ସମ୍ବଲପୁରରେ ବିକ୍ରି ମାଛରେ ମିଶିଛି ଫର୍ମାଲିନ, ଆସାମ ପରେ ଗୋଆ ବ୍ୟାନ କଲା ଆନ୍ଧ୍ରାମାଛ

ଭୁବନେଶ୍ୱର/ସମ୍ବଲପୁର: ସମ୍ବଲପୁରରେ ବିକ୍ରି ହେଉଥିବା ମାଛରେ ମିଶିଛି ଫର୍ମାଲିନ। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆଜି  ସଂଗ୍ରହ କରାଯାଇଥିବା  ମାଛ ନମୂନା ମଧ୍ୟରୁ ୨ଟି ମାଛରେ ଫର୍ମାଲିନ ପ୍ରଲେପ ଦିଆଯାଇଥିବା ବିଜ୍ଞାନାଗାରରେ ପରୀକ୍ଷା ପରେ ସ୍ପଷ୍ଟ ହୋଇଛି। ସମ୍ବଲପୁର ସହରୀ କୁଲୁଥକାନି ମାଛ ବଜାରରୁ ସଂଗ୍ରହ କରାଯାଇଥିବା ମାଛରୁ ଏହି ଫର୍ମାଲିନ ମିଳିଥିବା ମତ୍ସ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଯେଉଁ ମାଛରୁ ଫର୍ମାଲିନ୍‌ ମିଶିଥିିବାର  ସୂଚନା ମିଳିଛି ତାହା ଆନ୍ଧ୍ରପ୍ରଦେଶରୁ ଆମଦାନୀ ହୋଇଥିବା ମାଛ କିମ୍ବା ସ୍ଥାନୀୟ ମାଛ ତାହା ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷେ  ଆସାମସରକାର  ୧୦ଦିନ ପାଇଁ  ରାଜ୍ୟ ବାହାରୁ  ମାଛ ଆମଦାନୀ ଉପରେ ସରକାରୀ କଟକଣା ଜାରି କରିବା ପରେ ଆଜି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର  ଗୋଆକୁ କୌଣସି ପରିସ୍ଥିତିରେ ୧୫ ଦିନ ମଧ୍ୟରେ ରାଜ୍ୟ ବାହାରୁ ମାଛ ଆସି ପାରିବ ନାହିଁ ବୋଲି ଘୋଷଣା କରିଛନ୍ତି।ଆମଦାନୀ ମାଛରେ ଫର୍ମାଲିନ ମିଶିଥିବାର ପ୍ରମାଣ ମିଳିବା ପରେ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ଏଥିପାଇଁ ଗୋଆର ସମସ୍ତ ସୀମାନ୍ତ ରାସ୍ତାରେ ପୁଲିସ ମୂତୟନ କରାଯାଇ ଆନ୍ଧ୍ରାମାଛ ସମେତ ସମସ୍ତ ମାଛ ଆମଦାନୀ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ପାରିକର କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ବଲପୁରର ବୁଢ଼ାରଜା, ଅଇଁଠାପାଲି, କୁଲୁଥକାନି ଆଦି ଅଞ୍ଚଳରୁ ମତ୍ସ୍ୟବିଭାଗ ପକ୍ଷରୁ ମାଛ ନମୂନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ କୁଲୁଥକାନିରୁ ସଂଗୃହିତ ମାଛ ମଧ୍ରରୁ ୨ଟିରେ ମାରାତ୍ମକ ଫର୍ମାଲିନ୍‌ ପ୍ରଲେପ ଦିଆଯାଇଥିବା ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ, ଆସାମ ସରକାର ମାଛରେ ଫର୍ମାଲିନ ପ୍ରୟୋଗ ହୋଇଥିବାରୁ ଆନ୍ଧ୍ରପ୍ରଦେଶରୁ ଯାଉଥିିବା ମାଛ ଉପରେ ବ୍ୟାନ ଲଗାଇ ଥିଲେ। ଏହି ଫର୍ମାଲିନ୍‌ ରାସାୟନିକଟି ଶବକୁ ସତେଜ ରଖିବା ପାଇଁ ପ୍ରୟୋଗ ହୋଇଥାଏ ଓ ଏହା କ୍ୟାନସର ରୋଗ ସୃଷ୍ଟି କରିଥାଏ ବୋଲି କୁହାଯାଏ। ତେବେ ଆସାମ ସରକାର ଆନ୍ଧ୍ରମାଛ  ଉପରେ ରୋକ୍‌ ଲଗାଇବା ପରେ  ଓଡ଼ିିଶା ସରକାର ମାଛର ନମୂନା ସଂଗ୍ରହ ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ଏଥିପାଇଁ ଗତ ୧୨ ତାରିଖ ଦିନ   ପଦକ୍ଷେପ ନେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ। ଏହି ନିର୍ଦ୍ଦେଶକ୍ରମେ ୧୩ ତାରିଖ ଦିନ  ୪ ନମ୍ବର ମାଛ ହାଟରୁ ମାଛର ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ରାସାୟନିକ ପରୀକ୍ଷାରୁ ସଂଗୃହିତ ମାଛ ମଧ୍ୟରୁ ପାମ୍ପଲେଟ୍‌ ମାଛରେ ଫର୍ମାଲିନ ପ୍ରଲେପ ଦିଆଯାଥିବା ସ୍ପଷ୍ଟ ହୋଇଥିଲା।  ତା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ ଦିଆଯାଉଛି କିମ୍ବା ନାହିଁ ତାହା ଜାଣିବା ପାଇଁ ମାଛ ନମୂନରା ସଂଗ୍ରହ କରାଯାଉଛି। ଗତକାଲି କଟକ, ବ୍ରହ୍ମପୁର ଓ ରାଉରକେଲାରେ ମାଛ ନମୂନା ସଂଗ୍ରହ ହୋଇଥିବା ବେଳେ ଆଜି ସମ୍ବଲପୁର ଓ ଖୋର୍ଦ୍ଧାର ବିଭିନ୍ନ ମାଛ ବଜାରରେ ଚଢ଼ାଉ କରାଯାଇ ମାଛରେ ଫର୍ମାଲିନ ଦିଆଯାଇଛି କିମ୍ବା ନାହିଁ  ତାହା ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର