କୋରାପୁଟ ମେଡିକାଲ କଲେଜରୁ ୪ ଡାକ୍ତରଙ୍କ ଇସ୍ତଫା

ଭେଷଜ ଅନ୍ତଃବିଭାଗରେ ଅଚଳାବସ୍ଥା

କୋରାପୁଟ : କୋ‌ରାପୁଟ ଏସଏଲଏନ ମେଡିକାଲ କଲେଜର ଭେଷଜ ବିଭାଗରେ କାର୍ଯ୍ୟରତ ୪ଜଣ ସିନିଅର ରେସିଡେଣ୍ଟ ଇସ୍ତଫା ଦେଇଛି। ଫଳରେ, ଭେଷଜ ବିଭାଗରେ ଚିକିତ୍ସା ଏକପ୍ରକାର ବନ୍ଦ ହୋଇଯାଇଛି। ଅନ୍ତଃବିଭାଗରେ ୮୯ ଜଣ ରୋଗୀ ରହିଥିଲାବେଳେ ସେମାନଙ୍କୁ ଦେଖାଶୁଣା କରିବାକୁ କେହି ନାହାନ୍ତି।

ଇସ୍ତଫା ଦେଇଥିବା ଡାକ୍ତରମାନେ ହେଲେ, ଭେଷଜ ବିଭାଗରେ କାର୍ଯ୍ୟ କରୁଥିବା ସିନିୟର ରେସିଡେଣ୍ଟ ଗୁରୁପଦ ଦାଶ, ମନୋଜ କୁମାର କିସାନ, ଶଶୀଭୂଷଣ ସୁତାର ଓ ସ୍ବପ୍ନ ସରିତ ସାହୁ। ବିଭାଗୀୟ ମୁଖ୍ୟଙ୍କ ଜରିଆରେ ସେମାନେ କଲେଜ ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ଦେଇଥିବା କହିଛନ୍ତି। ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ସେମାନେ ଏହିଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ୪ ଜଣ ଡାକ୍ତର ଇସ୍ତଫା ଦେଇ ଚାଲି ଯାଇଥିଲା ବେଳେ ଏ ସଂପର୍କରେ ଖବର ନ ଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ବାଳ। ସେ କହିଛନ୍ତି ଯେ, ତାଙ୍କ ପାଖରେ ଇସ୍ତଫା ପତ୍ର ପହଞ୍ଚିନି। ଇସ୍ତଫା ପତ୍ର ପାଇବା ପରେ ସେ ଏହାର ଅନୁଧ୍ୟାନ କରିବେ। ଦରମା ବନ୍ଦ କାରଣରୁ ସେମାନେ ଇସ୍ତଫା ଦେଇଥାଇପାରନ୍ତି ବୋଲି ଶ୍ରୀ ବିଶ୍ବାଳ ସ୍ବୀକାର କରିଛନ୍ତି।

ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ସେ କହିଛନ୍ତି ଯେ, କିଛି ଡାକ୍ତର ଠିକ ଭାବେ ଡାକ୍ତରଖାନାକୁ ଆସୁନାହାନ୍ତି। କଲେଜରେ ଲାଗିଥିବା ବାୟୋମେଟ୍ରିକ ଫିଙ୍ଗର ପ୍ରିଣ୍ଟ ମେସିନ ରିପୋର୍ଟ ଅନୁଯାୟୀ, ୯ଜଣ ଡାକ୍ତରଙ୍କ ଉପସ୍ଥିତି ଆଦୌ ସନ୍ତୋଷଜନକ ନୁହେଁ। ଏଥିରେ ୩ ଜଣ ପ୍ରଫେସର, ୨ ଜଣ ଆସୋସିଏଟ ପ୍ରଫେସର, ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ୩ ଜଣ ସିନୟର ରେସିଡେଣ୍ଟ ଅଛନ୍ତି। ସେମାନଙ୍କ ଉପସ୍ଥାନ କମ୍ ଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉତ୍ତର ସନ୍ତୋଷ ଜନକ ନ ହେଲେ ଦରମା ବନ୍ଦ କରାଯିବ ବୋଲି କୁହାଯାଇଛି। ଭେଷଜ ବିଭାଗର ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଦରମା ବନ୍ଦ କରି ଦେଇଥିବାରୁ ସେମାନେ ସାମୂହିକ ଇସ୍ତଫା ଦେଇଥିବା ଜଣାପଡିଛି।

ଅନ୍ୟପକ୍ଷରେ, ୪ ଡାକ୍ତରଙ୍କ ଇସ୍ତଫା ଫଳରେ ଭେଷଜ ଅନ୍ତଃବିଭାଗ ଡାକ୍ତର ଶୂନ୍ୟ ହୋଇଯାଇଛି। ଆଜି ପୂର୍ବାହ୍ନରେ ଭେଷଜ ବିଭାଗର ପୁରୁଷ ୱାର୍ଡରେ ୪୫ ଜଣ ଓ ମହିଳା ୱାର୍ଡରେ ୪୪ ଜଣ ରୋଗୀ ରହି ଚିକିତ୍ସିତ ହେଉଥିଲା ବେଳେ ଜଣେ ହେଲେ ବି ଡାକ୍ତର ନ ଥିଲେ। ଏପରିକି ଗୁରୁତର ରୋଗୀଙ୍କୁ ଦେଖିବା ପାଇଁ କେହି ନ ଥିଲେ।

ସମ୍ବନ୍ଧିତ ଖବର