ପ୍ରଶାସନର ହସ୍ତକ୍ଷେପ : ମଶାଣିରୁ ଆସିଲେ ହସ୍ପିଟାଲ୍‌

ରୋଗୀଙ୍କ ଅଧିଆ ପ୍ରସଙ୍ଗ

ପୁରୀ/ବ୍ରହ୍ମଗିରି : ଚିକିତ୍ସା ସେବା ଅପହଞ୍ଚ ହେବା ପରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଶାଣିରେ ପଡ଼ିଥିବା ବ୍ରହ୍ମଗିରି ବ୍ଲକ ବିଜିପୁରୀ ଗ୍ରାମର ପ୍ରଭାତ ବରାଳଙ୍କ ନିକଟରେ ଆଜି ଜିଲ୍ଲା ପ୍ରଶାସନ ପହଞ୍ଚିଛି। ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମଗିରି ତହସିଲଦାର ନିତ୍ୟରଞ୍ଜନ ସେନଙ୍କ ସମେତ ରେବଣା ନୂଆଗାଁ ମେଡ଼ିକାଲ ଅଫିସର ମଶାଣିରେ ପହଞ୍ଚି ପ୍ରଭାତଙ୍କୁ ଉଦ୍ଧାର କରିଛନ୍ତି। ସେଠାରୁ ଆମ୍ବୁଲାନ୍‍ସ୍‍ ଯୋଗେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏଠାରେ ଏହି ରୋଗ ପାଇଁ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ଯୋଜନା ହୋଇଛି। ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସିଡିଏମ୍‍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୫ ହଜାର ଟଙ୍କାପ୍ରଦାନ କରାଯାଇଛି। ସେହିଭଳି ରାଜ୍ୟ ଚିକିତ୍ସା ନିଧି ପାଣ୍ଠିରୁ ସମସ୍ତ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଗୋଟିଏ ଦିନରେ ତାଙ୍କୁ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ତହସିଲଦାର ନିତ୍ୟରଞ୍ଜନ ସେନ କହିଛନ୍ତି। ସନ୍ଧ୍ୟାସୁଦ୍ଧା ସମସ୍ତ ଜରୁରୀ କାଗଜପତ୍ର ପ୍ରସ୍ତୁତ କରାଯାଇଥିବା ବେଳେ ଆସନ୍ତାକାଲି ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ଏଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭେଷଜ ବିଭାଗ ୫୦ ନମ୍ବର ବେଡ଼୍‍ରେ ରଖାଯାଇଛି।

ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆମ୍ବୁଲାନ୍‍ସ୍‍ ସହ ଅଧିକାରୀମାନେ ପହଞ୍ଚିଥିଲେ। ଗାଁ ମୁଣ୍ଡ ମଶାଣିରୁ ତାଙ୍କୁ ଉଦ୍ଧାର କରାଯିବା ସହ ମେଡ଼ିକାଲ ପଠାଯାଇଥିଲା। ଅନ୍ୟପଟେ ଏହି ଖବର ପଢ଼ି କଟକ ବଡ଼ ଡାକ୍ତରଖାନାରେ ପୁରୀ ହେଲ୍‍ପ ଡେସ୍କ ଦାୟିତ୍ଵରେ ଥିବା ଅଭିମନ୍ୟୁ ଦାସ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ। ପ୍ରଭାତଙ୍କୁ ସେଠାକୁ ପଠାଯିବା ପୂର୍ବରୁ ତାଙ୍କୁ ଅବଗତ କରାଯିବ ଏବଂ ସେଠାରେ ପ୍ରଭାତ ଯେଭଳି ସମସ୍ୟାର ସମ୍ମୁଖୀନ ନ ହେବେ ସେ ନେଇ ସମସ୍ତ ସହଯୋଗ କରିବା ପାଇଁ ଅଭିମନ୍ୟୁ ପ୍ରତିଶ୍ରୁତି ଦେଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ବାପା ଭଲ ହୋଇ ଫେରି ଆସିବା ପାଇଁ କନ୍ୟା ବିଷ୍ଣୁପ୍ରିୟା କାମନା କରିଥିବା ବେଳେ ପତ୍ନୀ ପ୍ରବାସିନୀ ସ୍ୱାମୀଙ୍କ ସୁସ୍ଥତା ନେଇ ବ୍ରତ ରଖିଛନ୍ତି। ବ୍ରହ୍ମଗିରି ବିଜିପୁର ଗ୍ରାମର ପ୍ରଭାତ ବରାଳ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରିବାରୁ ମେଡ଼ିକାଲ ଯାଇଥିଲେ। ପାଖାପାଖି ୨ ବର୍ଷ ବିତିଥିଲେ ମଧ୍ୟ ରୋଗ ଧରାପଡ଼ିନଥିଲା। ଶେଷରେ ଗତ ଅଗଷ୍ଟରେ ଏହା ବୋନ୍‍ କ୍ୟାନସର ବୋଲି ଜଣାପଡ଼ିଥିଲା। ଲକ୍ଷାଧିକ ଖର୍ଚ୍ଚ ହେବା ସହ ରୋଗୀ ମରିବ କିମ୍ବା ବଞ୍ଚିବ ତାହା କହିହେବ ନାହିଁ ବୋଲି ଡାକ୍ତର କହିଥିଲେ। ଏଣୁ ସେ ମେଡ଼ିକାଲ ଉପରୁ ଭରସା ତୁଟାଇ ପାଖ ଗାଁ ବେଗୁନିଆଁରେ ଥିବା ମା’ ମଙ୍ଗଳାଙ୍କ ପାଖରେ ଗୁହାରିଆ ପଡ଼ିଥିଲେ। ସେବେଠାରୁ ସେ ଗାଁ ମୁଣ୍ଡ ମଶାଣିରେ ପଲା ମାରି ରହୁଥିଲେ।

ସମ୍ବନ୍ଧିତ ଖବର