ତୀ ହରିଓଁ ପାହାଡ଼ ନିକଟରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିବା ବେଳେ ଏହାର ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବା ହେତୁ ଏସବୁ ଚାରା ନଷ୍ଟ ହେବାକୁ ବସିଲାଣି। ବିଶେଷକରି ସଂପୃକ୍ତ ବନପାଳ ଟୁର୍ ଆଳ ଦେଖାଇ ଅଧିକାଂଶ ସମୟ ଦଶପଲ୍ଲାରେ ଅନୁପସ୍ଥିତ ରହୁଥିବା ବେଳେ ଏହାର ଫାଇଦା ଉଠାଇ ଚାଲିଛନ୍ତି ମାଫିଆ। ଏ ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀମାନେ ଜାଣିଥିଲେ ମଧ୍ୟ ଜଣେ ଅଧିକାରୀ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ସୁରକ୍ଷା ଯୋଗାଇ ଚାଲିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର