କୋରାପୁଟ: ମେଡିକାଲ କଲେଜର ୪ ଡାକ୍ତରଙ୍କ ଇସ୍ତଫା, ରୋଗୀ ସେବା ବାଧାପ୍ରାପ୍ତ, ଭଗବାନଙ୍କ ଭରସାରେ ୮୯ ଜଣ ରୋଗୀ

କୋରାପୁଟ: ଡ୍ୟୁଟି କରୁଥିବା ସତ୍ତ୍ୱେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ଦରମାକୁ ବନ୍ଦ କରି ଦେଇଛନ୍ତି। ଏହାର ପ୍ରତିବାଦରେ ଆଜି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ୪ ଜଣ ଭେଷଜ ବିଭାଗର ଡାକ୍ତର ତାଙ୍କ ପଦବିରୁ ଇସ୍ତଫା ଦେଇ ଘରେ ରହି ଯାଇଛନ୍ତି। ହଠାତ ୪ ଜଣ ଡାକ୍ତରଙ୍କ ଇସ୍ତଫା ଫଳରେ ଡାକ୍ତରଖାନାର ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ମେଡିସିନ୍‌ ଓ୍ଵାର୍ଡରେ ବର୍ତ୍ତମାନ ୮୯ ଜଣ ରୋଗୀ ଥିବା ବେଳେ ଜଣେ ହେଲେ କେହି ଡାକ୍ତର ନ ଥିବାରୁ ଭଗବାନଙ୍କ ଭରସାରେ ରୋଗୀମାନେ ସେଠାରେ ପଡ଼ିଥିବା ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ଭେଷଜ ବିଭାଗରେ ସିନିୟର ରେସିଡେନ୍ସ ଭାବେ ଡା.ଶଶିଭୂଷଣ ସୂତାର, ଡା.ଗୁରୁପଦ ଦାଶ, ଡା.ମନୋଜ କୁମାର କିଷାନ ଓ ଡାକ୍ତର ସ୍ୱପ୍ନ ସରିତ ସାହୁ କାର୍ଯ୍ୟ କରନ୍ତି। ସେମାନେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ଭେଷଜ ବିଭାଗ ରୋଗୀ ସେବା ଦାୟିତ୍ୱରେ ରହିଥାନ୍ତି। ତେବେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ବାୟୋମେଟ୍ରିକ ମେସିନ କଲେଜ ପଟରେ ଲାଗିଥିବାରୁ ଏହି ୪ ଜଣ ଡାକ୍ତରଙ୍କ ଉପସ୍ଥାନ ଦର୍ଜ ହୋଇ ନ ଥିବାରୁ କଲେଜର ଅଧ୍ୟକ୍ଷ ଏହି ୪ ଜଣ ସିନିୟର ରେସିଡେନ୍ସଙ୍କ ଦରମାକୁ ବନ୍ଦ କରି ଦେଇଛନ୍ତି। ଦରମା ବନ୍ଦ ହୋଇଥିିବା ସୂଚନା ପାଇ ଡାକ୍ତର ୪ ଜଣ ଆଜି ସେମାନଙ୍କ ଇସ୍ତଫା ପତ୍ର କଲେଜ ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଡାକ୍ତରଖାନାର ଭେଷଜ ବିଭାଗକୁଏହି ୪ ଜଣ ଡାକ୍ତର ମୂଳତଃ ସମ୍ଭାଳୁ ଥିବା ବେଳେ ସେମାନଙ୍କ ଇସ୍ତଫା ଯୋଗୁଁ ମେଡିକାଲରେ ରୋଗୀସେବାରେ ଅଚଳାବସ୍ଥା ଦେଖାଦେଇଛି।

 

ସମ୍ବନ୍ଧିତ ଖବର