ମାଟ୍ରିକ ଫର୍ମ ଦାଖଲ ସମୟସୀମା ବୃଦ୍ଧି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍‌-ଅପ୍‌ ସମୟସୀମା ବୃଦ୍ଧି କରାଯାଇଛି। ଆଜି ଫର୍ମ ଫିଲ୍‌-ଅପ୍‌ର ଶେଷ ତାରିଖ ଥିବା ବେଳେ ବୋର୍ଡ ପକ୍ଷରୁ ଏହି ଅବଧି ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଅନ୍‌ ଲାଇନରେ ନଭେମ୍ବର ୧୮ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦେୟ ଅନ୍‌ ଲାଇନରେ ଜମା କରି ପାରିବେ। ଏଥି ସହିତ ନଭେମ୍ବର ୧୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସେମାନଙ୍କ ଫର୍ମ ଅନ୍‌ ଲାଇନରେ ଦାଖଲ କରି ପାରିବେ।

ଏହା ପରେ ମଧ୍ୟ ଜରିମାନା ସହିତ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିବା ପାଇଁ ସୁଯୋଗ ପାଇବେ। ନଭେମ୍ବର ୨୩ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ଜରିମାନା ସହିତ ନିର୍ଦ୍ଧାରିତ ଦେୟ ଅନ୍‌ ଲାଇନରେ ଛାତ୍ରଛାତ୍ରୀ ଜମା କରି ପାରିବେ। ଏହି ଛାତ୍ରଛାତ୍ରୀମାନେ ନଭେମ୍ବର ୨୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସେମାନଙ୍କ ଫର୍ମ ଅନ୍‌ ଲାଇନରେ ଦାଖଲ କରି ପାରିବେ। ଫର୍ମ ପୂରଣ ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୮ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣର ଆଜି ଶେଷ ତାରିଖ ଥିବା ବେଳେ ବହୁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ ଫର୍ମ ଦାଖଲ କରି ପାରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବୋର୍ଡ ପକ୍ଷରୁ ସମୟସୀମା ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର