ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟର ଶିଳାନ୍ୟାସ : ୫ ହଜାର ବର୍ଷର ଆୟୁର୍ବେଦ ଆଜି ବି ଆଦୃତ – ମୁଖ୍ୟମନ୍ତ୍ରୀ
କଟକ : ଆୟୁର୍ବେଦ ମଣିଷର ମନ ପ୍ରାଣ ଓ ଶରୀରକୁ ସୁସ୍ଥ ରଖେ। ଏହା ଆଧୁନିକ ଚିକିତ୍ସା ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ ଅଟେ। ଆୟୁର୍ବେଦ ବିଜ୍ଞାନ ୫ ହଜାର ବର୍ଷର ପୁରୁଣା ହେଲେ ବି ଆଜିର ସମୟରେ ବିଶେଷ ଭାବରେ ଆଦୃତ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆୟୁର୍ବେଦର ଗୁରୁତ୍ବ ଉପରେ ବକ୍ତବ୍ୟ ରଖିବା ସହ ବିଶ୍ୱବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ଆଜୀବନ ସଭାପତି ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଚିକିତ୍ସାଳୟର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଭର୍ତ୍ତୃହରି ମହତାବ, ଯୋଗ ଗୁରୁ ପଦ୍ମଶ୍ରୀ ଭାରତ ଭୂଷଣ, ବେଲଜିୟମର ସର୍ବାଧିକ କାଳ ସାଂସଦ ରହିଥିବା ଆଜୀବନ ରାଜ୍ୟପାହ୍ୟା ମନ୍ତ୍ରୀ ଡକ୍ଟର ହର୍ମାନ ଡିକ୍ରୁ, ଗୁଜରାଟର ଅୱଧ ଏବଂ ଗୋପିନ ଗ୍ରୁପର ପ୍ରତିଷ୍ଠାତା ଲାଭଜିଭାଇ ବାଦଶାହ, ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ସଭାପତି ରଜିତା କୁଲକର୍ଣ୍ଣି, ବିଶ୍ବବିଦ୍ୟାଳୟର କୁଳପତି ଅଜୟ କୁମାର ସିଂ ପ୍ରମୁଖ ଯୋଗ ଦେଇ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନର ୨୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟକୁ ୨୦୨୦ ମସିହା ସୁଦ୍ଧା ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ପରିଣତ କରିବାର ଲକ୍ଷ୍ୟ ରହିଛି। ଏହା ସହିତ ଭବିଷ୍ୟତରେ ୧୦୦ ସିଟ୍ ବିଶିଷ୍ଟ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଦିଆଯିବା ଏବଂ ଏକ ଭେଷଜ ଓ ନର୍ସିଂ ବିଦ୍ୟାଳୟ ସ୍ଥାପନର ମଧ୍ୟ ଯୋଜନା ରହିଛି।
ଏହି ଅବସରରେ ଆୟୋଜିତ ଏକକୃତ ସ୍ୱାସ୍ଥ୍ୟ ସମ୍ମିଳନୀରେ ଅନେକ ବିଶେଷଜ୍ଞ ଯୋଗ ଦେଇଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ପୂଜ୍ୟ ଗୁରୁଜୀ ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ ଯେ ଏହି ବିଶ୍ବବିଦ୍ୟାଳୟ ଜ୍ଞାନର ପୀଠ ହୋଇଥିବା ବେଳେ ସାରା ବିଶ୍ବକୁ ଜ୍ଞାନ ଓ ଆନନ୍ଦର ଆଲୋକ ବିତରଣ କରିବ। ଗୋଟିଏ ବିଶ୍ବ ଗୋଟିଏ ପରିବାର ନୀତିରେ ପ୍ରତିଷ୍ଠିତ ଏହି ବିଶ୍ବବିଦ୍ୟାଳୟ ବିଶ୍ବର ପ୍ରତ୍ୟେକ ଦେଶର ନାଗରିକଙ୍କ ପାଇଁ ଉପଲବଧ ହେବ। ଏହି ବିଶ୍ବବିଦ୍ୟାଳୟର ବିକାଶରେ ସହଯୋଗ ପାଇଁ ରାଜ୍ୟ ସରକାରଙ୍କୁ ଗୁରୁଜୀ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଭର୍ତ୍ତୃହରି ମହତାବ, ଯୋଗ ଗୁରୁ ପଦ୍ମଶ୍ରୀ ଭାରତ ଭୂଷଣ, ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ରମେଶ ଭଟ୍ଟ ଏବଂ ଡକ୍ଟର ଏନ. ସି. ଦାସ, ଭେଷଜ ବିଶେଷଜ୍ଞ ଡକ୍ଟର ଭି. ଏସ. ରାମଚନ୍ଦ୍ରନ, ଡକ୍ଟର ଗିରିଧର ଜ୍ଞାନୀ, ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ବି. ଆର. ଶର୍ମା, ଜୁଆନ ଗୁଇଲନ ପ୍ରମୁଖ। ଏହି ଅବସରରେ ବିଶ୍ବର ସ୍ବାସ୍ଥ୍ୟ ସେବା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶିଳାନ୍ୟାସ ଉତ୍ସବରେ ବିଶ୍ବବିଦ୍ୟାଳୟର ୩ ହଜାର କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ।