ପରଲୋକରେ ନିତ୍ୟାନନ୍ଦ ସାମନ୍ତରାୟ

କଟକ : ତିର୍ତ୍ତୋଲର ପୂର୍ବତନ ବିଧାୟକ, ସମାଜବାଦୀ ନେତା, ବିଶିଷ୍ଟ ଶିଳ୍ପପତି, ପରିବେଶବିତ୍‌ ତଥା ବାରବାଟୀ-କଟକର ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଆଜି ଅପରାହ୍ନରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ହୃଦଘାତର ଶିକାର ହୋଇ ସେ ରାଜାବଗିଚା ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ବିଧାୟକ ଦେବାଶିଷ ସାମନ୍ତରାୟ, କୌଶିକ ସାମନ୍ତରାୟ, ସିଦ୍ଧାର୍ଥ ସାମନ୍ତରାୟ, ପୁତୁରା ରବୀନ୍ଦ୍ର କୁମାର ସାମନ୍ତରାୟ, ଦେବେନ୍ଦ୍ର କୁମାର ସାମନ୍ତରାୟ, ଦୀପକ ସାମନ୍ତରାୟ, ଶୁଭ୍ରାଂଶୁ ସାମନ୍ତରାୟ, ପ୍ରଭାଂଶୁ ସାମନ୍ତରାୟ, ପୁଷ୍ପା ସାମଲ, ସୀମା ସାମନ୍ତରାୟ, ବିନ୍ଦୁ ସାମନ୍ତରାୟ, ସ୍ମିତି ଦାସ, ରେଣୁ, ବିଧାୟକ ଚିରଂଜୀବୀ ବିଶ୍ୱାଳ, ଅମର ପ୍ରଧାନ, ନରହରି ସ୍ୱାଇଁ ପ୍ରମୁଖ ବନ୍ଧୁ ତଥା ପରିବାର ବର୍ଗ ଉପସ୍ଥିତ ଥିଲେ। ଆସନ୍ତାକାଲି ଦିନ ସାଢେ ଦଶଟାରେ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।

ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବେଶ ସକ୍ରିୟ ଥିବା ନିତ୍ୟାନନ୍ଦ ସାମନ୍ତରାୟ ଜଣେ ବିଶିଷ୍ଟ ଶିଳ୍ପପତି ତଥା ପରିବେଶ ପ୍ରେମୀ ଥିଲେ। ସେ ଇପିନିଟ୍‌ ବନସ୍ପତି ଘିଅ କଂପାନି, ସିଦ୍ଧାର୍ଥ କନଷ୍ଟ୍ରକସନ୍‌ ଭଳି ଅନେକ ସଫଳ ବ୍ୟବସାୟିକ ସଂସ୍ଥାର ପ୍ରତିଷ୍ଠାତା ଥିଲେ। ଜଣେ ସଫଳ ଠିକାଦାର ଭାବେ ଖ୍ୟାତି ଅର୍ଜନ କରିଥିଲେ। ଅନ୍ୟପଟେ ସେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ‘ସବୁଜ ମଣିଷ’ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। ରାଜାବଗିଚା ପୂଜା କମିଟିର ଆଜୀବନ ସଭାପତି ଏବଂ ଶ୍ରୀମା ଅରବିନ୍ଦଙ୍କ ଭକ୍ତ ତଥା କଟକ ମାତୃ ମନ୍ଦିରର ସେ ଟ୍ରଷ୍ଟି ଥିଲେ।

‘ସମ୍ବାଦ’ ପ୍ରତିଷ୍ଠା ହେବା ଦିନଠାରୁ ସେ ଏହାର ଶୁଭେଚ୍ଛୁ ଏବଂ ପୃଷ୍ଠପୋଷକ ଥିିଲେ।

୧୯୩୨ରେ ଜଗତସିଂହପୁର ଜିଲ୍ଲା କୋଲର ଗ୍ରାମରେ ଜନ୍ମିତ ନିତ୍ୟାନନ୍ଦ ଛାତ୍ର ଜୀବନରୁ ସମାଜସେବାରେ ଜଡିତ ଥିଲେ। ଅଶୀ ଦଶକରେ ସେ ସକ୍ରିୟ ରାଜନୀତିକୁ ଆସି ୧୯୮୫ରେ ତିର୍ତ୍ତୋଲ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଜଗତସିଂହପୁର ଲୋକସଭା ଆସନରୁ ମଧ୍ୟ ଏକାଧିକ ବାର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ତିର୍ତ୍ତୋଲର ଆଦିକବି ସାରଳା ଦାସ କଲେଜର ସଭାପତି ଥିଲେ। ସଲ୍‌ଟ ବୋର୍ଡ, ନ୍ୟାସନାଲ ସେନ୍ସର ବୋର୍ଡର ସଦସ୍ୟ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ସେ ରାଣୀତୋଳାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ସାତ ସାହି କଟକ ନୃତ୍ୟୋତ୍ସବରେ ତାଙ୍କୁ ଓଡ଼ିଶା ସଂସ୍କୃତି ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ବିୟୋଗରେ ରାଜା ବଗିଚା ଅଞ୍ଚଳର ସମସ୍ତ ଦୋକାନବଜାର ବନ୍ଦ ରଖିବାକୁ ଘୋଷଣା କରାଯାଇଛି।

ନିତ୍ୟାନନ୍ଦଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ, ତଥାଗତ ଶତପଥୀ, ଅନୁଭବ ମହାନ୍ତି, ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରକାଶ ବେହେରା, ରାଜଶ୍ରୀ ମଲ୍ଲିକ, ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ଦାମୋଦର ରାଉତ, ମେୟର ମିନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ ବାରିକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ଆଶୀର୍ବାଦ ବେହେରା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପ୍ରଦ୍ୟୁମ୍ନ ଲେଙ୍କାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର