ମୁଣ୍ଡ ନୁଅାଁଇଲେ ମେଡିକାଲ କଲେଜ କର୍ତ୍ତୃପକ୍ଷ : କାର୍ଯ୍ୟରେ ଯୋଗଦେଲେ ୪ ଡାକ୍ତର

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ (ଏସ୍‌ଏଲ୍‌ଏନ୍‌) ମେଡିକାଲ କଲେଜ କର୍ତ୍ତୃପକ୍ଷ ଗତକାଲି ଇସ୍ତଫା ଦେଇଥିବା ଡାକ୍ତରଙ୍କ ନିକଟରେ ଏକପ୍ରକାର ମୁଣ୍ଡ ନୁଅାଁଇବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କୁ ବୁଝାଇଶୁଝାଇ ଇସ୍ତଫା ପତ୍ର ପ୍ରତ୍ୟାହାର ପାଇଁ ଅନୁରୋଧ କରିବା ପରେ ଆଜି ୪ ଜଶ ଡାକ୍ତର କାର୍ଯ୍ୟରେ ଯୋଗଦେଇଛନ୍ତି।

ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜର ଭେଷଜ ବିଭାଗରେ କାର୍ଯ୍ୟ କରୁଥିବା ସିନିୟର ରେସିଡେଣ୍ଟ ଡାକ୍ତର ଗୁରୁପଦ ଦାଶ, ମନୋଜ କୁମାର କିସାନ, ଶଶୀଭୂଷଣ ସୂତାର ଓ ସ୍ବପ୍ନ ସରିତ ସାହୁ ସେମାନଙ୍କ ପଦରୁ ଗତକାଲି ଇସ୍ତଫା ଦେଇଥିଲେ। ସେମାନେ ବିଭାଗୀୟ ମୁଖ୍ୟଙ୍କ ଜରିଆରେ କଲେଜ ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦେଇ ହଠାତ୍‌ ଚାଲି ଯାଇଥିଲେ। ଏପରିକି ଏଥିନେଇ ହସ୍‌ପିଟାଲ ଅଧ୍ୟକ୍ଷକଙ୍କ ପାଖରେ ଖବର ନ ଥିଲା। ତେବେ, ୪ ଡାକ୍ତରଙ୍କ ଇସ୍ତଫା ଫଳରେ ଭେଷଜ ବିଭାଗରେ ୮୯ଜଣ ରୋଗୀ ଚିକିତ୍ସିତ ହେଉଥିଲାବେଳେ ସେମାନେ ଚିକିତ୍ସା ସେବା ପାଇ ନ ଥିଲେ। ଦିନତମାମ ଔଷଧ ଟିକିଏ ପାଇ ନ ଥିଲେ ରୋଗୀ। ପୁଣି ଇସ୍ତଫା ପତ୍ର ପଠାଇ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ମନଇଛା ବର୍ଷିଥିଲେ ଡାକ୍ତର।

କିନ୍ତୁ ଡାକ୍ତରଙ୍କ ଏହି ଧମକ ଆଗରେ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ କର୍ତ୍ତୃପକ୍ଷ ନଇଁଗଲେ। ଆଜି ବୁଝାସୁଝା କରି ଇସ୍ତଫା ପତ୍ର ଫେରାଇ ନେବାକୁ ଅନୁରୋଧ କଲେ। ଡାକ୍ତରଙ୍କ ସବୁ ଦାବି ପୂରଣ ପାଇଁ ବି ପ୍ରତିଶ୍ରୁତି ଦେଲେ। ଶେଷରେ, ଏହି ୪ ଡାକ୍ତର ଆଜି ଇସ୍ତଫାପତ୍ର ପ୍ରତ୍ୟାହାର କରିବା ସହିତ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡ଼ିଛି।

ତେବେ, ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ କହିଛନ୍ତି ଯେ, ‘ ଯେଉଁ ଡାକ୍ତର ଦଣ୍ଡିତ ହେବା କଥା ସେମାନଙ୍କ ଆଗରେ ଖୋଦ୍‌ କଲେଜ ଅଧ୍ୟକ୍ଷ ନରମ ମନୋଭାବ ପୋଷଣ କରିବା ଏକ ନକାରାତ୍ମକ ବାର୍ତ୍ତା ଦେଇଛି।’

ଅନ୍ୟପକ୍ଷରେ, ନାମ ଗୋପନ ରଖି ବହୁ ଡାକ୍ତର ଓ କର୍ମଚାରୀ ସିଧାସଳଖ କର୍ତ୍ତୃପକ୍ଷଙ୍କ ପାରିବାପଣିଆ ଉପରେ ପ୍ରଶ୍ନ କରିଛନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିଲାବେଳେ କର୍ତ୍ତୃପକ୍ଷଙ୍କୁ ଅଠାକାଠିରେ ପକାଇଥିବା ଏହି ୪ ଡାକ୍ତରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ପଚାରିଛନ୍ତି। ଏହା ଆଗକୁ କଲେଜରେ ଭୟଙ୍କର ପ୍ରଶାସନିକ ବିଶୃଙ୍ଖଳା ସୃଷ୍ଟି କରିବ ବୋଲି ସେମାନେ ଚେତାଇ ଦେଇଛନ୍ତି।

ତେବେ ଏଥିନେଇ କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର