ରେଞ୍ଜରଙ୍କ ଦମନ ନୀତି! ଗାଁ ସଭାପତିଙ୍କୁ ଆଣ୍ଠେଇ ଚାପୁଡ଼ା ମାରିଲେ

ପର୍ଜଙ୍ଗ : ମହାବିରୋଡ଼ ରେଞ୍ଜ ତଥା ପର୍ଜଙ୍ଗ ବ୍ଲକ୍‌ ଅଁଳାକଟା ଗାଁ ସଭାପତି କୈଳାସ ବେହେରା(୫୫)ଙ୍କ ଉପରେ ଗତକାଲି ରେଞ୍ଜର ସୁବ୍ରତ ବେହେରା ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। କୈଳାସଙ୍କୁ କାଠ ମାଫିଆ କହି ଗାଁ ଦାଣ୍ଡରେ ମାଡ଼ମାରି ଆଣ୍ଠେଇବା ସହ ତାଙ୍କୁ ଗିରଫ କରାଯାଇଛି। ରେଞ୍ଜରଙ୍କର ଏହା ଦମନ ନୀତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

କୈଳାସଙ୍କ କହିବା ଅନୁଯାୟୀ, ସେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରୁ ଅନୁମତି ନେଇ ଅଞ୍ଚଳର ବିଭିନ୍ନ ଲୋକଙ୍କ ବାଡ଼ିରୁ ଶାଗୁଆନ ଗଛ କଟାଇ ବିକ୍ରି କରୁଥିଲେ। ଗଛ ବିକ୍ରିରେ ସଂପୃକ୍ତ ଲୋକଙ୍କୁ ସାହାଯ୍ୟ କରୁଥିଲେ। ଗତକାଲି ବନ ବିଭାଗ ବାଇଗିଣିଆ ଗାଁରେ ଏକ ଗାଡ଼ିରେ ଶାଗୁଆନ ଓ ଶାଳକାଠ ରଖି ସେଠାକୁ କୈଳାସଙ୍କୁ ଡକାଇଥିଲେ। କୈଳାସ ପହଞ୍ଚିବା ପରେ ରେଞ୍ଜର ଶ୍ରୀ ବେହେରା ତାଙ୍କୁ କାଠ ମାଫିଆ କହି ଶକ୍ତ ଚାପୁଡ଼ା ମାରିବା ସହ କାନ ଧରାଇ ଆଣ୍ଠେଇ ଦେଇଥିଲେ। ଆଣ୍ଠେଇ ଆଣ୍ଠେଇ ଚଲାଇବା ପରେ ରେଞ୍ଜ କାର୍ଯ୍ୟାଳୟକୁ ନେଇ ପାରା ମଳ ଭର୍ତ୍ତି ଏକ ପରିତ୍ୟକ୍ତ ଘରେ ରାତିସାରା ତାଲା ପକାଇ ଅଟକ ରଖିଥିଲେ। ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏ ଘଟଣା ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ଅଭିଯୋଗ ସଂପର୍କରେ ରେଞ୍ଜର ସୁବ୍ରତ ବେହେରାଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ‘ସେମିତି କିଛି ହୋଇନାହିଁ’ କହି ରେଞ୍ଜର ଶ୍ରୀ ବେହେରା ଫୋନ୍‌ କାଟିଦେଇଥିଲେ।

ସମ୍ବନ୍ଧିତ ଖବର