ମେଡିକାଲ ନାମଲେଖା ପାଇଁ ଆଜିଠୁ ପଞ୍ଜୀକରଣ, ୧୧୩୩ ସିଟ୍‌ ଲାଗି ହେବ ନାମଲେଖା

ଭୁବନେଶ୍ୱର: ଓଡ଼ିଶାରେ ଥିବା ସରକାରୀ, ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତାକାଲିଠାରୁ ପଞ୍ଜୀକରଣ ଆରମ୍ଭ ହେବ। ନିଟ୍‌ ର‍୍ୟାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ‘www.ojee.nic.in’ ମାଧ୍ୟମରେ ଜୁନ୍‌ ୨୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିପାରିବେ। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଜୁନ୍‌ ୨୬ରେ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଏଥିପାଇଁ ଜୁନ୍‌ ୨୬ରୁ ୨୯ ମଧ୍ୟରେ ନୋଡାଲ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଜୁନ୍‌ ୩୦ରେ ରାଜ୍ୟସ୍ତରୀୟ ମେରିଟ୍‌ ଲିଷ୍ଟ ବାହାରିବ। ଜୁଲାଇ ୧ ଓ ୨ରେ ଛାତ୍ରଛାତ୍ରୀ ଚଲସ୍‌ ଫିଲିଂ ଓ ଲକିଂ କରିପାରିବେ। ଜୁଲାଇ ୫ରୁ ୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ନାମଲେଖା କରାଯିବ। ଜୁଲାଇ ୧୨ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଯୋଗଦେବେ।

ଜୁଲାଇ ୨୪ରେ ଖାଲି ପଡ଼ିଥିବା ସିଟ୍‌ ତାଲିକା ପ୍ରକାଶ ପାଇବ। ଏଥିପାଇଁ ୨୪ ଓ ୨୫ ତାରିଖରେ ଚଏସ୍‌ ଫିଲିଂ ଓ ଲକିଂ ହେବ। ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍‌ ନାମଲେଖା ଜୁଲାଇ ୨୭ରୁ ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଯଦି ସିଟ୍‌ ଖାଲି ରହିବ ତେବେ ଅଗଷ୍ଟ ୪ରୁ ୮ ପର୍ଯ୍ୟନ୍ତ ସ୍ପଟ୍‌ କାଉନସେଲିଂ କରାଯିବ। ଅଗଷ୍ଟ ୧୨ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଯୋଗଦେବେ। ଅଗଷ୍ଟ ୧ରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

ଚଳିତବର୍ଷ ୭ଟି ସରକାରୀ ମେଡିକାଲ କଲେଜ ସମେତ ଗୋଟିଏ ଘରୋଇ କଲେଜର ୧୧୫୦ ଏମ୍‌ବିବିଏସ୍‌ ଓ ୧୫୦ ବିଡିଏସ୍‌ ସିଟ୍‌ ପାଇଁ ନାମଲେଖା ହେବ। ସେଥିମଧ୍ୟରୁ ସରକାରୀ କଲେଜର ୧୬୭ଟି ସିଟ୍‌ ସର୍ବଭାରତୀୟ କୋଟାରେ ପୂରଣ କରାଯିବ। ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ କଲେଜର ୨୧୨ଟି ଲେଖାଏ ଏମ୍‌ବିବିଏସ୍‌ ସିଟ୍‌ ସମେତ ଭିଏସ୍‌ଏସ୍‌ ବୁର୍ଲାର ୧୨୭, ବାରିପଦା, କୋରାପୁଟ, ବଲାଙ୍ଗୀର ଓ ବାଲେଶ୍ୱରର ୮୫ଟି ଲେଖାଏ ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଓଜେଇଇ କାଉନସେଲିଂ କରିବ। ଭୁବନେଶ୍ୱର ହାଇଟେକ୍‌ ମେଡିକାଲ କଲେଜର ୧୦୦(ଏନ୍‌ଆରଆଇର ୧୫ଟି ସିଟ୍‌କୁ ମିଶାଇ)ଟି ଏମ୍‌ବିବିଏସ୍‌, ଏସ୍‌ସିବି ଡେଣ୍ଟାଲ କଲେଜର ୪୨ଟି ଓ ଭୁବନେଶ୍ୱର ହାଇଟେକ୍‌ ଡେଣ୍ଟାଲ କଲେଜର ୧୦୦(ଏନ୍‌ଆରଆଇର ୧୫ଟି ସିଟ୍‌କୁ ମିଶାଇ) ସିଟ୍‌ ପାଇଁ ମଧ୍ୟ ଓଜେଇଇ କାଉନସେଲିଂ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର