ବାର୍‌-ବେଞ୍ଚ୍‌ ମିଳିତ ଭାବେ କାର୍ଯ୍ୟ କରନ୍ତୁ: ପ୍ରଧାନ ବିଚାରପତି

ରାଜ୍ୟ ଆଇନ ସେବା ପ୍ରାଧିକରଣ ଗୃହ ଶିଳାନ୍ୟାସ

କଟକ-ସିଡିଏ : ବାର ଓ ବେଞ୍ଚ୍‌ ମିଳିମିଶି କାମ କଲେ, ସମାଜରେ ଶାନ୍ତିରେ ସହବସ୍ଥାନ ସମ୍ଭବ ହୋଇପାରିବ। ଛୋଟଛୋଟ ଅଯଥା ବିବାଦ ସଂପର୍କିତ ମାମଲାରୁ ସମସ୍ତେ ଦୂରେଇ ରହି ପାରିବେ। ବିଶେଷ କରି ପାରିବାରିକ ବିବାଦ ସଂପର୍କିତ ଛୋଟ ଛୋଟ ମାମଲା ହ୍ରାସ ପାଇଁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି। ମର୍କତ ନଗର ସେକ୍ଟର-୧ ସ୍ଥିତ ୨ ଏକର ଜମି ଉପରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ସ୍ଥାୟୀ ଗୃହ ନିର୍ମାଣ ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଶିଳାନ୍ୟାସ କରିବା ସହିତ ଆଇନଜୀବୀମାନେ ‘ନ୍ୟାୟ ସଂଯୋଗ’ ଜରିଆରେ ଛୋଟଛୋଟ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ନ୍ୟାୟ ପ୍ରକ୍ରିୟା ନିକଟରେ ସହଜରେ ପହଞ୍ଚିବା ଅଧିକାର ସାମ୍ବିଧାନିକ ଧର୍ମତତ୍ତ୍ୱର ଅଂଶ। ଆଇନ ସହାୟତା ଓ ସଚେତନତା କ୍ଷେତ୍ରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌.ଜାଭେରୀ, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ବାଳକୃଷ୍ଣ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଇନ ସହାୟତା ଲୋଡୁଥିବା ବ୍ୟକ୍ତି ବିଶେଷଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଜାତୀୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶରେ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ‘ନ୍ୟାୟ ସଂଯୋଗ’ କାର୍ଯ୍ୟକ୍ରମ ୨୦୧୭ରେ ଆରମ୍ଭ ହୋଇଥିବା ବେଳେ ଆଜି ୩୦ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲିଗାଲ ଆସିଷ୍ଟାଣ୍ଟ ଏଷ୍ଟାବ୍ଲିସମେଣ୍ଟର ଆଜି ଇ-ଉଦ୍‌ଘାଟନ କରାଯାଇଥିଲା। ଏଥି ସହିତ ରାଜ୍ୟରେ ପ୍ରାୟ ୭୪୬ ହାଇସ୍କୁଲରେ ଆଇନ ସାକ୍ଷରତା କ୍ଲବ ଚାଲୁଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୧୫୦ ହାଇସ୍କୁଲରେ କମ୍ପ୍ୟୁଟରୀକରଣ ବ୍ୟବସ୍ଥାର ମଧ୍ୟ ଇ-ଉଦ୍‌ଘାଟନ କରାଯାଇଛି।

ଏହି ଅବସରରେ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଝାଡଖଣ୍ଡ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଦୀପ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରାଧିକରଣର ଉପସଚିବ ଦୀପକ ରଂଜନ ସାହୁ, ସହକାରୀ ସଚିବ ନିହାର ରଂଜନ ଲେଙ୍କା, ସଂସ୍ଥା ଅଧିକାରୀ କମଳାକାନ୍ତ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର