ମାଛରୁ ମିଳିଲା ବିଷ

ସରକାରଙ୍କ ଆଶ୍ୱାସନା: ଭୟର କାରଣ ନାହିଁ, ସବୁ ଜିଲ୍ଲାରେ ଟାସ୍କଫୋର୍ସ ହେବ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱର ବଜାରରୁ ବିଷାକ୍ତ ମାଛ ମିଳିଛି। ମୋଟ ୯ ପ୍ରକାର ସଂଗୃହୀତ ମାଛର ନମୁନା ମଧ୍ୟରୁ କେବଳ ପମ୍ପରେଟ୍‌ ମାଛରେ ଫର୍ମାଲିନ୍‌ ନାମକ ରାସାୟନିକ ଦ୍ରବ୍ୟ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ତେବେ ଏହା କେଉଁଠାରୁ ଆସିଛି, ଆନ୍ଧ୍ର ପ୍ରଦେଶରୁ କି ରାଜ୍ୟର ଅନ୍ୟ କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ। ତେବେ ବିଷ ଥିବା ମାଛ ମିଳିବା ପରେ ରାଜ୍ୟ ସରକାର ତନାଘନା ଆରମ୍ଭ କରିଦେଇଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ତାଗିଦ୍‌ କରିଦେଇଛନ୍ତି ସବୁ ଅଞ୍ଚଳର ମାଛ ନମୁନା ସଂଗ୍ରହ କରି ପରୀକ୍ଷା କରିବେ। ଯଦି ବିଷାକ୍ତ ମାଛ ମିଳେ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏପରି କି ସବୁ ଜିଲ୍ଲାରେ ଟାସ୍କ ଫୋର୍ସ ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, ଆଜି ଭୁବନେଶ୍ୱରରୁ ରୋହି, ଭାକୁର, ମିରିକାଳୀ, ଚେଙ୍ଗ, ଗଡ଼ିଆ ଆଦି ୯ ଜାତି ମାଛର ନମୁନା ସଂଗ୍ରହ ହୋଇଛି। ଏଥିମଧ୍ୟରୁ ୟୁନିଟ୍‌-୪ ମାଛ ବଜାରରୁ ମାଛ ବ୍ୟବସାୟୀ ରତ୍ନାକର ବେହେରାଙ୍କ ଦୋକାନରୁ ପମ୍ପରେଟ୍‌ ମାଛ ନମୁନା ପରୀକ୍ଷା କରିବା ପରେ ସେଥିରେ ଫର୍ମାଲିନ୍‌ ମିଶ୍ରିତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହି ମାଛ କେଉଁଠୁ ଆସିଥିଲା ତାହା ଜଣାପଡ଼ିନାହିଁ। ଏ ନେଇ ତଦନ୍ତ ଜାରି ରହିଛି।

କେବଳ ମାଛ ବଜାର ନୁହେଁ, ଆନ୍ଧ୍ର ପ୍ରଦେଶରୁ ମାଛ ନେଇ ଆସିଥିବା ଟ୍ରକରୁ ମାଛ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି। କିନ୍ତୁ ସେଥିରୁ ବିଷାକ୍ତ ମାଛ ମିଳିନାହିଁ। ଆଜି ପ୍ରତ୍ୟୁଷ ୪ଟାରୁ ମତ୍ସ୍ୟ ନିର୍ଦେଶାଳୟ ଯୁଗ୍ମ ନିର୍ଦେଶକ ପ୍ରତାପ ରାଉତଙ୍କ ନେତୃତ୍ୱରେ ୧୨ଜଣିଆ ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତିି। ଗୋଟିଏ ନମୁନାକୁ ଛାଡ଼ିଦେଲେ, ଅନ୍ୟ ସବୁ ନେଗେଟିଭ୍‌ ରହିଛି। ଏଣୁ, ବିଷାକ୍ତ ମାଛ ନେଇ ଲୋକମାନେ ଆତଙ୍କିତ ନ ହେବାକୁ ସେ ଆଶ୍ୱସନା ଦେଇଥିଲେ।

ଆନ୍ଧ୍ର ପ୍ରଦେଶ ମାଛ ସଂପର୍କରେ ମନ୍ତ୍ରୀ ଶ୍ରୀ ମହାରଥୀ କହିଲେ, ଆନ୍ଧ୍ର ପ୍ରଦେଶରୁ ମାତ୍ର ୭/୮ ଘଣ୍ଟା ମଧ୍ୟରେ ରାଜ୍ୟରେ ମାଛ ପହଞ୍ଚୁଛି। ଏହି ସମୟ ପାଇଁ ମାଛକୁ ସତେଜ ରଖିବା ଉଦ୍ଦେଶ୍ୟରେ ବରଫ ହିଁ ଯଥେଷ୍ଟ। କିନ୍ତୁ ଆସାମ ରାଜ୍ୟ ଭଳି ଦୂରଦୂରାନ୍ତକୁ ଯାଉଥିବା ମାଛ ଟ୍ରକଗୁଡ଼ିକରେ ମାଛକୁ ଦୀର୍ଘଦିନ ସତେଜ ରଖିବା ପାଇଁ ରାସାୟନିକ ଦ୍ରବ୍ୟ ମିଶାଇବାର ସମ୍ଭାବନା ରହିଛି। ତେବେ ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ମାଛ ଆସେ ବୋଲି ଲୋକଙ୍କ ମନରେ ଧାରଣା ରହିଥିବା କହି ଏହା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ଓଡ଼ିଶାରେ ବର୍ଷକୁ ୬.୭୦ ଲକ୍ଷ ମେଟ୍ରିକ ଟନ୍‌ ମାଛ ଉତ୍ପାଦନ ହେଉଛି ଯାହାକି ରାଜ୍ୟର ଚାହିଦାଠାରୁ ଅଧିକ। ରାଜ୍ୟରୁ ପ୍ରାୟ ୯୦ ହଜାର ଟନ୍‌ ମାଛ ରାଜ୍ୟରୁ ରପ୍ତାନୀ ହେଉଛି। ଏ ବାବଦରେ ବୈଦେଶିକ ମୁଦ୍ରା ଅର୍ଜନ ହେଉଛି। ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଆସୁଛ ମାତ୍ର ୩୦ ହଜାର ଟନ୍‌ ମାଛ। ୨୦୧୯ ଶେଷ ସୁଦ୍ଧା ଆନ୍ଧ୍ର ପ୍ରଦେଶରୁ ମାଛ ଆମଦାନି କରିବାକୁ ପଡ଼ିବ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର