ବର୍ଷୀୟାନ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତିଙ୍କ ପରଲୋକ

କେନ୍ଦ୍ରାପଡ଼ା/ଭୁବନେଶ୍ବର : ବର୍ଷୀୟାନ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଶନିବାର ରାତି ୧୨ଟା ୫୦ରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ଦୀର୍ଘ ବର୍ଷ ଧରି ରାଜ୍ୟ କଂଗ୍ରେସ ରାଜନୀତିର ପ୍ରମୁଖ ବିନ୍ଧା‌ଣୀ ସାଜିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଏହି ପ୍ରମୁଖ ନେତାଙ୍କ ପରଲୋକରେ ରାଜ୍ୟ କଂଗ୍ରେସରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ଶନିବାର ଦିନ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ନୀଳକଣ୍ଠନଗର ବାସଭବନରେ ଅଚାନକ ସ୍ବର୍ଗତ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ରାତିରେ ତାଙ୍କର ପରଲୋକ ହେବା ପରେ ମରଶରୀରକୁ ବାସଭବନକୁ ଅଣାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ଏହା ପରେ ତାଙ୍କ ମରଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା। ସେଠାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସ‌େମତ କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ କଂଗ୍ରେସ ଭବନକୁ ତାଙ୍କ ମରଶରୀର ଆସିଲା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ‌େମତ ବହୁ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଭୁବନେଶ୍ବରରୁ ତାଙ୍କ ପାର୍ଥିବ ଶରୀରକୁ କେନ୍ଦ୍ରାପଡ଼ା ଅଭିମୁଖେ ନିଆଯାଇଥିଲା। କେନ୍ଦ୍ରାପଡ଼ା ନୂଆ ବସ୍‌ଷ୍ଟାଣ୍ଡ୍‌ ତୁଳସୀବଜାରସ୍ଥିତ ତାଙ୍କ ବାସଭବନରେ ପାର୍ଥିବ ଶରୀର ପହଞ୍ଚିଲା ପରେ ଶେଷ ଦଶର୍ନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତଥା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ଭିଡ଼ ଜମିଥିଲା। ପରେ ତାଙ୍କ ମର ଶରୀରକୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବ୍ୟାଙ୍କ୍ ପରିସରକୁ ଶୋଭାଯାତ୍ରାରେ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ବିଧାୟକ ଶଶିଭୂଷଣ ବେହେରା, ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା, ପୂର୍ବତନ ବିଧାୟକ ଦେବେନ୍ଦ୍ରନାଥ ଶର୍ମା, କିଶୋର ତରାଇ, ଚିନ୍ମୟ ପ୍ରସାଦ ବେହୁରା, ଅଲେଖ ଜେନା, ଉତ୍କଳ କେଶରୀ ପରିଡ଼ା ଓ ଅଂଶୁମାନ ମହାନ୍ତି, ଶ୍ରୀମା ସ୍ବାମୀ ଦିବ୍ୟସ୍ବରୂପାନନ୍ଦଜୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା, କଂଗ୍ରେସ ନେତା ପ୍ରଦୀପ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କେନ୍ଦ୍ରାପଡ଼ାସ୍ଥିତ ବାସଭବନରେ ସ୍ବର୍ଗତ ମହାନ୍ତିଙ୍କ ଶେଷଦର୍ଶନ କରିଥିଲେ। କଜଳାସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ପୁଅ ଗୁରୁପ୍ରସାଦ ମହାନ୍ତି ମୁଖାଗ୍ନି ଦେଇଥିଲେ। ଶେଷ ସମୟରେ ତାଙ୍କ ନିକଟରେ ପତ୍ନୀ କଲ୍ୟାଣୀ ମହାନ୍ତି(୮୨), ଦୁଇ ପୁଅ ଗୁରୁପ୍ରସାଦ ଓ ସୁଜିତ୍, ବୋହୂ ଗାୟତ୍ରୀ ଓ ଲିପିକାଙ୍କ ସମେତ ନାତି/ନାତୁଣି ଏବଂ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

୧୯୨୮ ମସିହା ଜୁଲାଇ ୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ବଙ୍ଗାଳପୁର ପଞ୍ଚାୟତ ଷ‌ଠ‌ିଲୋ ଗାଁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ା ପୌରପାଳିକା କାଉନସିଲର୍‌ରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୫୯ରୁ ୧୯୬୩ ମସିହା ଯାଏ କେନ୍ଦ୍ରାପଡ଼ା ପୌରପାଳିକା କାଉନସିଲର୍‌ ରହିବା ପରେ ୧୯୬୧ରୁ ୧୯୬୭ ମସିହା ଯାଏ ପାଟକୁରା ପଞ୍ଚାୟତ ସମିତି ସଭ୍ୟ ଏବଂ ୧୯୬୭ରୁ ୧୯୭୧ମସିହା ଯାଏ କେନ୍ଦ୍ରାପଡ଼ା ବ୍ଲକ୍ ଅଧ୍ୟକ୍ଷ ଥିଲେ।  ୧୯୭୧ରେ ପ୍ରଥମଥର ପାଇଁ ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କେନ୍ଦ୍ରପଡ଼ା ଆସନରୁ ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ବିଧାୟକ ରୂପେ ନିର୍ବାଚିତ ହେବା ପରେ ଦଳ ମିଶ୍ରଣ ଯୋଗୁ ସେ କଂଗ୍ରେସରେ ସାମିଲ୍ ‌ହୋଇଥିଲେ। ଏହା ପର ଠୁ ଆଉ ପଛକୁ ଫେରି ନ ଥିଲେ ସେ। ୧୯୮୫ରେ କଂଗ୍ରେସ ଟିକଟ୍‌ରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହେବା ପରେ ୧୯୮୯ରେ  ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ବ ଓ ଅବକାରୀ ବିଭାଗର ମନ୍ତ୍ରୀ ହୋଇଥିଲେ। ଅନୁରୂପ ଭାବେ ତୃତୀୟ ଥର ପାଇଁ ୧୯୯୫ରେ ବିଧାୟକ ଭାବେ ସେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଉଚ୍ଚଶିକ୍ଷା ଏବଂ ଯୋଜନା ଓ ସମନ୍ବୟ ବିଭାଗର ମନ୍ତ୍ରୀ ହୋଇଥିଲେ। ସେହିପରି ୧୯୯୮ରେ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କ ମନ୍ତ୍ରିମଣ୍ଡଳରେ ବି ସାମିଲ୍ ହୋଇଥିଲେ। ତାଙ୍କୁ ଉଚ୍ଚ ଶିକ୍ଷା ଏବଂ ପେନସନ୍ ଓ ସାଧାରଣ ଅଭିଯୋଗ ବିଭାଗର ମନ୍ତ୍ରୀ କରାଯାଇଥିଲା। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ବଳ୍ପକାଳୀନ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ପରେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି କରାଯାଇଥିଲା। ୨୦୦୪ ନିର୍ବାଚନ ସମୟରେ ସେ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟିର ଅଧ୍ୟକ୍ଷ ଥିଲେ। କେବଳ ସେତିକି ନୁହେଁ, ୧୯୮୪ ମସିହା ଯାଏ ସେ ଆଇନ ବ୍ୟବସାୟ ସହ ଜଡ଼ିତ ଥିଲେ। ‌କେନ୍ଦ୍ରାପଡ଼ା ବିକାଶରେ ତାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ଜୀବନର ଶେଷ ସମୟ ଯାଏ ସେ ବହୁ ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ।

ସମ୍ବନ୍ଧିତ ଖବର