ଗୋଟିଏ ଦିନରେ ୪ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ, ଆଇସିୟୁରେ ନିଶ୍ଚିନ୍ତକୋଇଲି ପୀଡ଼ିତା

କଟକ/କିଶନନଗର/ନିଶ୍ଚିନ୍ତକୋଇଲି/ ଖୁଣ୍ଟୁଣୀ : ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ପାଇଁ ଗତକାଲି କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ସେହି ରାତିରେ ହିଁ କଟକ ଜିଲ୍ଲାରେ ଘଟିଛି ଚାରୋଟି ଦୁଷ୍କର୍ମ ଘଟଣା। ନିଶ୍ଚିନ୍ତକୋଇଲି ଓ କିଶନନଗରରେ ଦୁଇ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ଖୁଣ୍ଟୁଣୀ ଓ କିଶନନଗରରେ ମଧ୍ୟ ଦୁଇ ଶିଶୁକନ୍ୟା ଯୌନ ନିର୍ଯାତନାର ଶିକାର ହୋଇଥିବାର ଅଭିଯୋଗ ହୋଇଛି। ତେବେ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଜଗନ୍ନାଥପୁର ସ୍କୁଲରୁ ଉଦ୍ଧାର ହୋଇଥିବା ଦୁଷ୍କର୍ମ ପୀଡିତା ଗୁରୁତର ଥିବାରୁ ତାଙ୍କୁ କଟକ ବଡମେଡିକାଲର ଆଇସିୟୁରେ ଭର୍ତି କରାଯାଇଛି। ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ୪ଟି ଲଜ୍ଜାଜନକ ଘଟଣାରେ ସାଲେପୁର, କିଶନନଗର ଓ ଖୁଣ୍ଟୁୂଣୀ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଅନ୍ୟପଟେ ନିଶ୍ଚିନ୍ତକୋଇଲିରେ ଶିଶୁକନ୍ୟା ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ରାସ୍ତାରୋକ ହୋଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ପ୍ରତାପ ଜେନା କଟକ ବଡମେଡିକାଲରେ ପହଞ୍ଚି ଆଇସିୟୁରେ ଥିବା ୬ବର୍ଷର ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଅନୁସାରେ, କିଶନନଗର ଥାନା ଯଶପଡା ପଞ୍ଚାୟତ କୋଶିଦା ଗ୍ରାମର ୮ବର୍ଷର ଛାତ୍ରୀକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଗତକାଲି ମଧ୍ୟାହ୍ନରେ ଶିଶୁ ଖେଳୁଥିବା ବେଳେ କନ୍ଦରପୁର ଥାନା ସିଦ୍ଧେଶ୍ୱରପୁର ଗ୍ରାମର ମୁନା ଓରଫ ହୃଷୀକେଶ ଜେନା(୨୪) ଶିଶୁକୁ ଉଠାଇନେଇ ସେଠାରେ ଦୁଷ୍କର୍ମ କରିଥିଲା। ମୁନା ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ପୁଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେହିପରି ଅନ୍ୟଏକ ଘଟଣାକ୍ରମରେ କିଶନନଗର ଥାନା ମାହାଳହାଟ ବିଟ୍‌ହାଉସ୍‌ ଅଧୀନ ମହମ୍ମଦପୁର ଗ୍ରାମର ୭ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟାକୁ ଯୋଗେନ୍ଦ୍ର ସାହୁ(୨୮) ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଯୋଗେନ୍ଦ୍ରକୁ ଗିରଫ କରିଛି। ଆସନ୍ତାକାଲି ଉଭୟ ଶିଶୁକନ୍ୟାଙ୍କ ଡାକ୍ତରୀ ମାଇନା କରାଯିବା ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସାଲେପୁର ଏସ୍‌ଡିପିଓ ପି.କେ. ଜେନା ସୂଚନା ଦେଇଛନ୍ତି।

ସେହିପରି ଗତକାଲି ଖୁଣ୍ଟୁଣୀ ଥାନା ଟାଙ୍ଗରସାହି ଗ୍ରାମରେ ୧୧ବର୍ଷର ନାବାଳିକାକୁ ସ୍ଥାନୀୟ ରାଜଆଠଗଡ଼ ରେଳଷ୍ଟେସନ ଅଂଚଳରେ ରହୁଥିବା ବିବାହିତ ଯୁବକ ଧନେଶ୍ୱର ଓରଫ ଧନୀ ବାରିକ (୩୫) ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଧନେଶ୍ୱର ବାରିକକୁ ଗିରଫ କରିଥିବା ଖୁଣ୍ଟୁଣୀ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ସୂଚନା ହେଇଛନ୍ତି।

ଅନ୍ୟପକ୍ଷରେ ଗତ ରାତିରେ ସାଲେପୁର ଥାନା ତଥା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫୋଗଳ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁକନ୍ୟା ଘରୁ ବାହାରିଥିଲା ଚକ୍‌ଲେଟ କିଣିବାକୁ। ସେହି ସମୟରେ ପାଓ୍ଵାରକଟ୍‌ ହୋଇଥିବାରୁ ଏହାର ସୁଯୋଗ ନେଇ ମହମ୍ମଦ ମୁସାକ୍‌ ନାମ ଜଣେ ଯୁବକ ଶିଶୁକନ୍ୟାକୁ ସ୍କୁଲ ଘରକୁ ଟେକିନେଇ ଦୁଷ୍କର୍ମ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅଭିଯୁକ୍ତ୍‌କୁ ଗିରଫ କରିଥିବା ସାଲେପୁର ଏସ୍‌ଡିପିଓ ପି.କେ. ଜେନା ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଉତ୍ତ୍ୟକ୍ତ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ଏହିି ଘଟଣାରେ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ, ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷା ସବିତା ଓଝା, କଂଗ୍ରେସ ନେତା ଆଇନଜୀବୀ ଇଂ ଆକାଶ ଭୂୟାଁ, ପ୍ରଦୀପ୍ତ କୁମାର ଦାସଙ୍କ ସମେତ ବହୁ ରାଜନେତା ସଂପୃକ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର