ପଶ୍ଚିମ ଓଡ଼ିଶାରୁ ଅନ୍ତଃରାଜ୍ୟ ଯୁବତୀ ଚାଲାଣ ର‍୍ୟାକେଟ ଘଟଣାରେ ନୂଆ ମୋଡ : ବସ୍‌ଷ୍ଟାଣ୍ଡରୁ ଅପହରଣ ପ‌ରେ ରାଜସ୍ଥାନରେ ବିକ୍ରି କରିଥିଲେ, ଜଣେ ମହିଳା ଓ କ୍ରେତାଙ୍କ ସମେତ ୪ ଗିରଫ

୨୦ ଦିନ ଧରି ବନ୍ଦ କୋଠାରି‌ରେ ବନ୍ଦୀ କରି ରଖିଥିଲେ

ସମ୍ବଲପୁର : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ବରବାନି ଗ୍ରାମର ଜଣେ ମହିଳାଙ୍କୁ ରାଜସ୍ଥାନରେ ବିକ୍ରି କରିଦେବା ଘଟଣା ସମ୍ପର୍କରେ ଗୁରୁବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହି ଘଟଣାରେ ପୁଲିସ୍‌ ପ୍ରେସ୍‌ ବିବୃତି ମାଧ୍ୟମରେ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି। ଅଇଁଠାପାଲି ପୁଲିସ୍‌ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରିବା ପରେ ଏହି ଘଟଣାର ଆଉ ଏକ ଦିଗ ଏବେ ସାମ୍ନାକୁ ଆସିଛି। ବିବାହ ପ୍ରଲୋଭନ ଦେଇ ନୁହେଁ ବରଂ ସିଧାସଳଖ ଅପହରଣ କରି ମହିଳାଙ୍କୁ ଅଭିଯୁକ୍ତମାନେ ନେଇ ରାଜସ୍ଥାନରେ ବିକ୍ରି କରିଦେଇଥିଲେ ବୋଲି ପୁଲିସ୍‌ ସୂଚନା ପ୍ରଦାନ କରିଛି। କେବଳ ସେତିକି ନୁହେଁ ବରଂ ଉକ୍ତ ମହିଳାଙ୍କୁ ସେମାନେ ୨୦ ଦିନ ଧରି ଏକ ବନ୍ଦ କୋଠାରୀରେ ବନ୍ଦୀ କରି ରଖିଥିଲେ। ଏହି ଘଟଣାରେ ପୁଲିସ୍‌ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଘସିଆପଡ଼ାର ଦିଲ୍ଲୀପ ଓରଫ ଭାଲୁ ନାଏକ(୪୯), ‌ବୌଦ୍ଧ ଜିଲ୍ଲା ଟାଉନ୍‌ ଥାନା ବାପୁଜୀନଗରରେ ରହୁଥିବା ରାଜସ୍ଥାନ କୋଟାର ରାମ ଦୟାଲ ଦିଗଲ(୩୬), ସନ୍ତୋଷିନୀ ଜେନା(୨୬) ଓ କ୍ରେତା ରାଜସ୍ଥାନ ଚିତ୍ତୋରଗଡ଼ ଜିଲ୍ଲା ରାୱତଭଟ୍ଟା ଥାନା ଚାରଭୁଜା ଅଞ୍ଚଳର ପପୁଲାଲ ଚୌଧୁରୀ(୩୫)କୁ ପୁଲିସ୍‌ ଗିରଫ କରି କୋର୍ଟ ଚା‌ଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ପୁଲିସ୍‌ ଖୋଜୁଛି। ଅଭିଯୁକ୍ତ ସନ୍ତୋଷିନୀ ଓ ତା ସ୍ୱାମୀ ରାମ ଦୟାଲ ପଶ୍ଚିମ ଓଡ଼ିଶାର ପ୍ରାୟ ଜିଲ୍ଲାରୁ ଯୁବତୀ ଓ ମହିଳାଙ୍କୁ ପ୍ରଲୋଭନ ଦେଇ ନଚେତ୍‌ ଅପହରଣ କରି ରାଜସ୍ଥାନ, ହରିୟାଣାରେ ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି। ତେବେ ଏହି ଅଭିଯୁକ୍ତଙ୍କ ନିକଟରୁ ସଂଗ୍ରହ ହୋଇଥିବା ତଥ୍ୟ ଅନୁସାରେ ପୁଲିସ୍‌ ଚଢ଼ଉ କରି ପଶ୍ଚିମ ଓଡ଼ିଶାରେ ସକ୍ରିୟ ଥିବା ଯୁବତୀ ଚାଲାଣ ର‍୍ୟାକେଟକୁ ମୂଳପୋଛ କରିବାର ଲକ୍ଷ୍ୟ ରଖିଥିବା ଥାନା ଅଧିକାରୀ ଯୋଗେଶ୍ୱର ପଣ୍ଡା ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁସାରେ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ବାରବନିର ଉକ୍ତ ମହିଳାଙ୍କ ସହ ଦଲାଲ ସନ୍ତୋଷିନୀ ପୂର୍ବରୁ ପରିଚିତ ଥିଲା। ମହିଳାଙ୍କ ସ୍ୱାମୀ ଜଣେ ଡ୍ରାଇଭର ହୋଇଥିବାରୁ ସେ ସବୁବେଳେ ବାହାରେ ରହୁଥିଲେ। ଗତ ୧୯ ତାରିଖରେ ମହିଳା ଜଣଙ୍କ ଘରୁ ବାହାରି ବସ୍‌ ଯୋଗେ ଗୋଶାଳାସ୍ଥିତ ତାଙ୍କ ବାପ ଘରକୁ ଆସୁଥିଲେ। ଅଇଁଠାପାଲି ବସ୍‌ଷ୍ଟାଣ୍ଡରେ ସେ ପହଞ୍ଚି ତାଙ୍କ ଭାଇକୁ ଫୋନ୍‌ କରି ଡାକିବା ସହ ସ୍ୱାମୀଙ୍କୁ ମଧ୍ୟ ଫୋନ୍‌ ଯୋଗେ ଏସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ କିଛି ସମୟ ପରଠାରୁ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। କିନ୍ତୁ ଏହା ପରଠାରୁ ଆଉ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ତେବେ ୩ ତାରିଖରେ ମହିଳାଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଫୋନ୍‌ କରି ତାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ବୌଦ୍ଧରୁ ତାଙ୍କ ପଛେ ପଛେ ଆସିଥିବା ସନ୍ତୋଷିନୀ ସମେତ ୬ ଜଣ ତାଙ୍କ ମୁହଁରେ ରୁମାଲ ଦେଇ ଅପହରଣ କରିବା ପରେ ଏକ କାର୍‌ ଯୋଗେ ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନକୁ ନେଇଯାଇଥିଲେ। ସେଠାରୁ ଟ୍ରେନ୍‌ ଯୋଗେ ତାଙ୍କୁ ରାଜସ୍ଥାନରେ ବିକ୍ରି କରିଦିଆଯାଇଥିବା ଓ ସେ ବିବାହିତ ବୋଲି ଜାଣିବା ପ‌ରେ ଚିତ୍ତୋରଗଡ଼ ଜିଲ୍ଲା ରାୱତଭଟ୍ଟା ଥାନା ଚାରଭୁଜାର ଗ୍ରାହକ ପପୁ ତାଙ୍କୁ ଏକ ବନ୍ଦ ‌କୋଠାରୀରେ ବନ୍ଦୀ କରି ରଖିଦେଇଥିବା କହିଥି‌ଲେ। ଏହାପରେ ସ୍ୱାମୀ ସମୀର କୁମ୍ଭାର ୫ ତାରିଖରେ ଅଇଁଠାପାଲି ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲେ। ଅଇଁଠାପାଲି ପୁଲିସ୍‌ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସମୟରେ ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରୁ ଏହି ର‍୍ୟାକେଟର ଚେର ଲମ୍ବିଥିବା ଜାଣିବାକୁ ପାଇଥିଲା। ଥାନାର ଏସ୍‌ଆଇ ଜ୍ୟୋତିର୍ମୟୀ ସେଠୀଙ୍କ ନେତୃତ୍ବରେ ୫ ଜଣିଆ ଟିମ୍‌ ରାଜସ୍ଥାନ ଯାଇ ତାଙ୍କୁ ଉଦ୍ଧାର କରିବା ପରେ ଗୁରୁବାର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ବୟାନ୍‌ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର