ପାଣି ଚିନ୍ତାରେ ଗଜରାଜ : ଜନବସତି ମୁହାଁ ହେଉଛନ୍ତି ହାତୀପଲ

ପ୍ରତାପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଉତ୍ତର ଘୁମୁସର, ଦକ୍ଷିଣ ଘୁମୁସର ବନଖଣ୍ଡ ଓ ସୀମାନ୍ତ ଗଜପତି ଜିଲ୍ଲାରେ ଏବେ ମାତିଛନ୍ତି ଗଜରାଜ। ଖାଦ୍ୟ ଓ ପାଣି ସନ୍ଧାନରେ ହାତୀପଲ ସନ୍ଧ୍ୟା ହେଲେ ଗାଁ ଜନବସତିମୁହାଁ ହେଉଛନ୍ତି। ବିଗତ କିଛି ଦିନ ମଧ୍ୟରେ ଉଭୟ ଗଂଜାମ ଓ ଗଜପତି ଜିଲ୍ଲାରେ ସମାନ ଚିତ୍ର ଦେଖିବାକୁ ମିଳିଛି। ଫଳରେ ବନବିଭାଗଠୁ ଆରମ୍ଭ କରି ପାହାଡ଼ ଓ ଜଙ୍ଗଲ ପାଖରେ ରହୁଥିବା ଗ୍ରାମବାସୀ ସଭିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ହାତୀପଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି। ହେଲେ ଗଜରାଜ ଯେମିତି ଗତିପଥ ବଦଳାଇବାକୁ ନାରାଜ୍‌। ଗୋଟିଏ ପଟେ ସୁରକ୍ଷା ଚିନ୍ତା ଆଉ ଗୋଟିଏ ପଟେ ଅଘଟଣର ଆଶଙ୍କା ଘାରିଛି।

ଗତ ୨୪ ତାରିଖରେ ସାନଖେମୁଣ୍ଡି ବ୍ଲକ ସାହସପୁର ଗ୍ରାମକୁ ହାତୀପଲ ପଶି ଆସିଥିବା ବେଳେ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିଲେ। ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ଓ ତାରସିଂ ରେଂଜ ଅଧୀନ ଅଞ୍ଚଳରେ ବର୍ଷତମାମ ହାତୀପଲଙ୍କ ଆତଙ୍କ ଜାରି ରହିଛି। ଏହି ଦୁଇ ରେଞ୍ଜରେ ବର୍ତମାନ ୧୭ ଟି ହାତୀ ଥିବା ଗଣନାରୁ ଜଣାପଡ଼ିଛି। କିଛି ସ୍ଥାନରେ ଘର ମଧ୍ୟ ଭାଙ୍ଗୁଥିବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ୨୦୧୬ ମସିହା ଏପ୍ରିଲ୍‌ ୩୦ ତାରିଖରେ ଶିଶୁଣ୍ଡା କାଜୁ ଜଙ୍ଗଲରେ ହାତୀ ଆକ୍ରମରେ ରୀନା ନାଇକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଳା।

ଅନ୍ୟପକ୍ଷରେ ଜନବସତି ଆଡକୁ ଆସି ହାତୀପଲ ମରଣ ମୁହଁକୁ ଠେଲି ହୋଇଯାଉଛନ୍ତି। ଗତବର୍ଷ ମାର୍ଚ୍ଚ ୪ ତାରିଖରେ ଜଗନ୍ନାଥପ୍ରସାଦ ରେଞ୍ଜ୍‌ ଗେରେଡ଼ା ନିକଟ ପେଣ୍ଡୁରାବାଲି ଜଳାଶୟରୁ ପାଣି ପିଇବାକୁ ଆସିଥିବା ବେଳେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ୨୦୧୬ ଜୁଲାଇ ମାସ ୩୦ ତାରିଖ ଦିନ ତାରସିଂ ରେଞ୍ଜ ମାଣିତରା ବିଟର ବାରଦଣ୍ଡା ଗ୍ରାମ ନିକଟରୁ ଏକ ୫ ମାସର ହାତୀ ଛୁଆର ଗଳିତ ଶବ ଉଦ୍ଧାର ହୋଇଥିବା ବେଳେ ଜଳାଭାବରୁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଗତବର୍ଷ ତାରସିଂରେ ଜଳାଶୟରୁ ଦୁଇଟି ମା’ ହାତୀକୁ ଉଦ୍ଧାର କରାଯାଇଥିଲା। ଏହାର କିଛି ଦିନରେ ଗୋଟିଏ ମା’ ହାତୀଠୁ ଅଲଗା ଶିଶୁକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତବର୍ଷ ମେ ୨୬ ତାରିଖରେ ଗେରେଡ଼ା ନିକଟ ଧୋବାପଲ୍ଲୀ ଠାରେ ଏକ ଖୋଲା କୂଅରେ ମା ’ ଓ ଛୁଆ ହାତୀ ପାଣି ପିଇବା ସମୟରେ ଫସିଯାଇ ଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଠିକ ସେହି ଦିନ ସେହି ସ୍ଥାନ ଠାରୁ ମାତ୍ର ୩ କି.ମି ଦୂର କ୍ଷେତମୁଣ୍ଡଳି ପଞ୍ଚାାୟତର ଶିଶୁଣ୍ଡାର ଏକ ଜଳାଶୟରେ ଫସି ରହିଥିବା ଦୁଇଟି ହାତୀକୁ ବନବିଭାଗ ଉଦ୍ଧାର କରାଯାଇଥିଲା। କେବଳ ପାଣି ପାଇଁ ଏସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ହାତୀମାନଙ୍କର ଯାତାୟତ ପଥକୁ ସୁଗମ କରିବା ଓ ସେମାନଙ୍କୁ ପାରମ୍ପରିକ ଖାଦ୍ୟପେୟ, ଜଳର ବନ୍ଦୋବସ୍ତ କରାଯାଇପାରୁ ନଥବାରୁ ସେମାନେ ଜନବସତିମୁହାଁ ହେଉଥିବା ଜଣାପଡ଼ିଛି। ବନବିଭାଗ କର୍ତୃପକ୍ଷଙ୍କ କହିବା ଅନୁସାରେ, ପ୍ରତି ବର୍ଷ କ୍ଷତିପୂରଣ ବାବଦରେ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଉଥିବା ସହ ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ଏବଂ ୪ ଟି ଜଳାଶୟ ଖନନ କରାଯାଇଛି। ତେବେ ଆହୁରି ଅଧିକ ଜଳାଶୟର ଆବଶ୍ୟକ ରହିଛି।

ସମ୍ବନ୍ଧିତ ଖବର