ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଜାମିନ

କଟକ : ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ୨୦୧୫ର ଏକ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରି ଶ୍ରୀ ଜେନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

୨୦୧୫ ନଭେମ୍ବର ୨୭ରେ ଏକ ବାଲିଘାଟରୁ ଶବ ଉଦ୍ଧାର ହୋଇଥିଲା। ଏ ନେଇ ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ଆଇପିସିର ଦଫା ୩୦୨, ୩୪ ଓ ଆର୍ମସ୍‌ ଆକ୍ଟର ଧାରା ୨୫ ଓ ୨୭ରେ ମାମଲା ରୁଜୁ କରିଥିବା ବେଳେ ଏଥିରେ ଶ୍ରୀ ଜେନାଙ୍କ ସଂପୃକ୍ତି ରହିଛି ବୋଲି ପୁଲିସ ଦର୍ଶାଇଥିଲା। ଆସ୍କା ଅତିରିକ୍ତ ଦୌରାଜଜ୍‌ ଅଦାଲତରେ ଶ୍ରୀ ଜେନାଙ୍କ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ଶୁଣାଣି କରି ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହିମାଂଶୁ ଶେଖର ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର