ନବୀନ ନନ୍ଦଙ୍କ ୧୩ ଘଣ୍ଟା ପତ୍ତା ମିଳିଲାନି : ୪୦ କି.ମି. ଚାଲି ହୋଟେଲରେ ପହଞ୍ଚିଲେ!

ଢେଙ୍କାନାଳ : ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କର ଆଜି କିଛି ଘଣ୍ଟା ଧରି ପତ୍ତା ମିଳିନଥିଲା। କୋଲକାତା ଯାଇଥିବା ସମୟରେ ସେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି ବୋଲି ଆଜି ଖବର ପ୍ରଚାରିତ ହୋଇଥିଲା। ସେଠାରେ ରହୁଥିବା ହୋଟେଲକୁ ସେ ପାଖାପାଖି ୧୩ ଘଣ୍ଟା ପରେ ଫେରି ଆସିଥିଲେ। ଫେରି ଆସିବା ପରେ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟଥିଲା।

ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ଗତ ୨୯ ତାରିଖରେ ନିଜ ବ୍ୟବସାୟିକ କାର୍ଯ୍ୟରେ କୋଲକାତା ଯାଇଥିଲେ। ସେଠାରେ ସେ ସେକ୍ସପିୟର ସରଣୀ ‘ହୋଟେଲ ଅରିସ’ ରୁମ୍‌ ନମ୍ବର ୪୦୩ରେ ରହୁଥିଲେ। ଆଜି ତାଙ୍କର ଘରକୁ ଫେରିବାର ଥିଲା। ମାତ୍ର, ନଫେରିବାରୁ ତାଙ୍କ ପୁଅ ସଂବିତ୍‌ ନନ୍ଦ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ମାତ୍ର, ତାଙ୍କ ଫୋନ୍‌ ବନ୍ଦ ରହିଥିଲା। ସଂବିତ୍‌ଙ୍କ କହିବାନୁସାରେ, ଗତକାଲି ସଂଧ୍ୟା ସାଢ଼େ ୭ଟାବେଳେ ସେ ମୋବାଇଲ୍‌ରେ ଶେଷଥର କଥା ହୋଇଥିଲେ। କୌଣସି ଖୋଜ୍‌ ଖବର ନମିଳିବାରୁ ସେ କୋଲକାତାରେ ପହଞ୍ଚଥିଲେ। ସେ ରହୁଥିବା ହୋଟେଲ୍‌ ରୁମ୍‌ରେ ତାଙ୍କ ଲାପ୍‌ଟପ୍‌, ଅନ୍ୟ ଜିନିଷପତ୍ର ଥିଲା।

ହୋଟେଲ୍‌ ମ୍ୟାନେଜରଙ୍କୁ ପଚାରିବା ସତ୍ତ୍ୱେ ସଂବିତ୍‌ ଶ୍ରୀ ନନ୍ଦଙ୍କର କୌଣସି ସନ୍ଧାନ ପାଇନଥିଲେ। କେବଳ ଭୋର୍‌ ୪ଟା ୪ଟା ୩୦ ମିନିଟ୍‌ ମଧ୍ୟରେ ସେ କେଉଁଆଡ଼େ ଚାଲିଯାଇଥିବା କହିଥିଲେ। କୌଣସି ସୂଚନା ନପାଇବାରୁ ଶ୍ରୀ ନନ୍ଦ ନିଖୋଜ ହୋଇଯାଇଥିବା ନେଇ ପୁଅ ସଂବିତ୍‌ ସେକ୍ସପିୟର୍‌ ସରଣୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ, ହୋଟେଲ୍‌ ଛାଡ଼ିବାର ୧୩ ଘଣ୍ଟା ପରେ ଅର୍ଥାତ୍‌ ସଂଧ୍ୟା ୫ଟା ୪୦ରେ ଶ୍ରୀ ନନ୍ଦ ରହୁଥିବା ହୋଟେଲକୁ ଫେରି ଆସିଥିବା ସଂବିତ୍‌ ସୂଚନା ଦେଇଛନ୍ତି।

ସଂବିତ୍‌ଙ୍କ କହିବା ଅନୁଯାୟୀ, ତାଙ୍କ ବାପା ରହୁଥିବା ହୋଟେଲ୍‌ଠାରୁୁ ୪୦ କି.ମି. ଦୂରକୁ କୌଣସି କାମରେ ଯାଇଥିଲେ। ସେଠାରେ ତାଙ୍କ ମୋବାଇଲ୍‌ ଫୋନ୍‌, ଆଧାର କାର୍ଡ ଓ ପର୍ସ ଆଦି ଲୁଟ୍‌ ହୋଇଗଲା। କୋଲକାତା ଭଳି ଜାଗାରେ କାହାକୁ ଏହା ଜଣାଇବେ, କିଏ ତାଙ୍କ ଦୁଃଖ ଶୁଣିବ ଭାବି ୪୦ କି.ମି. ରାସ୍ତା ଚାଲି ଚାଲି ଆସି ହୋଟେଲରେ ପହଞ୍ଚିଥିଲେ। ତେବେ ଶ୍ରୀ ନନ୍ଦଙ୍କଠାରୁ କେଉଁଠାରେ ଲୁଟ୍‌ ହେଲା ସେ ସଂପର୍କରେ କିଛି ସୂଚନା ଦେଇନାହାନ୍ତି।

‘ ବାପା ଅତ୍ୟଧିକ କ୍ଲାନ୍ତ ଥିବାରୁ ଓ ତାଙ୍କ ମନ ଅସ୍ଥିର ଥିବାରୁ ସେ କିଛି ସୂଚନା ଦେଇପାରୁନାହାନ୍ତି।’ ଲୁଟ୍‌ ସଂପର୍କରେ ଥାନାରେ ଅଭିଯୋଗ କରିବେ କି ବୋଲି ପଚାରିବାରୁ, ‘ ବାପାଙ୍କ ସହ ଆଲୋଚନା କରି ଯାହା କରାଯିବ,’ ବୋଲି ସଂବିତ୍‌ ପ୍ରକାଶ କରିଛନ୍ତି।

ତେବେ, ଏହି ଘଟଣାକୁ ନେଇ ଆଜି ଚର୍ଚ୍ଚା ଜୋର୍‌ ଧରିଛି। ୧୩ ଘଣ୍ଟା ଧରି ତାଙ୍କର କୌଣସି ପତ୍ତା ନ ମିଳିବା ଏବଂ ୪୦ କିଲୋମିଟର ଧରି ଚାଲିଚାଲି ଆସି ହୋଟେଲ୍‌ରେ ପହଞ୍ଚବାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର